ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରରେ ରେଞ୍ଜ ରୋଭର ଗାଡ଼ି ଧକ୍କାରେ ଗୁରୁତର ଆହତ ହୋଇ ୩ ଦିନ ହେଲା ଚିକିତ୍ସିତ ହେଉଥିବା ଯୁବତୀଙ୍କର ଶୁକ୍ରବାର ଦିନ ମୃତ୍ୟୁ ହୋଇଛି। ମୃତ ଯୁବତୀ ହେଉଛନ୍ତି ଲୋପାମୁଦ୍ରା ସାହୁ। ସେ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।

ଗତ ଅକ୍ଟୋବର ୩୧ ତାରିଖରେ ଏକ ବ୍ଲାକ ରେଞ୍ଜ ରୋଭର ଧକ୍କାରେ ଜଣେ ଅବସରପ୍ରାପ୍ତ ସିଆରପିଏଫ ଯବାନ କାହ୍ନୁଚରଣ ନାୟକ ଏବଂ ଲୋପାମୁଦ୍ରା ସାହୁ ଗୁରୁତର ଭାବେ ଆହତ ହୋଇଥିଲେ। ଉଭୟଙ୍କୁ ଗୁରୁତର ଭାବେ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

କାହ୍ନୁଚରଣ ନାୟକ ଭୁବନେଶ୍ଵରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଲୋପାମୁତ୍ରା କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଆଇସିୟୁ ବେଡରେ ଆଜି ଲୋପାମୁଦ୍ରାଙ୍କର ମୃତ୍ୟୁ ହୋଇଛି। ସେପେଟେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି କାହ୍ନୁଚରଣ ନାୟକ।

ଦୁର୍ଘଟଣା ଘଟାଇଥିବା ରେଞ୍ଜ ରୋଭର ଗାଡ଼ିଟି ଏକ ଘରୋଇ କମ୍ପାନି ନାଁରେ ରହିଛି। ସମ୍ପୃକ୍ତ କମ୍ପାନିଟିର ନିର୍ଦ୍ଦେଶକ ହେଉଛନ୍ତି ଦିବଙ୍ଗତ ମନ୍ତ୍ରୀ ନବକିଶୋର ଦାସଙ୍କ ପୁଅ ବିଶାଳ ଦାସ।

ଦୁର୍ଘଟଣା ଏତେ ଜୋରଦାର ଥିଲା ଯେ, କାର୍ ଆଗ ଦୁଇ ସିଟ୍ ସମ୍ମୁଖରେ ରହିଥିବା ବେଲୁନ ଦୁଇଟି ଫାଟି ଯାଇଛି। ଏହି ଘଟଣାରେ ପୋଲିସ ଗାଡ଼ିର ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦୁଇଟି ବେଲୁନ ଫାଟିଥିବାରୁ ଡ୍ରାଇଭରଙ୍କ ସହ ଗାଡ଼ିରେ ଅନ୍ୟ ଜଣେ କେହି ଉପସ୍ଥିତ ଥିବା ଅନୁମାନ କରାଯାଉଛି। କିନ୍ତୁ ସେ ବ୍ୟକ୍ତି ଜଣକ କିଏ ତାହା ସ୍ପଷ୍ଟ ହୋଇନାହିଁ।

 Tags: #Bhubaneswar #RangeRover #Accident #Death #Police investigation #Odisha

Comment