ଓଡ଼ିଶାଲାଇଭ୍ ବ୍ୟୁରୋ

କେତେ ଖୁସିରେ ବାହାରିଥିଲେ ମା’ ତାରିଣୀଙ୍କ ଦର୍ଶନ କରିବାକୁ, ହେଲେ କିଏ ଜାଣିଥିଲା ବାଟରେ ଛକି ବସିଥିବ ଯମ। ମା’ଙ୍କ ପାଖରେ ପହଞ୍ଚିବା ପୂର୍ବରୁ ଚାଲି ଗଲା ୮ ଜଣଙ୍କର ଜୀବନ। ଶୁକ୍ରବାର ସକାଳୁ ସକାଳୁ ଏଭଳି ଦୁଃଖ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାଲିଯୋଡ଼ି ନିକଟ ଜାତୀୟ ରାଜପଥରେ।

ପ୍ରାୟ ୧୮ ଜଣ ଯାତ୍ରୀଙ୍କୁ ଧରି ଆସୁଥିବା ଗୋଟିଏ ଭ୍ୟାନ ଦୁର୍ଘଟଣା ଗ୍ରସ୍ତ ହେବାରୁ ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ୮ ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୃତକମାନେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପୋଡ଼ାମାରି ଏବଂ ବତାଗଡ଼ା ଗାଁର ବୋଲି ଜଣାପଡ଼ିଛି।

ଦିଗପହଣ୍ଡିରୁ ଏକ ଭ୍ୟାନରେ ବସି ଦୁଇଟି ପରିବାରର ୧୮ ଜଣ ସଦସ୍ୟ ଘଟଗାଁ ମା’ ତାରିଣୀଙ୍କ ଦର୍ଶନ କରିବାକୁ ଗୁରୁବାର ରାତିରେ କେନ୍ଦୁଝର ଅଭିମୁଖେ ବାହାରି ଥିଲେ। ଶୁକ୍ରବାର ସକାଳ ପ୍ରାୟ ୫ଟା ସମୟରେ ମା’ ତାରିଣୀଙ୍କ ମନ୍ଦିରଠାରୁ ମାତ୍ର ୩ କିଲୋମିଟର ଦୂରରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ଧକ୍କା ଦେଇଥିଲା ଭ୍ୟାନ। ଦୁର୍ଘଣା ଏତେ ଭୟଙ୍କର ଥିଲା ଯେ, କିଏ କୁଆଡ଼େ ଛିଟିକି ପଡ଼ିଥିଲେ।

ଘଟଣାସ୍ଥଳରେ ୮ ଜଣଙ୍କର ଜୀବନ ଚାଲିଯାଇଥିଲା। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ରହିଛନ୍ତି। ଖବର ପାଇଁ ପୋଲିସ ସ୍ଥାନୀୟ ଲୋକଙ୍କ ସହୟତାରେ ଉଦ୍ଧାର କାର୍ଯ୍ୟ କରିଥିଲା। ମୃତକମାନଙ୍କ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନକୁ ପଠାଯାଇଛି।

ମୃତକଙ୍କ ପରିବାର ପାଇଁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ରାଜ୍ୟ ସରକାର

ସଡ଼କ ଦୁର୍ଘଟଣାରେ ୮ ଜଣ ପ୍ରାଣ ହରାଇଥିବା ଖବର ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଦେବାକୁ ମୁଖ୍ୟମନ୍ତ୍ରୀ ନର୍ଦ୍ଦେଶ ଦେଇଛନ୍ତି।

Tags: #Accident #RoadAccident #Death #Ghatagaon #Kendujhar #Ganjam #Odisha

Comment