ଓଡ଼ିଶାଲାଇଭ୍ ବ୍ୟୁରୋ

ଚୀନର ହାଙ୍ଗଝୌରେ ଚାଲିଥିବା ୧୯ତମ ଏସିଆନ ଗେମ୍ସରେ ଭାରତକୁ ମିଳିଛି ପଞ୍ଚମ ସ୍ଵର୍ଣ୍ଣ ପଦକ। ପ୍ରତିଯୋଗିତାରେ ବୁଧବାର ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍ ଇଭେଣ୍ଟରେ ଭାରତର ସିଫ୍ଟ କୌର ସାମ୍ରା ବ୍ୟକ୍ତିଗତ ଭାବେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ଉକ୍ତ ଇଭେଣ୍ଟରେ ଆଶି ଚୌକ୍ସି ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ପାଇଛନ୍ତି।
୫୦ ମିଟର୍ ରାଇଫଲ୍ ୩ ପୋଜିସନ୍ ଇଭେଣ୍ଟରେ ସିଫ୍ଟ କୌର ସାମ୍ରା ନୂଆ ବିଶ୍ଵ ରେକର୍ଡ କରି ପ୍ରଥମ ସ୍ଥାନରେ ରହିଥିଲେ। ଉକ୍ତ ଇଭେଣ୍ଟରେ ସେ ୪୬୯.୬ ପଏଣ୍ଟ୍ ସ୍କୋର କରି ଟୁର୍ଣ୍ଣାମେଣ୍ଟରେ ଭାରତ ପାଇଁ ପ୍ରଥମ ବ୍ୟକ୍ତିଗତ ସ୍ଵର୍ଣ୍ଣ ପଦକ ଜିତିଛନ୍ତି।
ସେହିପରି ବ୍ରୋଞ୍ଜ ପଦକ ପାଇଥିବା ଆଶି ଚୌକସି ମୋଟ ୪୫୧.୯ ପଏଣ୍ଟ୍ ସ୍କୋର୍ କରିଥିଲେ। ଆଶି ଚୌକସି ପ୍ରଥମେ ଷଷ୍ଠ ସ୍ଥାନରେ ଥିଲେ। ପରେ ଦ୍ଵିତୀୟ ସ୍ଥାନ ଯାଏଁ ଆସିଥିଲେ। ହେଲେ ଚୀନର ଜାଙ୍ଗ କ୍ୱିଓଙ୍ଗୟୁ ଏହି ପ୍ରତିଯୋଗିତାରେ ୪୬୨.୩ ପଏଣ୍ଟ୍ ହାସଲ କରିବାରୁ ଚୌକ୍ସି ୩ୟ ସ୍ଥାନକୁ ଖସି ଆସିଥିଲେ।
ଏବେ ଭାରତ ଏସିଆନ ଗେମ୍ସରେ ମୋଟ ୨୨ଟି ପଦକ ହାସଲ କରି ସରିଲାଣି। ସେଥିରେ ୫ଟି ସ୍ଵର୍ଣ୍ଣ, ୭ଟି ରୌପ୍ୟ ଓ ୧୦ ବ୍ରୋଞ୍ଜ ପଦକ ରହିଛି।
Tags: #AsianGames #GoldMedal #50meterRifle3Position #Shooting #Sports #India



















