ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଗଣପର୍ବ ନୂଆଁଖାଇରେ ଉତ୍ସବମୁଖର ହୋଇଛି ସମଗ୍ର ପଶ୍ଚିମ ଓଡ଼ିଶା। ଏହି ଅବସରରେ ବୁଧବାର ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ଵରୀଙ୍କ ନିକଟରେ ନବାନ୍ନ ଲାଗି ହୋଇଛି। ଏହି ସମୟରେ ଢୋଲ, ଘଣ୍ଟଘଣ୍ଟା ଧ୍ଵନିରେ ପ୍ରକମ୍ପିତ ହୋଇଥିଲା ମନ୍ଦିର ପରିସର।

ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ବୁଧବାର ସକାଳ ୧୦ଟା ୩୭ ବେଳେ ମା’ ସମଲେଶ୍ଵରୀଙ୍କଠାରେ ନବାନ୍ନ ଅର୍ପଣ କରାଯାଇଥିଲା। ସେହିପରି ପାଟଣାଗଡ଼ରେ ମା’ ପାଟଣେଶ୍ଵରୀ, ସୋନପୁରରେ ମା’ ସୁରେଶ୍ଵରୀଙ୍କ ନିକଟରେ ମଧ୍ୟ ନବାନ୍ନ ଲାଗି ହୋଇଛି।

ଅନ୍ୟପଟେ ସବୁ ସହର ଓ ଗାଁରେ ସେଠାକାର ଅଧିଷ୍ଠିତ ଦେବଦେବୀଙ୍କୁ ପ୍ରଥମେ ନବାନ୍ନ ଭୋଗ ଲାଗି କରାଯାଇଛି। ଏହାପରେ ପ୍ରତି ପରିବାର ନିଜ ଘରେ ଠାକୁରଙ୍କୁ ଭୋଗ ଲଗାଇସାରିବାପରେ ସବୁ ସଦସ୍ୟ ଏକାଠି ବସି ନୂଆଁ ଅନ୍ନ ଖାଇବେ। ସେହିପରି ନୂଆଁଖାଇରେ ଚାଷୀମାନେ ନିଜ କ୍ଷେତକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି।

ନୂଆଁ ଅନ୍ନ ଖାଇସରିବା ପରେ ଲୋକମାନେ ନିଜଠୁ ବଡ଼ ଲୋକଙ୍କୁ ଜୁହାର୍‌ (ପ୍ରଣାମ) କରି ଆଶୀର୍ବାଦ ନେବାର ଏକ ନିଆରା ପରମ୍ପରା ରହିଛି। ସେହିପରି ଅନେକ ଲୋକ ମନ୍ଦିର ଯାଇ ଦେବଦେବୀଙ୍କୁ ଦର୍ଶନ କରିବେ। ଏହାସହ ଅନେକ ସହରରେ ନୂଆଁଖାଇ ଭେଟଘାଟ୍‌ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହା ସମ୍ପୂର୍ଣ୍ଣ ପଶ୍ଚିମ ଓଡ଼ିଶାରେ ଏକ ଉତ୍ସାହପୂର୍ଣ୍ଣ ପରିବେଶ ସୃଷ୍ଟି କରିଛି।

Tags: #NuaKhai #MaaSamaleswari #Nabanna #Sambalpur #WesternOdisha

Comment