ଓଡ଼ିଶାଲାଇଭ୍ ବ୍ୟୁରୋ

ଜଟଣୀ ବେଣାପଞ୍ଜରୀ ଗାଁର ମେଧାବୀ ଛାତ୍ର ଶୁଭମ ପାଲଟାସିଂଙ୍କ ହତ୍ୟାକୁ ନେଇ ବଢ଼ିବାରେ ଲାଗିଛି ସନ୍ଦେହ, କ’ଣ ରହିଛି ହତ୍ୟା ପଛର କାରଣ?

ଖୋର୍ଦ୍ଧା ଜିଲ୍ଲାରେ ବଢ଼ି ଚାଲିଛି ଅପରାଧ। ଦିନ ଦ୍ଵି’ପ୍ରହରରେ ଘଟୁଛି ହତ୍ୟାକାଣ୍ଡ। ଜଟଣୀର ବେଣାପଞ୍ଜରୀ ଗାଁରେ ବୁଧବାର ଦିନ ଘଟିଯାଇଛି ଏଭଳି ଏକ ଅଭାବନୀୟ କାଣ୍ଡ। ଘରେ ବସି ପାଠ ପଢ଼ୁଥିବା ସମୟରେ ଜଣେ ଛାତ୍ରଙ୍କୁ ଛୁରୀଭୁସି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଉଛନ୍ତି ନବମ ଶ୍ରେଣୀର ଛାତ୍ର ଶୁଭମ ପାଲଟାସିଂ।

କେମିତି ଘଟିଲା ଅଘଟଣ?

ଷଣ୍ଢପୁରୁସ୍ଥିତ ଆଦର୍ଶ ବିଦ୍ୟାୟଳର ନବମ ଶ୍ରେଣୀ ଛାତ୍ର ଥିଲେ ଶୁଭମ ପାଲଟାସିଂ। ପାଠପଢ଼ାରେ ଅନ୍ୟମାନଙ୍କଠାରୁ ଢେର ଆଗରେ ରହୁଥିଲେ ସେ। ଗୁରୁବାର ଦିନ ପରୀକ୍ଷା ଥିବାରୁ ବୁଧବାର ଦିନ ଘରେ ବସି ଶୁଭମ ପାଠପଢ଼ୁଥିଲେ। ହଠାତ୍ ଜଣେ ଯୁବକ ଘରେ ପଶି ଶୁଭମଙ୍କୁ ଛୁରୀ ଭୁସି ଲହୁଲୁହାଣ କରି ଆଖିପିଛୁଳାକେ ଚମ୍ପଟ ମାରିଥିଲେ। ଶୁଭମ ଯନ୍ତ୍ରଣାରେ ଛଟପଟ ହୋଇ ଚିତ୍କାର କରିଥିଲେ। ଚିତ୍କାର ଶୁଣି ପରିବାର ଲୋକେ ଶୁଭମଙ୍କ ପାଖକୁ ଦୌଡ଼ି ଆସିଥିଲେ। ଶୁଭମଙ୍କୁ ଗୁରୁତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ ଜାରି ରଖିଛି ପୋଲିସ।

ଟ୍ୟୁସନ ଟଙ୍କା ପାଇଁ ଶୁଭମଙ୍କୁ ହତ୍ୟା କରାଯାଇଛି – ଡିସିପି

ଶୁଭମଙ୍କୁ କିଏ ଏବଂ କାହିଁକି ହତ୍ୟା କଲା ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିବାବେଳେ ଟ୍ୟୁସନ ଟଙ୍କାକୁ ନେଇ ଶୁଭମଙ୍କୁ ହତ୍ୟା କରାଯାଇଥିବା କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ।

ଏକ ସାମ୍ବାଦିକ ସମ୍ମିଳନୀରେ ଡିସିପି ପ୍ରତୀକ ସିଂ କହିଛନ୍ତି, ମୃତ ଶୁଭମଙ୍କର ବାପା ମନୋଜ ପାଲଟାସିଂ ଟ୍ୟୁସନ କରନ୍ତି। ମନୋଜଙ୍କ ପାଖରେ ଟ୍ୟୁସନ ହେଉଥିବା ଜଣେ ଯୁକ୍ତ ୨ ଛାତ୍ର ଶୁଭମଙ୍କୁ ହତ୍ୟା କରିଛନ୍ତି। ଅଭିଯୁକ୍ତ ୫ ହଜାର ଟଙ୍କା ଟ୍ୟୁସନ ଫି’ ଦେଇନଥିଲେ। ବାକି ଟଙ୍କା ଦେବା ଲାଗି ଅଭିଯୁକ୍ତଙ୍କୁ ବାରମ୍ବାର ମନୋଜ ପାଲଟାସିଂ ଚାପ ପକାଉଥିଲେ, ଯାହାକୁ ନେଇ ଲଜ୍ଜିତ ହେଉଥିଲେ ସମ୍ପୃକ୍ତ ଛାତ୍ର। ପରେ ପ୍ରତିଶୋଧ ପରାୟଣ ସେ ଶୁଭମଙ୍କୁ ହତ୍ୟା କରିଥିଲେ। ଏ ସମ୍ପର୍କରେ ନିଜେ ଅଭିଯୁକ୍ତ ଛାତ୍ର ଜଣକ ପୋଲିସ ଆଗରେ ସ୍ଵୀକାର କରିଥିବା ଡିସିପି କହିଛନ୍ତି।

