ଓଡ଼ିଶାଲାଇଭ୍ ବ୍ୟୁରୋ

ସେମିଫାଇନାଲରେ ଦକ୍ଷିଣ କୋରିଆକୁ ୫-୩ରେ ହରାଇ ଫାଇନାଲରେ ପ୍ରବେଶ କରିଛି ଭାରତ।

ଚୀନରେ ଚାଲିଥିବା ୧୯ତମ ଏସିଆନ ଗେମ୍ସରେ ଭାରତୀୟ ପୁରୁଷ ହକି ଦଳର ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ବୁଧବାର ସେମିଫାଇନାଲରେ ଭାରତ ଦକ୍ଷିଣ କୋରିଆକୁ ୫-୩ରେ ହରାଇ ଫାଇନାଲରେ ପ୍ରବେଶ କରିଛି।

ଫାଇନାଲରେ ପ୍ରବେଶ ସହ ଭାରତୀୟ ପୁରୁଷ ହକି ଦଳ ଦେଶ ପାଇଁ ପଦକ ସୁନିଶ୍ଚିତ କରିଛନ୍ତି। ଉତ୍କଣ୍ଠାପୂର୍ଣ୍ଣ ସେମିରେ ଓଡ଼ିଆ ପୁଅ ଅମିତ ରୋହିଦାସ ଗୋଟିଏ ଗୋଲ ସ୍କୋର କରିଛନ୍ତି।

ମ୍ୟାଚ ଆରମ୍ଭରୁ ହିଁ ଭାରତର ଦବଦବା ଦେଖିବାକୁ ମିଳିଥିଲା। ମ୍ୟାଚର ୨୪ତମ ମିନିଟରେ ମିଳିଥିବା ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ ଓଡ଼ିଆ ପୁଅ ଅମିତ ରୋହିଦାସ। ଏଥିସହ ମ୍ୟାଚର ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୪-୨ରେ ଆଗୁଆ ରହିଥିଲା।

ଦ୍ୱିତୀୟାର୍ଦ୍ଧରେ ଅଧିକ ଆଟାକିଂ ଖେଳିଥିଲା କୋରିଆ। ୪୨ତମ ମିନିଟରେ ଦଳକୁ ମିଳିଥିବା ଏକ ପେନାଲ୍ଟି କର୍ଣ୍ଣରକୁ ଜାଙ୍ଗ ଗୋଲରେ ପରିଣତ କରି ମ୍ୟାଚରେ ରୋମାଞ୍ଚ ଭରି ଦେଇଥିଲେ। ୪-୩ରେ କୋରିଆ ପଛରେ ଥିଲେ ବି ଆଟାକ କରିବାକୁ ପଛାଇ ନଥିଲା। କିନ୍ତୁ ଭାରତୀୟ ଡିଫେଣ୍ଡ ଲାଇନକୁ ଭେଦ କରିବା ଦଳ ପାଇଁ ସହଜ ନଥିଲା। ଶେଷ କ୍ୱାର୍ଟରରେ ଦୁଇ ଦଳ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଥିଲା।

ମ୍ୟାଚର ୫୪ତମ ମିନିଟଯାଏଁ ଉଭୟ ଦଳ କେହି କାହାକୁ ଗୋଲ ଦେବାକୁ ସକ୍ଷମ ହୋଇ ନଥିଲେ। ପରେ ଭାରତ ପାଇଁ ଅଭିଷେକ ଆଉ ଏକ ଗୋଲ ସ୍କୋର କରିଥିଲେ।  

କୋରିଆ ଶେଷ ମୁହୂର୍ତ୍ତରେ ତା’ର ଗୋଲକିପରଙ୍କୁ କାଢ଼ି ଅଧିକ ଆଟାକିଂ ଖେଳିଥିଲା। କିନ୍ତୁ ଭାରତୀୟ ଖେଳାଳି ନିଜର କୌଣସି ତୃଟି ହେବାକୁ ଦେଇନଥିଲେ। ଶେଷରେ ଭାରତ ଏହି ମ୍ୟାଚକୁ ୫-୩ରେ ଜିତି ଫାଇନାଲରେ ପ୍ରବେଶ କରିଛି।

ଦ୍ୱିତୀୟ ସେମିଫାଇନାଲର ବିଜୟୀ ଦଳ ସହ ଫାଇନାଲ ଖେଳିବ ଭାରତ।

Tags: #asiangames #bharatatag22 #hockey #teamindia #cheer4india

LEAVE A REPLY

Please enter your comment!
Please enter your name here