ଓଡ଼ିଶାଲାଇଭ୍ ବ୍ୟୁରୋ

  • ଥର୍ମନ ଶନମୁଗରତ୍ନମ ହେବେ ସିଙ୍ଗାପୁରର ନବମ ରାଷ୍ଟ୍ରପତି
  • ରାଷ୍ଟ୍ରପତି ନିର୍ବାଚନରେ ଥର୍ମନଙ୍କୁ ୭୦ ପ୍ରତିଶତରୁ ଅଧିକ ଭୋଟ

ଭାରତୀୟ ବଂଶୋଦ୍ଭବ ଥର୍ମନ ଶନମୁଗରତ୍ନମ ସିଙ୍ଗାପୁରର ନୂଆ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ୨୦୨୩ରେ ଏଠାରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ସେ ୭୦ ପ୍ରତିଶତରୁ ଅଧିକ ଭୋଟ ପାଇଛନ୍ତି। ଆସନ୍ତା ୬ ବର୍ଷ ଯାଏଁ ଥର୍ମନ ଶନମୁଗରତ୍ନମ ସିଙ୍ଗାପୁରର ନେତୃତ୍ୱ ନେବେ।

ଥର୍ମନ ଶନମୁଗରତ୍ନମ ଏବେ ସିଙ୍ଗାପୁରର ନବମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ। ସେ ପୂର୍ବତନ ରାଷ୍ଟ୍ରପତି ହଲିମା ୟାକୋବଙ୍କ ସ୍ଥାନ ନେବେ। ସେପ୍ଟେମ୍ବର ୧୩ ତାରିଖରେ ହଲିମା ୟାକୋବଙ୍କ କାର୍ଯ୍ୟକାଳ ଶେଷ ହେଉଛି।

ଚଳିତବର୍ଷ ସିଙ୍ଗାପୁର ରାଷ୍ଟ୍ରପତି ନିର୍ବାଚନରେ ତ୍ରିକୋଣୀୟ ମୁକାବିଲା ଦେଖିବାକୁ ମିଳିଥିଲା। ଏଥିରେ ଥର୍ମନ ଶନମୁଗରତ୍ନମ ଅନ୍ୟ ଦୁଇ ପ୍ରାର୍ଥୀ ଏନ କୋକ ସୋଙ୍ଗ ଏବଂ ଟେନ କିନ ଲିଆନଙ୍କ ସହ ପ୍ରତିଦ୍ଵନ୍ଦ୍ଵିତା କରିଥିଲେ।

୨୦୧୧ ପରେ ସିଙ୍ଗାପୁରରେ ଏହା ପ୍ରଥମ ରାଷ୍ଟ୍ରପତି ନିର୍ବାଚନ ଥିଲା। ଏଥିରେ ୨୭ ଲକ୍ଷରୁ ଅଧିକ ଲୋକ ଭୋଟ୍ ଦେଇଥିଲେ। ୨୦୧୭ ମସିହାରେ ସିଙ୍ଗାପୁରର ରାଷ୍ଟ୍ରପତି ପଦ କେବଳ ଜଣେ ମଲୟ ସମ୍ପ୍ରଦାୟର ପ୍ରାର୍ଥୀଙ୍କ ପାଇଁ ସରଂକ୍ଷିତ ଥିଲା। ସେତେବେଳେ ଅନ୍ୟ କୌଣସ୍ୟ ପ୍ରାର୍ଥୀ ନମିଳିବାରୁ ହଲିମା ୟାକୋବ ନିର୍ଦ୍ଵନ୍ଦରେ ରାଷ୍ଟ୍ରପତି ହୋଇଥିଲେ।

ଥର୍ମନ ଶନମୁଗରତ୍ନମ ତାମିଲ ସମ୍ପ୍ରଦାୟର ଭାରତୀୟ ବଂଶୋଦ୍ଭବ। ଉନବିଂଶ ଶତାବ୍ଦୀରେ ତାଙ୍କ ପୂର୍ବପୁରୁଷ ଭାରତରୁ ସିଙ୍ଗାପୁର ଯାଇଥିଲେ। ଥର୍ମନଙ୍କ ଜନ୍ମ ୧୯୫୭ ମସିହା ଫେବ୍ରୁଆରି ୨୫ରେ ହୋଇଥିଲା। ଜଣେ ଦକ୍ଷ ଅର୍ଥନୀତିଜ୍ଞ ଭାବେ ନିଜକୁ ପ୍ରତିପାଦିତ କରିଛନ୍ତି।

ଥର୍ମନ ୨୦୧୧ ମସିହାରୁ ସିଙ୍ଗାପୁର ମନିଟାରି ଅଥରିଟିର ଅଧ୍ୟକ୍ଷ ରହିଆସିଛନ୍ତି। ସେ ସିଙ୍ଗାପୁର ସେଣ୍ଟ୍ରାଲ ବ୍ୟାଙ୍କର ଗଭର୍ଣ୍ଣର ମଧ୍ୟ ରହିଛନ୍ତି। ଏହାସହ ଇଣ୍ଟରନାସନାଲ ମନିଟାରି ଫଣ୍ଡ ଅର୍ଥନୈତିକ କମିଟର ସଭାପତି ନିର୍ବାଚିତ ହୋଇଥିଲେ।

ଥର୍ମନ ଶନମୁଗରତ୍ନମ ପୂର୍ବେ ସିଙ୍ଗାପୁରର ଉପ ପ୍ରଧାନମନ୍ତ୍ରୀ ମଧ୍ୟ ରହିଥିଲେ। ସିଙ୍ଗାପୁରର ଅର୍ଥନୈତିକ ବିକାଶରେ ତାଙ୍କର ବିଶେଷ ଅବଦାନ ରହିଛି। ଏହାସହ ସିଙ୍ଗାପୁର ଓ ଭାରତର ଅର୍ଥନୈତିକ ସମ୍ପର୍କକୁ ସେ ସବୁବେଳେ ଗୁରୁତ୍ଵ ଦେଇ ଆସିଛନ୍ତି।

Tags: #TharmanShanmugaratnam #SingaporePresident #IndianOriginLeader #Singapore

 

Comment