ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି କ୍ରିକେଟ ବିଶ୍ଵକପରେ ଆଜି ଭାରତ-ନ୍ୟୁଜିଲାଣ୍ଡ ଟକ୍କର। ମ୍ୟାଚକୁ ନେଇ ଉଭୟ ଦଳର ଖେଳାଳି ପ୍ରସ୍ତୁତ ହୋଇଛନ୍ତି। ହିମାଚଳ ପ୍ରଦେଶର ଧର୍ମଶାଳା ଷ୍ଟାଡିୟମରେ ମ୍ୟାଚକୁ ଉପଭୋଗ କରିବା ପାଇଁ ଭାରତୀୟ କ୍ରିକେଟ ପ୍ରେମୀମାନେ ଅପେକ୍ଷା କରିଛନ୍ତି।

ଚଳିତ ବିଶ୍ଵକପରେ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ପୂର୍ବ ୪ଟି ମ୍ୟାଚରେ ଯେଉଁ ଅପରାଜୟ ରହିବାର ଧାରା ବନେଇଛି ତାହାକୁ ଧର୍ମଶାଳାରେ ଦୋହରାଇବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ। ସେହିପରି ଟମ୍ ଲେଥାମଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ମଧ୍ୟ ଏହି ମ୍ୟାଚରେ କଡ଼ା ପ୍ରତିଦ୍ଵନ୍ଦ୍ଵିତା କରିବ।

ଏହି ବିଶ୍ୱକପରେ ଭଲ ପ୍ରଦର୍ଶନ କରିଥିବା ଭାରତୀୟ ଖେଳାଳି ରୋହିତ ଶର୍ମା, ବିରାଟ କୋହଲୀ, ରବୀନ୍ଦ୍ର ଜାଡେଜା, କେଏଲ ରାହୁଲ, ହାର୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ ଓ ଯଶପ୍ରୀତ ବୁମରାହଙ୍କ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ପ୍ରଦର୍ଶନ ଉପରେ ସମସ୍ତ ନଜର ରହିବ।

ଅନ୍ୟପଟେ ଡେଭନ କନୱେ, ୱିଲ୍ ୟଙ୍ଗ, ଡ୍ୟାରିଲ୍ ମିଚେଲ୍ ଭଳି ଖେଳାଳିଙ୍କ ବ୍ୟାଟିଂ ଉପରେ ନ୍ୟୁଜିଲାଣ୍ଡ  ଟିମ ନିର୍ଭର କରିବ। ସେହିପରି ଟ୍ରେଣ୍ଟ ବୋଲ୍ଟ, ଟିମ ସାଉଦି, ଲୋକି ଫର୍ଗୁସନ ଓ ମିଚଲ୍ ସେଣ୍ଟନରଙ୍କ  ବୋଲିଂ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ କିଛି ମାତ୍ରାରେ ଦ୍ଵନ୍ଦ୍ଵରେ ପକାଇପାରେ। 

ତେବେ ନ୍ୟୁଜିଲାଣ୍ଡର ବୋଲିଂ ଅଟାକକୁ ସାମ୍ନା କରିବା ପାଇଁ ଭାରତୀୟ ଦଳ କେଉଁ ରଣନୀତି ଆପଣାଉଛି ତାହା ଚର୍ଚ୍ଚାର ବିଷୟ ପାଲଟିଛି। ସେହିପରି ଭାରତ ନିଜର ଓପନିଂକୁ ଭଲ କରିବା ପାଇଁ ସବୁ ପ୍ରୟାସ କରିବ।

ଚଳିତ ବିଶ୍ଵକପରେ ଉଭୟ ଟିମ ୪ଟି ଲେଖାଁଏ ମ୍ୟାଚ ଖେଳି ସବୁଥିରେ ବିଜୟ ହାସଲ କରି ଜବରଦସ୍ତ ଫର୍ମରେ ରହିଛନ୍ତି। ତେବେ ଆଜିର ମ୍ୟାଚରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ଜିତି ୨୦୧୯ ବିଶ୍ଵକପର ସେମିଫଇନାଲରେ ପରାଜୟର ଦୃଢ଼ ଜବାବ ଦେବ ବୋଲି ସବୁ ଭାରତୀୟ କ୍ରିକେଟପ୍ରେମୀ ଆଶା ରଖିଛନ୍ତି।

Tags: #ICCCricketWorldCup #IndiavsNewZealand #Cricket #DharmsalaStadium #Sports #ICC

LEAVE A REPLY

Please enter your comment!
Please enter your name here