ଓଡ଼ିଶାଲାଇଭ୍ ବ୍ୟୁରୋ

  • ମହିଳା ସଂରକ୍ଷଣ ବିଲ୍ ଉପରେ ଲୋକସଭାରେ ଆଲୋଚନା
  • କଂଗ୍ରେସ ପକ୍ଷରୁ ବିଲକୁ କରାଗଲା ସମର୍ଥନ
  • କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ରଖିଲେ ବିଲ୍ ସପକ୍ଷରେ ମତ

ମହିଳା ସଂରକ୍ଷଣ ବିଲ୍ ଉପରେ ବୁଧବାର ଲୋକସଭାରେ ବିତର୍କ ଜାରି ରହିଛି। ଏହି ବିଲକୁ କଂଗ୍ରେସ ପକ୍ଷରୁ ସମର୍ଥନ କରାଯାଇଛି। କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଦଳ ପକ୍ଷରୁ ଏହି ବିଲ୍ ଉପରେ ବିତର୍କ ଆରମ୍ଭ କରି ଏହା ସପକ୍ଷରେ ମତ ଦେଇଥିଲେ।

“କଂଗ୍ରେସ ମହିଳାମାନଙ୍କୁ ସବୁବେଳ ଅଗ୍ରାଧିକର ଦେଇ ଆସିଛି। ପୂର୍ବରୁ କଂଗ୍ରେସ ପକ୍ଷରୁ ଅନେକ ଥର ସଂସଦରେ ଏହି ମହିଳା ସଂରକ୍ଷଣ ବିଲ୍ ଉପସ୍ଥାପନ କରାଯାଇଛି। ମୋ ସ୍ଵାମୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏହି ବିଲ୍‌ ବାବଦରେ ପରିକଳ୍ପନା କରିଥିଲେ। ଯଦି ଏବେ ଏହି ବିଲ୍‌ ପାରିତ ହୋଇଯାଏ ତେବେ ତାଙ୍କ ସ୍ଵପ୍ନ ସାକାର ହେବ”, କହିଛନ୍ତି ସୋନିଆ ଗାନ୍ଧୀ।

ସେ ଆହୁରି ମଧ୍ୟ କହିଛନ୍ତି, “ଭାରତର ସ୍ଵାଧୀନତା ଆନ୍ଦୋଳନରେ ମହିଳାମାନେ ବ୍ୟାପକ ଭୂମିକା ନିର୍ବାହ କରିଥିଲେ। ଏହି ବିଲ୍ ଦେଶର ରାଜନୀତିରେ ଅଂଶଗ୍ରହଣ କରିବାପାଇଁ ଅଧିକରୁ ଅଧିକ ମହିଳାଙ୍କୁ ଉତ୍ସାହିତ କରିବ। ମହିଳାମାନେ ଏହି ବିଲ୍ ପାଇଁ ଅନେକ ଦିନରୁ ଅପେକ୍ଷା କରି ରହିଥିଲେ।”

ତେବେ ଜାତିଭିତ୍ତିକ ଜନଗଣନା ଆଧାରରେ ମହିଳାମାନଙ୍କ ପାଇଁ ଏହି ବିଲରେ ପ୍ରବଧାନ ରହିବା ଉଚିତ ବୋଲି ସୋନିଆ ଗାନ୍ଧୀ ମନ୍ତବ୍ୟ ଦେଇଥିଲେ। ଏଥିରେ ଅନୁସୂଚିତ ଜାତି, ଜନଜାତି ଏବଂ ଓବିସି ଆଧାରରେ ମହିଳାଙ୍କୁ ସଂରକ୍ଷଣ ଦେବା ଲାଗି ସେ ମତ ରଖିଥିଲେ।

ଏହି ବିଲ୍ ଉପରେ ବୁଧବାର ଲୋକସଭାରେ ଆଲୋଚନା କରାଯାଇ ଏହାକୁ ପାରିତ କରାଯିବାର ଯୋଜନା ରହିଛି। ଏହାପରେ ଗୁରୁବାର ଏହାକୁ ରାଜ୍ୟସଭାରେ ଆଗତ କରିବେ କେନ୍ଦ୍ର ସରକାର।

Tags: #WomenReservationBill #SoniaGandhi #Congress #Parliament #India

Comment