ଓଡ଼ିଶାଲାଇଭ୍ ବ୍ୟୁରୋ

୧୨ ବର୍ଷ ପରେ ପୁଣି ଥରେ ୱାଙ୍ଖଡେ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା।

ଦୀର୍ଘ ୧୨ ବର୍ଷ ପରେ ୱାଙ୍ଖଡେ ଷ୍ଟାଡିୟମରେ ପୁଣି ଥରେ ମୁହାଁମୁହିଁ ହେବେ ଭାରତ ଓ ଶ୍ରୀଲଙ୍କା। ୨୦୧୧ ବିଶ୍ୱକପ ଫାଇନାଲରେ ସମାନ ଷ୍ଟାଡିୟମରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ। ସେତେବେଳେ ଭାରତୀୟ ଦଳ ପାଇଁ ମଙ୍ଗୁଆଳ ସାଜିଥିଲେ ମହେନ୍ଦ୍ର ସିଂ ଧୋନୀ, ଯାହାଙ୍କ ଅବଦାନ ହିଁ ଭାରତକୁ ବିଶ୍ୱ ବିଜୟୀ କରିଥିଲା। ଗୁରୁବାର ପୁଣି ଥରେ ୱାଙ୍ଖଡେରେ ଏକାଠି ହେବେ ଭାରତ-ଶ୍ରୀଲଙ୍କା।

କ୍ରମାଗତ ୬ଟି ବିଜୟ ସହ ଚଳିତ ବିଶ୍ୱକପରେ ଏକମାତ୍ର ଦଳ ଭାବେ ଟିମ ଇଣ୍ଡିଆ ଅପରାଜିତ ରହିଛି। ତେଣୁ ଶ୍ରୀଲଙ୍କା ବିପକ୍ଷରେ ବିଜୟ ହାସଲ କରି ସେମିଫାଇନାଲ ପ୍ରବେଶକୁ ନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ରୋହିତ ବାହିନୀ। ଅନ୍ୟପଟେ ସେମିଫାଇନାଲ ଦୌଡ଼ରେ ରହିବାକୁ ସଂଘର୍ଷ କରୁଛି ଶ୍ରୀଲଙ୍କା। ୬ଟି ମ୍ୟାଚ ଖେଳି ମାତ୍ର ୨ଟି ବିଜୟ ହାସଲ କରିଛି ସିଂହଳୀ ସେନା।

ନିଜ ଖେଳାଳିଙ୍କ ଆତ୍ମବିଶ୍ୱାସ ଓ ଦକ୍ଷତାକୁ ଭରସା କରି ଦଳକୁ ଶାଣିତ କରିଛନ୍ତି ରୋହିତ ଶର୍ମା। ଅଷ୍ଟ୍ରେଲିଆ ବିପକ୍ଷରେ ଚେନ୍ନାଇରେ ୫/୩ ସ୍ଥିତି ହେଉ ଅବା ଇଂଲଣ୍ଡ ବିପକ୍ଷରେ ୨୨୯/୯ରେ ସୀମିତ ରହିବା ଭଳି ପ୍ରତିକୂଳ ପରିସ୍ଥିତି ଭାରତୀୟ ଦଳକୁ ଲକ୍ଷ୍ୟଚ୍ୟୁତ କରିପାରିନି।

ମହମ୍ମଦ ସାମିଙ୍କ ପ୍ରତ୍ୟାବର୍ତ୍ତନ ଭାରତର ବୋଲିଂକୁ ଯେତିକି ଶକ୍ତ କରିଛି ଯଶପ୍ରୀତ ବୁମରାଙ୍କ ଉପସ୍ଥିତି ସେତିକି ଦୃଢ଼ତା ଆଣିଛି। ଦିନିକିଆରେ ଭଲ ପ୍ରଦର୍ଶନ କରି ବିଶ୍ୱକପ ଦଳରେ ସ୍ଥାନ ପାଇଥିବା ଶୁବମନ ଗିଲ ଏବଂ ଶ୍ରେୟସ ଆୟରଙ୍କ ପ୍ରଭାବୀ ପ୍ରଦର୍ଶନ ଦେଖିବାକୁ ମିଳିନି। କିନ୍ତୁ ଦଳ ଉପରେ ଏହାର ବିଶେଷ ପ୍ରଭାବ ପଡ଼ିନି, ବିଜୟ ଧାରା ଜାରି ରହିଛି।  

ରୋହିତ ଶର୍ମା ୩୯୮ ରନ ସହିତ ଭାରତର ଅଗ୍ରଣୀ ରନ ସଂଗ୍ରହକାରୀ ରହିଛନ୍ତି। ଶୀର୍ଷକ୍ରମରେ ବିରାଟ କୋହଲି ଓ କେଏଲ ରାହୁଲ ମଧ୍ୟ ଭଲ ବ୍ୟାଟିଂ କରୁଥିବାରୁ ୱାଙ୍ଖଡେ ଷ୍ଟାଡିୟମରେ କିଛି ସ୍ମରଣୀୟ ଛାପ ଛାଡ଼ିବାର ଆଶା ରହିଛି।

ଅନ୍ୟପଟେ ବିଶ୍ୱକପ ମଇଦାନରେ ସିଂହଳୀ ଦଳର ଯୁବ ଖେଳାଳି କିଛି ବି ଚମତ୍କାର କରିପାରନ୍ତି। ସଦୀରା ସମରବିକ୍ରମା ଗୋଟିଏ ଶତକ ଓ ଅର୍ଦ୍ଧଶତକ ସହ ଦେଶର ଅଗ୍ରଣୀ ରନ ସଂଗ୍ରହକାରୀ ଥିବାବେଳେ ପଥୁମ ନିଶଙ୍କା ଚଳିତ ସଂସ୍କରଣରେ ୪ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହି ଦୁଇ ଖେଳାଳିଙ୍କ ଉପରେ ଦଳ ଭରସା ରଖିବ।

ଶୁବମନ ଗିଲଙ୍କ ପରେ ନିଶଙ୍କା ଚଳିତବର୍ଷ ଦ୍ୱିତୀୟ ଖେଳାଳି ଭାବେ ୧୦୦୦ ଦିନିକିଆ ରନ ପୂର୍ଣ୍ଣ କରିଛନ୍ତି। ସେହିପରି ଅଭିଜ୍ଞ ଆଞ୍ଜେଲୋ ମାଥ୍ୟୁସ ଏବଂ ଅଧିନାୟକ କୁସାଲ ମେଣ୍ଡିଜଙ୍କ ଠାରୁ ଦଳ ବଡ଼ ସ୍କୋରର ଆଶା ରଖିଛି।

Tags: #ICC #WorldCup #Cricket #WankhedeStadium #INDvsSL

Comment