ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ କ୍ରମାଗତ ଭାବେ ଚତୁର୍ଥଥର ପାଇଁ ଅପରିବର୍ତ୍ତିତ ରହିଲା ‘ରେପୋ’ ରେଟ୍। ଏହି ଦର ପୂର୍ବଭଳି ୬.୫ ପ୍ରତିଶତ ରହିବ। ଏନେଇ ଶୁକ୍ରବାର ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ଦେଶରେ ମୁଦ୍ରାସ୍ଫୀତିର ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।
ରିଜର୍ଭ ବ୍ୟାଙ୍କ ମନିଟାରି ପଲିସି କମିଟି ବୈଠକରେ ଦେଶରେ ‘ରେପୋ’ ରେଟ୍ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। କମିଟିର ୬ ଜଣ ସଦସ୍ୟ ସର୍ବସମ୍ମତିରେ ରେପୋ ରେଟ୍ ଅପରିବର୍ତ୍ତିତ ରଖିବା ସପକ୍ଷରେ ମତ ଦେଇଥିଲେ।
ଅକ୍ଟୋବର ୪ ତାରିଖରେ ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ରିଜର୍ଭ ବ୍ୟାଙ୍କ ମନିଟାରି ପଲିସି କମିଟିର ୩ ଦିନିଆ ବୈଠକ ଆରମ୍ଭ ହୋଇଥିଲା। ଏଥିରେ ଦେଶର ଆର୍ଥିକ ସ୍ଥିତକୁ ନେଇ ବିଭିନ୍ନ ସମୀକ୍ଷା ଓ ଆଲୋଚନା କରାଯାଇଥିଲା।
“ଦେଶରେ ଅର୍ଥ ବ୍ୟବସ୍ଥାର ଅଭିବୃଦ୍ଧି ଓ ମୁଦ୍ରାସ୍ଫୀତିର ହାରକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ‘ରେପୋ’ ରେଟକୁ ଅପରିବର୍ତ୍ତିତ ରଖାଯାଇଛି। ଆର୍ଥିକବର୍ଷ ୨୦୨୩-୨୪ରେ ଖୁଚୁରା ମୁଦ୍ରାସ୍ଫୀତି ୫.୪ ପ୍ରତିଶତ ଭିତରେ ରଖିବାକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି”, କହିଛନ୍ତି ଶକ୍ତିକାନ୍ତ ଦାସ।
ଗୁରୁବାର ରେପୋ ରେଟ ସହ ‘ଷ୍ଟାଣ୍ଡିଙ୍ଗ୍ ଡିପୋଜିଟ୍ ଫେସିଲିଟି’ (ଏସଡିଏଫ୍) ରେଟ୍ ୬.୨୫ ପ୍ରତିଶତ ଏବଂ ‘ମାର୍ଜିନାଲ୍ ଷ୍ଟାଣ୍ଡିଙ୍ଗ୍ ଫେସିଲିଟି’ (ଏମଏସଏଫ୍) ରେଟକୁ ୬.୭୫ ପ୍ରତିଶତରେ ଅପରିବର୍ତ୍ତିତ ରଖାଯାଇଛି।
ରିଜର୍ଭ ବ୍ୟାଙ୍କ ୨୦୨୨ ମସିହା ଏପ୍ରିଲ ମାସରୁ ଏ ପର୍ଯ୍ୟନ୍ତ ରେପୋ ରେଟରେ ୨୫୦ ବେସିସ୍ ପଏଣ୍ଟ ବୃଦ୍ଧି କରିଛି। ଏହା ପୂର୍ବରୁ ଚଳିତବର୍ଷ ଫେବ୍ରୁଆରି ମାସରେ ରେପୋ ରେଟରେ ୨୫ ବେସିସ୍ ପଏଣ୍ଟ ବଢ଼ିଥିଲା।
ଦେଶରେ ଆର୍ଥିକ ସ୍ଥିତି ତଥା ମୁଦ୍ରାସ୍ଫୀତିର ଆକଳନ କରିବା ପାଇଁ ରିଜର୍ଭ ବ୍ୟାଙ୍କ ମନିଟାରି ପଲିସି କମିଟିର ପ୍ରତି ଦୁଇ ମାସରେ ବୈଠକ ଅନୁଷ୍ଠିତ ହୋଇଥାଏ। ଏଠାରେ ରେପୋ ରେଟ୍ ଓ ଅନ୍ୟାନ୍ୟ ବ୍ୟାଙ୍କ ଦରକୁ ନେଇ ନିଷ୍ପତ୍ତି ନିଆଯାଏ।
Tags: #RBI #Reporate #Inflation #MonetaryPolicyCommitte #India