ଓଡ଼ିଶାଲାଇଭ୍ ବ୍ୟୁରୋ

ନେଦରଲାଣ୍ଡସ ବିପକ୍ଷରେ ଟିମ ଇଣ୍ଡିଆର ଶେଷ ଅଭ୍ୟାସ ମ୍ୟାଚ

ଦିନକ ପରେ ଆରମ୍ଭ ହେବ ଆଇସିସି ବିଶ୍ୱକପ। ଏହି ମେଗା ଟୁର୍ଣ୍ଣାମେଣ୍ଟରେ ନିଜର ଅଭିଯାନ ଆରମ୍ଭ କରିବା ପୂର୍ବରୁ ମଙ୍ଗଳବାର ନେଦରଲାଣ୍ଡସ ବିପକ୍ଷରେ ଶେଷ ଅଭ୍ୟାସ ମ୍ୟାଚ ଖେଳୁଛି ଟିମ ଇଣ୍ଡିଆ।  

ବର୍ଷା ପାଇଁ ବାତିଲ ହୋଇଥିଲା ଇଂଲଣ୍ଡ ବିପକ୍ଷରେ ଥିବା ପ୍ରଥମ ଅଭ୍ୟାସ ମ୍ୟାଚ। ଏବେ ଦଳ ପାଖରେ ଶେଷ ସୁଯୋଗ ରହିଛି, ବିଶ୍ୱକପ ପୂର୍ବରୁ ସବୁ ବିଭାଗକୁ ପରଖି ନେବା ପାଇଁ।

ଟିମ ଇଣ୍ଡିଆ ତୁଳନାରେ ନେଦରଲାଣ୍ଡସ ସାମାନ୍ୟ ଦୁର୍ବଳ ଥିବାରୁ ଭାରତ ପ୍ରଥମେ ବ୍ୟାଟିଂ ପାଇଲେ ବଡ଼ ସ୍କୋର ହେବାର ସମ୍ଭାବନା ରହିଛି। ବ୍ୟାଟିଂ ଦଳର ବିଶେଷ ସମସ୍ୟା ନାହିଁ। କିନ୍ତୁ ସବୁ ବ୍ୟାଟରଙ୍କୁ ନିଜ ଦକ୍ଷତା ଅନୁଯାୟୀ ପ୍ରଦର୍ଶନ କରିବାକୁ ପଡ଼ିବ।

ବୋଲିଂରେ ବୁମରା ଅଷ୍ଟ୍ରେଲିଆ ବିପକ୍ଷ ଶେଷ ମ୍ୟାଚରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ସେ ଚେଷ୍ଟା କରିବେ ୱିକେଟ ବାହାର କରିବା ସହ ରନ ଉପରେ ଅଙ୍କୁଶ ଲଗାଇବାକୁ।

ଏଠାକାର ପିଚ ସାଧାରଣତଃ ବୋଲରଙ୍କୁ ସୁହାଇଥାଏ। ବିଶେଷ କରି ସ୍ପିନରମାନଙ୍କୁ। କିନ୍ତୁ ଗତ କିଛି ଦିନ ହେବ ବର୍ଷା ହୋଇଥିବାରୁ ଫାଷ୍ଟ ବୋଲରଙ୍କୁ ବି ଫାଇଦା ମିଳିବ।

ଚଳିତବର୍ଷ ଆଇସିସି ପୁରୁଷ କ୍ରିକେଟ ବିଶ୍ଵକପରେ ୧୦ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଭାରତ ସମେତ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ବାଂଲାଦେଶ, ପାକିସ୍ତାନ, ଆଫଗାନିସ୍ତାନ, ଦକ୍ଷିଣ ଆଫ୍ରିକା ଶ୍ରୀଲଙ୍କା ଓ ନେଦରଲାଣ୍ଡସ୍ ବିଶ୍ଵକପରେ ଖେଳିବେ।

ଭାରତରେ ହେବାକୁ ଥିବା ଏହି ବିଶ୍ଵକପ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୧୯ ତାରିଖଯାଏଁ ଚାଲିବ। ଦେଶର ୧୦ଟି ଷ୍ଟାଡିୟମରେ ବିଶ୍ଵକପର ମୋଟ ୪୮ ମ୍ୟାଚ ଖେଳାଯିବ। ଉଦଘାଟନୀ ଓ ଫାଇନାଲ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ।

Tags: #ICCCricketWorldCup2023 #Cricket #Sports #ICC #BCCI #India

Comment