ଓଡ଼ିଶାଲାଇଭ୍ ବ୍ୟୁରୋ

ଏନସିଇଆରଟି ପୁସ୍ତକରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ରାଷ୍ଟ୍ରୀୟ ଶିକ୍ଷା ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି) ବହିରେ ଏଣିକି ‘ଇଣ୍ଡିଆ’ ବଦଳରେ ‘ଭାରତ’ ଲେଖାଯିବ। ଏଥିପାଇଁ ଏନସିଇଆରଟି ପ୍ୟାନେଲ ସଦସ୍ୟମାନେ ମଞ୍ଜୁରୀ ପ୍ରଦାନ କରିଛନ୍ତି।

କିଛି ଦିନ ପୂର୍ବରୁ ଏନସିଇଆରଟି ପାଠ୍ୟ ପୁସ୍ତକରେ ‘ଇଣ୍ଡିଆ’ ପରିବର୍ତ୍ତେ ‘ଭାରତ’ ଲେଖିବା ପାଇଁ ଏନସିଇଆରଟି ପ୍ୟାନେଲ ପ୍ରସ୍ତାବ ଦେଇଥିଲା। ବୁଧବାର ଦିନ ଏହାର ସଦସ୍ୟମାନେ ଏହି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି।

ଏନସିଇଆରଟି ପ୍ୟାନେଲ ଅଧ୍ୟକ୍ଷ ପ୍ରଫେସର ସିଆଇ ଆଇଜେକଙ୍କ ସୂଚନା ମୁତାବକ ଏନସିଇଆରଟି ପୁସ୍ତକର ପରବର୍ତ୍ତୀ ସେଟ ଗୁଡ଼ିକରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ମୁଦ୍ରଣ କରାଯିବା ପ୍ରସ୍ତାବକୁ ସଦସ୍ୟମାନେ ସର୍ବସମ୍ମତି କ୍ରମେ ମଞ୍ଜୁରୀ ଦେଇଛନ୍ତି। ଏନସିଇଆରଟି ପୁସ୍ତକର ଆଗାମୀ ସେଟରେ ‘ଇଣ୍ଡିଆ’ ସ୍ଥାନରେ ‘ଭାରତ’ ଲେଖାଯିବ।

କାହିଁକି ‘ଇଣ୍ଡିଆ’ ସ୍ଥାନରେ ଲେଖାଯିବ ‘ଭାରତ’?

ଗତ ସେପ୍ଟେମ୍ବର ମାସରେ ଜି-୨୦ ସମ୍ମିଳନୀ ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ନିମନ୍ତ୍ରଣ ପତ୍ର ପଠାଯାଇଥିଲା। ଏହି ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ପରିବର୍ତ୍ତେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ଲେଖାଯାଇଥିଲା। ଏହା ପଛର କାରଣ ପଚରା ଯିବାରୁ କାହା ପାଖରେ ଉତ୍ତର ନଥିଲା। ଏହାକୁ ନେଇ ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଥିଲେ ପାଶ୍ଚାତ୍ୟ ଶାସକମାନେ ‘ଇଣ୍ଡିଆ’ ନା ଦେଇଥିଲେ। ଏଣିକି ଆମକୁ ଭାରତୀୟ ଭାବେ କେବଳ ଭାରତର ନାଁ ହିଁ ବ୍ୟବହାର କରିବା ଦରକାର। କାରଣ ପ୍ରାଚୀନ କାଳରୁ ଆମ ଦେଶର ନାଁ ଭାରତ ହିଁ ରହିଆସିଛି।

ଏହାକୁ କେତେ ଜଣ ସମର୍ଥନ କରିଥିବାବେଳେ କିଛି ବିରୋଧ କରିଥିଲେ। ପରେ ଏନସିଇଆରଟି ନିଜ ବହିରେ ‘ଇଣ୍ଡିଆ’ ସ୍ଥାନରେ ‘ଭାରତ’ ଲେଖିବାକୁ ପ୍ରସ୍ତାବ ଦେଇଥିଲା, ଯାହାକୁ ଏହାର ସଦସ୍ୟମାନେ ମଞ୍ଜୁରୀ ପ୍ରଦାନ କରିଛନ୍ତି।

Tags: #NCERT #Education #Bharat #India #NCERTBook

Comment