ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର

ଗୁରୁ ସାକ୍ଷାତ୍ ପରଂବ୍ରହ୍ମ.. ତସ୍ମୈ ଶ୍ରୀଗୁରବେ ନମଃ

ଆଜି ହେଉଛି ଗୁରୁଦିବସ। ଗୁରୁଙ୍କ ଉଦ୍ଦେଶ୍ୟରେ ସାରା ଦେଶ ପାଳୁଛି ଏହି ଦିନ। ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖକୁ ଗୁରୁଦିବସ ଭାବେ ପାଳନ କରାଯାଏ। ବିଶିଷ୍ଟ ଶିକ୍ଷକ ତଥା ଭାରତର ପ୍ରଥମ ଉପରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ଗୁରୁଦିବସ ଭାବେ ପାଳନ କରାଯାଏ।

ଗୁରୁ-ଶିଷ୍ୟ ପରମ୍ପରାର ଅପୂର୍ବ ନିଦର୍ଶନ ସ୍ୱରୂପ ଏହି ଦିବସ ପାଳିତ ହୋଇ ଆସୁଛି। ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ଗୁରୁଙ୍କୁ ପୂଜା କରି ଏହି ଦିନକୁ ପାଳନ କରିଥାନ୍ତି। ଗୁରୁଙ୍କୁ ପୂଜା କରିବା ସହ ତାଙ୍କ ଆଶୀର୍ବାଦ ଭିକ୍ଷା କରିଥାନ୍ତି ଛାତ୍ରଛାତ୍ରୀ। ଏଥିସହ ଛାତ୍ରଛାତ୍ରୀମାନେ ଗୁରୁଙ୍କ ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି।

ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ଵିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କର ଶିକ୍ଷା ପ୍ରତି ଥିବା ଅବଦାନକୁ ମନେ ରଖିବା ପାଇଁ ତାଙ୍କ ଜନ୍ମଦିନକୁ ଗୁରୁଦିବସ ଭାବେ ପାଳନ କରାଯାଉଛି। ସେ ୧୮୮୮ ମସିହା ସେପ୍ଟେମ୍ବର ୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ।

ଧର୍ମ ଓ ଦର୍ଶନ ଶାସ୍ତ୍ରରେ ବିଂଶ ଶତାବ୍ଦୀର ବିଶିଷ୍ଟ ଭାରତୀୟ ବିଦ୍ଵାନମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ। ସେ କଲିକତା ବିଶ୍ଵବିଦ୍ୟାଳୟ ଓ ଚେନ୍ନାଇର ପ୍ରେସିଡେନ୍ସି କଲେଜ ସମେତ ଅନେକ ଆନ୍ତର୍ଜାତିକସ୍ତରର ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କରିଥିଲେ। ଭାରତରେ ଶିକ୍ଷାର ବିକାଶ ପାଇଁ ସେ ଅନେକ କାର୍ଯ୍ୟ କରିଥିଲେ।

Tags: #Teacher’sDay #DrSarvepalliRadhakrishnan #Education #Students #India

 

Comment