ଓଡ଼ିଶାଲାଇଭ୍ ବ୍ୟୁରୋ

  • ଆଇସିସି ବିଶ୍ୱକପରେ ଆଫଗାନିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆର ଆକର୍ଷଣୀୟ ବିଜୟ
  • ମ୍ୟାଚର ନାୟକ ସାଜି ଅଷ୍ଟ୍ରେଲିଆକୁ ଏକାକୀ ଜିତାଇଲେ ଗ୍ଲେନ ମ୍ୟାକ୍ସୱେଲ
  • ଦ୍ଵିତୀୟ ଇନିଂସରେ ଦ୍ଵିଶତକ କରିଥିବା ପ୍ରଥମ ଖେଳାଳି ଭାବେ ରଚିଲେ ଇତିହାସ    

ଆଇସିସି କ୍ରିକେଟ ବିଶ୍ଵକପରେ ନୂଆ ଇତିହାସ ସୃଷ୍ଟି କରିଛି ଅଷ୍ଟ୍ରେଲିଆ। ମଙ୍ଗଳବାର ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଦଳ ଆଫଗାନିସ୍ତାନକୁ ପରାସ୍ତ କରି କ୍ରିକେଟ ଇତିହାସରେ ଏକ ଅବିଶ୍ଵସନୀୟ ବିଜୟ ହାସଲ କରିଛି। ଏହି ମ୍ୟାଚର ନାୟକ ସାଜିଥିଲେ ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍ସୱେଲ। ମ୍ୟାଚରେ ତାଙ୍କର ୨୦୧ ରନର ଇନିଂସ୍ କ୍ରିକେଟ ଜଗତରେ ପୂର୍ବେ ହୋଇଥିବା ଅନ୍ୟ ବଡ଼ ବଡ଼ ଇନିଂସକୁ ପଛରେ ପକାଇ ଦେଇଛି।

ମଙ୍ଗଳବାର ମ୍ୟାଚରେ ଆଫଗାନିସ୍ତାନ ରଖିଥିବା ୨୯୨ ରନ ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା। ଆଫଗାନି ବୋଲରମାନଙ୍କ ଘାତକ ବୋଲିଂ ଆଗରେ ଗୋଟିଏ ପରେ ଗୋଟିଏ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଆଉଟ୍ ହେବାରେ ଲାଗିଲେ।

ଏକଦା ଅଷ୍ଟ୍ରେଲିଆର ୯୨ ରନରେ ୭ଟି ୱିକେଟ ଯିବାପରେ ଆଫଗାନିସ୍ତାନର ବିଜୟ ପକ୍କା ମନେ ହେଉଥିଲା। ହେଲେ ଆଫଗାନିସ୍ତାନ ଓ ବିଜୟ ମଝିରେ ଠିଆ ହୋଇଥିଲେ ଗ୍ଲେନ ମ୍ୟାକ୍ସୱେଲ। ଆରମ୍ଭରୁ ସେ ଧର୍ଯ୍ୟର ସହ ଇନିଂସ୍ ଆରମ୍ଭ କରିଥିବାବେଳେ ପରେ ଆଫଗାନି ବୋଲରଙ୍କ ବଲକୁ ନିସ୍ତୁକ ପ୍ରହାର କରି ଏକାକୀ ସେମାନଙ୍କ ନିକଟରୁ ବିଜୟ ଛଡ଼ାଇ ଆଣିଥିଲେ।

ଏହି ଇନିଂସରେ ମ୍ୟାକ୍ସୱେଲଙ୍କ ଉପରେ ବହୁତ ଚାପ ରହିଥିଲା। ଏହାସହ ତାଙ୍କ ଗୋଡ଼ ମାଂସପେଶୀରେ ଯନ୍ତ୍ରଣା କାରଣରୁ ସେ ଠିକରେ ଦୌଡ଼ି ମଧ୍ୟ ପାରୁନଥିଲେ। ହେଲେ ସେ କ୍ରିଜରେ ବିନା ଫୁଟୱର୍କରେ ମାରି ଚାଲିଥିଲେ ଛକା ଆଉ ଚୌକା। ଏହି ଇନିଂସରେ ତାଙ୍କୁ ମିଳିଥିବା ୨ଟି ଜୀବନଦାନ ଅଷ୍ଟ୍ରେଲିଆକୁ ବିଜୟୀ କରିବାରେ ବହୁତ ସହାୟକ ହେଲା।

ଅନ୍ୟପଟେ ମ୍ୟାକ୍ସୱେଲଙ୍କ ସହ ଖେଳୁଥିବା ଅଧିନାୟକ ପ୍ୟାଟ୍ କମିନ୍ସ ତାଙ୍କୁ ବହୁତ ଉତ୍ସାହିତ କରିଥିଲେ। ଉଭୟ ଅଷ୍ଟମ ୱିକେଟ ପାଇଁ ୨୦୨ ରନର ପାର୍ଟନରସିପ କରି ନୂଆ ବିଶ୍ଵ ରେକର୍ଡ ମଧ୍ୟ ସ୍ଥାପନ କରିଛନ୍ତି। ଏହି ବିଜୟ ଅଷ୍ଟ୍ରେଲିଆକୁ ଚଳିତ ବିଶ୍ଵକପର ସେମିଫଇନାଲରେ ପ୍ରବେଶ କରାଇଛି।  

ପୂର୍ବେ ଦିନିକିଆ କ୍ରିକେଟରେ ଅନେକ ଦ୍ଵିଶତକୀୟ ଇନିଂସ୍ ଦେଖିବାକୁ ମିଳିଛି। ହେଲେ ଏକ ଲକ୍ଷ୍ୟକୁ ପିଛା କରି ଗ୍ଲେନ ମ୍ୟାକ୍ସୱେଲ ହାସଲ କରିଥିବା ଏହି ଦ୍ଵିଶତକ କ୍ରିକେଟ ଜଗତରେ ପ୍ରଥମ। ତାଙ୍କ ଇନିଂସ୍ ୧୯୮୩ ମସିହା ବିଶ୍ୱକପରେ ଭାରତୀୟ ଅଧିନାୟକ କପିଳ ଦେବଙ୍କ ୧୭୫ ରନର ଅପରାଜେୟ ଇନିଂସର ସ୍ମୃତିକୁ ପୁଣିଥରେ ତାଜା କରିଦେଇଛି।

୧୯୮୩ ମସିହା ବିଶ୍ୱକପରେ ଜିମ୍ବାୱେ ବିପକ୍ଷରେ କପିଳ ଦେବଙ୍କ ସେହି ଇନିଂସ୍ ଭାରତକୁ କେବଳ ମ୍ୟାଚ ନୁହେଁ ବରଂ ବିଶ୍ଵ ବିଜୟୀ କରିବାରେ ବହୁତ ସହାୟକ ହୋଇଥିଲା। ଏହାର ଚର୍ଚ୍ଚା ଆଜି ବି କ୍ରିକେଟ ଜଗତରେ ହୋଇଥାଏ। ଏବେ ଗ୍ଲେନ ମ୍ୟାକ୍ସୱେଲ ଯେଉଁ ଇନିଂସ ଖେଳିଲେ ତାହା କ୍ରିକେଟପ୍ରେମୀଙ୍କ ମନରେ ସର୍ବଦା ସ୍ମରଣୀୟ ହୋଇ ରହିବ।   

Tags: #ICCCricketWorldCup #AustraliavsAfghanistan #GlennMaxwell #GreatInnings #Cricket #Sports

Comment