ସିବିଆଇ ତଦନ୍ତ ଦାବି କଲେ ମୃତକଙ୍କ ବାପା

ଡିସିପିଙ୍କ କଥାକୁ ସମ୍ପୂର୍ଣ୍ଣ ଅସ୍ଵୀକାର କରିଛନ୍ତି ମୃତ ଶୁଭମଙ୍କ ବାପା ମନୋଜ ପାଲଟାସିଂ। ସେ କହିଛନ୍ତି, “ମୁଁ କେବେ ଅଭିଯୁକ୍ତଙ୍କୁ ଟଙ୍କା ମାଗିନାହିଁ। ଟ୍ୟୁସନ ଫି’ ଦେବା ପାଇଁ ମୁଁ କେବେ କାହାକୁ ବାଧ୍ୟ କରିନି। ମୋର କି ମୋ ପୁଅର କାହା ସହିତ କୌଣସି ଶତ୍ରୁତା ନଥିଲା। ଜଣେ ସାମାନ୍ୟ ୩/୪ ହଜାର ଟଙ୍କା ପାଇଁ ହତ୍ୟା କରିଦେବ ମୋର ବିଶ୍ଵାସ ହେଉନାହିଁ। ମୁଁ ଏତିକି ଜାଣିଛି ମୋ ପୁଅ ବହୁତ ଭଲ ପାଠପଢ଼େ। ତାକୁ ହତ୍ୟା କରାଯିବା ପଛରେ ଅନ୍ୟ କିଛି ଉଦ୍ଦେଶ୍ୟ ଥାଇପାରେ। ଏହି ଘଟଣାର ସିବିଆଇ ତଦନ୍ତ କରାଗଲେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ।”

ଏପଟେ ହତ୍ୟା ଅଭିଯୁକ୍ତଙ୍କ ମା’ କହିଛନ୍ତି ତାଙ୍କ ପୁଅକୁ ଟ୍ୟୁସନ ସାର କେବେ ଟଙ୍କା ମାଗି ନାହାନ୍ତି। ତାଙ୍କ ପୁଅ ମିଛ କହୁଛି। ଶୁଭମଙ୍କୁ ହତ୍ୟା କରିବା ପାଇଁ ତାଙ୍କ ପୁଅ ଉପରେ କାହାର ଚାପ ପଡ଼ିଛି। ଶୁଭମ ହତ୍ୟା ଘଟଣାର ସିବିଆଇ ତଦନ୍ତ ହେବା ଆବଶ୍ୟକ ବୋଲି କହିଛନ୍ତି ଅଭିଯୁକ୍ତଙ୍କ ମା’। ସେ କହିଛନ୍ତି ପ୍ରକୃତ ହତ୍ୟାକାରୀ ଦଣ୍ଡ ପାଇବା ଦରକାର, ହତ୍ୟାକାରୀ ତାଙ୍କ ପୁଅ ହୋଇଥିଲେ ବି ତାକୁ ଦଣ୍ଡ ମିଳିବ।

କେବଳ ମୃତ ଶୁଭମଙ୍କ ବାପା ଏବଂ ଅଭିଯୁକ୍ତଙ୍କ ମା’ ନୁହଁନ୍ତି ଅନ୍ୟ କିଛି ଛାତ୍ର ମଧ୍ୟ କହିଛନ୍ତି ଟ୍ୟୁସନ ସାର କାହାରିକୁ ଟଙ୍କା ମାଗନ୍ତି ନାହିଁ। ସେମାନଙ୍କ ପାଖରେ ଏବେ ସୁଦ୍ଧା ଅନେକ ଟଙ୍କା ଟ୍ୟୁସନ ଫି’ ବାବଦକୁ ବାକି ରହିଛି, ସାର କେବେ ସେମାନଙ୍କୁ ଟଙ୍କା ମାଗି ନାହାନ୍ତି। ଶୁଭମଙ୍କୁ ହତ୍ୟା କରାଯିବା ଅପଛରେ ଅନ୍ୟ କିଛି କାରଣ ଥାଇପାରେ।

ମୃକତଙ୍କ ପରିବାର କରିଛନ୍ତି ହୁଏତ ଶୁଭମଙ୍କୁ ହତ୍ୟା କରିବାକୁ ପାଇଁ କେହି ଷଡ଼ଯନ୍ତ୍ର କରିଥାଇପାରେ। ଏହି ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ଏବେ ବିଭିନ୍ନ ମହଲରୁ ଦାବି ଆରମ୍ଭ ହୋଇଛି। ସମୟ ଗଡ଼ିବା ସହ ଶୁଭମଙ୍କ ହତ୍ୟା ମାମଲାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ଟ୍ୟୁସନ ଟଙ୍କା ନା ଅନ୍ୟ କୌଣସି କାରଣକୁ ନେଇ  ଶୁଭମଙ୍କୁ ହତ୍ୟା କରାଯାଇଛି ସେ ପ୍ରଶ୍ନ ଉପରେ ଅଟକିଛି ସମସ୍ତଙ୍କ ନଜର।

Tags: #ShuvamMurderCase #PoliceInvestigation #Jatni #Khordha #ShuvamPaltasingh #Crime

Comment