ଓଡ଼ିଶାଲାଇଭ୍ ବ୍ୟୁରୋ

ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉଦଘାଟନୀ ମ୍ୟାଚ, ଟସ୍ ଜିତି ନ୍ୟୁଜିଲାଣ୍ଡର ଫିଲ୍ଡିଂ ନିଷ୍ପତ୍ତି।

ଆରମ୍ଭ ହେଲା କ୍ରିକେଟ ମହାକୁମ୍ଭ ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ। ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ଆରମ୍ଭ ହୋଇଛି ମ୍ୟାଚ। ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ।

୨୦୧୯ରେ ନ୍ୟୁଜିଲାଣ୍ଡକୁ ହରାଇ ପ୍ରଥମ ଥର ପାଇଁ ଟାଇଟଲ ଜିତିଥିଲା ଇଂଲଣ୍ଡ। ହେଲେ ଏଥର ଇଂଲଣ୍ଡ ଦଳର ନେତୃତ୍ୱ ବଦଳିଛି। ଇଅନ ମୋର୍ଗାନଙ୍କ ସ୍ଥାନରେ ଦଳର ନେତୃତ୍ୱ ନେଇଛନ୍ତି ଜୋସ୍ ବଟଲର। ଆଉ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ଇଂଲଣ୍ଡ ଟିମ।

ଅନ୍ୟପଟେ ଦଳକୁ ଫେରିଛନ୍ତି ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକସ। ଯାହା ଦଳକୁ ଅଧିକ ଶକ୍ତିଶାଳୀ କରିଛି। ବ୍ୟାଟିଂ ହେଉଛି ଇଂଲଣ୍ଡ ଦଳର ମୁଖ୍ୟ ଅସ୍ତ୍ର। ବଟଲରଙ୍କ ସହ ଜୋନି ବେୟାରଷ୍ଟୋ, ହ୍ୟାରି ବ୍ରୁକ, ଡେଭିଡ ମଲାନ, ଜୋ ରୁଟ୍ ବ୍ୟାଟିଂର ମଙ୍ଗ ଧରିବେ। ମୋଇନ ଅଲ୍ଲୀଙ୍କ ସହ ବେନ୍ ଷ୍ଟୋକସ ଦୁଇ ଅଲରାଉଣ୍ଡର ମଧ୍ୟ ଅଛନ୍ତି। ପେସ୍ ବୋଲିଂ ଭାର ସମ୍ଭାଳିବେ ମାର୍କ ଉଡ, ଡେଭିଡ ୱିଲି, କ୍ରିସ୍ ୱକସ। ଫଳରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଇଂଲଣ୍ଡର ପଲ୍ଲା ଭାରି ରହିବା ସ୍ୱାଭାବିକ।

ସେପଟେ ୨୦୧୫ ଓ ୨୦୧୯ର ରନର୍ସଅପ ଟିମ ହେଉଛି ନ୍ୟୁଜିଲାଣ୍ଡ। ଦଳର ମୁଖ୍ୟ ଅସ୍ତ୍ର ହେଉଛି କାନେ ୱିଲିୟମସନଙ୍କ ଅଧିନାୟକତ୍ୱ। ଦୁଇ ଥର ବିଶ୍ୱକପ ହାତେଇବାର ନିକଟତର ହୋଇ ବି ଦଳ ବିଫଳ ହୋଇଛି। ଆଉ ପୂର୍ବ ପରାଜୟର ପ୍ରତିଶୋଧ ସହ ବିଶ୍ୱକପ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଛି ନ୍ୟୁଜିଲାଣ୍ଡ ଟିମ। ଅବଶ୍ୟ ଆହତ କାରଣରୁ ପ୍ରଥମ ମ୍ୟାଚ ଖେଳିବେନି ୱିଲିୟମସନ। ତାଙ୍କ ସ୍ଥାନରେ ଦଳର ନେତୃତ୍ୱ ନେଇଛନ୍ତି ଟମ୍ ଲଥାମ।

ଉଭୟ ବ୍ୟାଟିଂ ଓ ବୋଲିଂରେ ନ୍ୟୁଜିଲାଣ୍ଡ ଟିମ ବେଶ ସନ୍ତୁଳିତ। ବ୍ୟାଟିଂରେ ଲଥାମଙ୍କ ସହ ଡେଭନ କନୱେ, ୱିଲି ୟଙ୍ଗ ଦଳର ମଙ୍ଗ ଧରିବେ। ମିଚେଲ, ନେଶାମଙ୍କ ପରି ଦୁଇ ଅଲରାଉଣ୍ଡର ମ୍ୟାଚର ମୋଡ଼ ବଦଳାଇ ଦେବାରେ କ୍ଷମତା ରଖନ୍ତି। ବୋଲିଂରେ ନେତୃତ୍ୱ ନେବେ ଟ୍ରେଣ୍ଟ ବୋଲଡ, ଅଭିଜ୍ଞ ଟିମ୍ ସାଉଦି।

ଓପନିଂ ମ୍ୟାଚ ବେଶ ରୋମାଞ୍ଚକର ହେବା ନେଇ କ୍ରିକେଟପ୍ରେମୀ ଆଶାବାଦୀ ।

Tags: #ICC #BCCI #CWC23 #Cricket #ENGvNZ #ODICricketWorldCup

LEAVE A REPLY

Please enter your comment!
Please enter your name here