ଓଡ଼ିଶାଲାଇଭ୍ ବ୍ୟୁରୋ

(ଫୁଲବାଣୀରୁ ସଦାଶିବ ପାତ୍ର): ଛତୁଆ ବିଲ୍ କରାଇଦେବାକୁ ଲାଞ୍ଚ ନେଇ ଧରାପଡ଼ିଥିବା ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ତତ୍କାଳୀନ ସିଡିପିଓ ଯଶୋବନ୍ତୀ ବେହେରାଙ୍କୁ ୪ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି ଫୁଲବାଣୀ ସ୍ଵତନ୍ତ୍ର ଭିଜିଲାନ୍ସ ଅଦାଲତ। ଏହାସହ ୧୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦିଆଯାଇଛି। ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ ରହିଛି।

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଆମ୍ବଗାଁର ମା’ ଭୈରବୀ ସ୍ଵୟଂ ସହାୟକ ଗୋଷ୍ଠୀ ଛତୁଆ ପ୍ରସ୍ତୁତ କରି ବିଭିନ୍ନ ପଞ୍ଚାୟତକୁ ଯୋଗାଉଥିଲେ। ୨୦୧୬ ମସିହା ନଭେମ୍ବର ଓ ଡିସେମ୍ବର ମାସର ଛତୁଆ ବିଲ୍ ବାବଦକୁ ସେମାନେ  ସିଡିପିଓଙ୍କ କାର୍ଯ୍ୟାଳୟରୁ ଟଙ୍କା ପାଇବାର ଥିଲା। ଏହି ବିଲ୍ କରାଇଦେବା ଲାଗି ମା’ ଭୈରବୀ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ତତ୍କାଳୀନ ସିଡିପିଓ ଯଶୋବନ୍ତୀଙ୍କ ନିକଟକୁ ଯାଇଥିଲେ। କିନ୍ତୁ ବିଲ୍ କରିଦେବା ପାଇଁ ଯଶୋବନ୍ତୀ ୨୦ ହଜାର ଟଙ୍କା ମାଗିଥିଲେ।

ଏ ସମ୍ପର୍କରେ ମା’ ଭୈରବୀ ସ୍ଵୟଂ ସହାୟକ ଗୋଷ୍ଠୀର ସମ୍ପାଦିକା ଶୈଳବାଳା ଦାଶ ୨୦୧୭ ମସିହା ଜାନୁଆରି ୧୧ ତାରିଖରେ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗର ଗୋଟିଏ ଦିନ ପରେ ଜାନୁଆରି ୧୨ ତାରିଖ ଦିନ ସିଡିପିଓ ଯଶୋବନ୍ତୀ ନିଜ କାର୍ଯ୍ୟାଳୟରେ ଶୈଳବାଳା ଦାଶଙ୍କଠାରୁ ୨୦ ହଜାର ଟଙ୍କା ନେଉଥିବା ସମୟରେ ସେଠାରେ ପୂର୍ବରୁ ପ୍ରସ୍ତୁତ ରହିଥିବା ଭିଜିଲାନ୍ସ ବିଭାଗ ଅଧିକାରୀ ତାଙ୍କୁ କାବୁ କରିଥିଲେ।

ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ୬/୨୦୧୭ ରେ ଏକ ମାମଲା ରୁଜୁ ହୋଇ ତଦନ୍ତ କରାଯାଇଥିଲା। ଶୁକ୍ରବାର ଦିନ ଏହି ମାମଲାର ବିଚାର କରି ଫୁଲବାଣୀ ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ସମର ବିଳାସ ବେହେରା ୭ ଜଣ ସାକ୍ଷୀଙ୍କ ବୟାନ ଓ ଅନ୍ୟ ତଥ୍ୟ ପ୍ରମାଣ ଆଧାରରେ ଯଶୋବନ୍ତୀ ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୪ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।  

Tags: #Bribecase #JailtoFormerCDPO #ChhatuaBill #VigilanceCourt #Boudh

LEAVE A REPLY

Please enter your comment!
Please enter your name here