ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି କ୍ରିକେଟ ବିଶ୍ଵକପରେ ଆଜି ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ। ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ଟକ୍କର ଦେବାକୁ ପ୍ରସ୍ତୁତ ହୋଇଛି ଟିମ୍ ଇଣ୍ଡିଆ। ଉତ୍ତର ପ୍ରଦେଶର ଲକ୍ଷ୍ନୌସ୍ଥିତ ଏକନା ଷ୍ଟାଡିୟମରେ ଏହି ମ୍ୟାଚକୁ ଉପଭୋଗ କରିବା ପାଇଁ ଭାରତୀୟ କ୍ରିକେଟ ପ୍ରେମୀମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

ଚଳିତ ବିଶ୍ଵକପରେ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ପୂର୍ବ ୫ଟି ମ୍ୟାଚରେ ଯେଉଁ ଅପରାଜୟ ରହିବାର ଧାରା ବନେଇଛି ତାହାକୁ ଲକ୍ଷ୍ନୌରେ ଦୋହରାଇବାକୁ ଲକ୍ଷ୍ୟ ରଖିଛି। ସେହିପରି ଜଶ ବଟଲରଙ୍କ ନେତୃତ୍ୱରେ ଇଂଲଣ୍ଡ ମଧ୍ୟ ଏହି ମ୍ୟାଚରେ କଡ଼ା ପ୍ରତିଦ୍ଵନ୍ଦ୍ଵିତା କରିବ।

ଏହି ବିଶ୍ୱକପରେ ଭଲ ପ୍ରଦର୍ଶନ କରିଥିବା ଭାରତୀୟ ଖେଳାଳି ରୋହିତ ଶର୍ମା, ବିରାଟ କୋହଲୀ, ରବୀନ୍ଦ୍ର ଜାଡେଜା, କେଏଲ ରାହୁଲ, ହାର୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ ଓ ଯଶପ୍ରୀତ ବୁମରାହଙ୍କ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ପ୍ରଦର୍ଶନ ଉପରେ ସମସ୍ତ ନଜର ରହିବ।  

ଅନ୍ୟପଟେ ବେନ ଷ୍ଟୋକ୍ସ, ଜୋ ରୁଟ୍, ଜନି ବ୍ୟାରଷ୍ଟ୍ରୋ, ଡେୱିଡ୍ ମଲାନ ଭଳି ଖେଳାଳିଙ୍କ ବ୍ୟାଟିଂ ଉପରେ ଇଂଲଣ୍ଡ ଦଳ ନିର୍ଭର କରିବ। ସେହପରି ସାମ କରନ, ହ୍ୟାରି ବ୍ରୁକ୍, ଆଦିଲ ରସିଦଙ୍କ ବୋଲିଂକୁ ସାମ୍ନା କରିବା ପାଇଁ ଭାରତୀୟ ଦଳ କେଉଁ ରଣନୀତି ଆପଣାଉଛି ତାହା ଚର୍ଚ୍ଚାର ବିଷୟ ପାଲଟିଛି।

ଚଳିତ ବିଶ୍ଵକପରେ ଭାରତୀୟ ଦଳ ୫ଟି ମ୍ୟାଚ ଖେଳି ସବୁଥିରେ ବିଜୟ ହାସଲ କରି ଜବରଦସ୍ତ ଫର୍ମରେ ରହିଛି। ହେଲେ ଇଂଲଣ୍ଡ ୫ଟିରୁ କେବଳ ଗୋଟିଏ ମ୍ୟାଚ ହିଁ ଜିତିଛି। ଚଳିତ ବିଶ୍ଵକପରେ ଇଂଲଣ୍ଡର ଆଉ ୪ଟି ମ୍ୟାଚ ବାକିଥିବାବେଳେ ଦଳ ଉପରେ ବହୁତ ଚାପ ରହିଛି।

Tags: #ICCCricketWorldCup #IndiavsEngland #Cricket #EkanaStadium #Lucknow #Sports #ICC

LEAVE A REPLY

Please enter your comment!
Please enter your name here