ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଆରମ୍ଭ ହେଲା ପ୍ରଥମ ରାପିଡ୍ ଟ୍ରେନ ସେବା। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ଗାଜିଆବାଦରେ ଏହାର ଉଦଘାଟନ କରିଛନ୍ତି। ଏହି ପ୍ରଥମ ରାପିଡ୍ ଟ୍ରେନକୁ ‘ନମୋ ଭାରତ’ ଭାବେ ନାମିତ କରାଯାଇଛି।
ଦିଲ୍ଲୀରୁ ଉତ୍ତରପ୍ରଦେଶର ମିରଟ୍ ମଧ୍ୟରେ ୮୨ କିଲୋମିଟରର ‘ରିଜିଓନାଲ୍ ରାପିଡ୍ ଟ୍ରାଞ୍ଜିଟ୍ ସିଷ୍ଟମ୍’ (ଆରଆରଟିଏସ୍) ଅନ୍ତର୍ଗତ ଏହି ଟ୍ରେନ ଚଳାଚଳ କରିବ। ଶୁକ୍ରବାର ପ୍ରଥମ ପର୍ଯ୍ୟାୟରେ ଏହି ରୁଟରେ ଉତ୍ତରପ୍ରଦେଶର ସାହିବାବାଦରୁ ଦୁହାଇ ମଧ୍ୟରେ ନିର୍ମିତ ୧୭ କିଲୋମିଟର କରିଡରର ଉଦଘାଟନ କରାଯାଇଛି।

ଏହି ରାପିଡ୍ ଟ୍ରେନ ଘଣ୍ଟା ପ୍ରତି ୧୮୦ କିମି ବେଗରେ ଗତି କରିପାରିବ। ହେଲେ ଦିଲ୍ଲୀ-ମିରଟ୍ ରୁଟରେ ଏହାକୁ ୧୬୦ କିମି ବେଗରେ ଚାଲିବ। ଏହାଫଳରେ ଦୁଇ ସହର ମଧ୍ୟର ଦୂରତାକୁ ୧ ଘଣ୍ଟା ମଧ୍ୟରେ ପୂରା କରାଯାଇପାରିବ।
ରାପିଡ୍ ଟ୍ରେନର ବେଗ ମେଟ୍ରୋ ଟ୍ରେନଠାରୁ ଅଧିକ ରହିବ। ମେଟ୍ରୋ ଟ୍ରେନ ଏକାଧିକ ଷ୍ଟେସନରେ ରହୁଥିବାବେଳେ ରାପିଡ୍ ଟ୍ରେନ ଅଳ୍ପ ସଂଖ୍ୟକ ଷ୍ଟେସନରେ ରହିବ। ଦିଲ୍ଲୀ-ମିରଟ୍ ମଧ୍ୟରେ ପ୍ରାୟ ୩୦ ହଜାର କୋଟି ଟଙ୍କାର ବ୍ୟୟରେ ଏହି ଆରଆରଟିଏସ୍ ରାପିଡ୍ ଟ୍ରେନ ରୁଟର ନିର୍ମାଣ କରାଯାଉଛି।
ଶୁକ୍ରବାର ରାପିଡ୍ ଟ୍ରେନର ଉଦଘାଟନ କରାଯାଇଥିବାବେଳେ ଏହାକୁ ଶନିବାରଠାରୁ ଲୋକମାନେ ବ୍ୟବହାର କରିପାରିବେ। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶର ରାଜ୍ୟପାଳ ଅନନ୍ଦିବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗ ଏବଂ କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂହ ପୁରୀ ପ୍ରମୁଖ ଦେଇଥିଲେ।
Tags: #RapidRail #Delhi-MerrutRRTS #RapidTransitSystem #PublicTransport #India