ଓଡ଼ିଶାଲାଇଭ୍ ବ୍ୟୁରୋ

ଭୀଷଣ ବାତ୍ୟାରେ ପରିଣତ ହେଲା ବାତ୍ୟା ‘ମିଗଜୋମ’। ବଙ୍ଗୋପସାଗରେ ସକ୍ରିୟ ରହିଥିବା ବାତ୍ୟା ‘ମିଗଜୋମ’ ସୋମବାର ଦିନ ଭୀଷଣ ବାତ୍ୟାର ରୂପ ନେଇଛି।

ଘଣ୍ଟା ପ୍ରତି ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ୮ କିଲୋମିଟର ବେଗରେ ଗତି କୁରୁଛି ‘ମିଗଜୋମ’। ମଙ୍ଗଳବାର ଦିନ ଆନ୍ଧ୍ର ଉପକୂଳରେ ବାତ୍ୟା ‘ମିଗଜୋମ’ ଲ୍ୟାଣ୍ଡଫଲ କରିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଏହି ବାତ୍ୟା ଆନ୍ଧ୍ରପ୍ରଦେଶର ନେଲୋର ଏବଂ ମଛଲିପଟନମ ମଝିରେ ସ୍ଥଳ ଭାଗକୁ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ସର୍ବାଧିକ ୧୧୦ କିଲୋମିଟର ରହିବ। ବାତ୍ୟା ଓଡ଼ିଶା ନିକଟତର ହେବା ବେଳକୁ ଦୁର୍ବଳ ହୋଇସାରିଥିବ। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବା  ନେଇ ଆକଳନ କରିଛି ପାଣିପାଗ ବିଭାଗ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରିରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହିପରି ଡିସେମ୍ବର ୫ରୁ ୬ ତାରିଖ ମଧ୍ୟରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏହା ସହ କନ୍ଧମାଳ, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ଡିସେମ୍ବର ୬ରୁ ୭ ତାରିଖ ମଧ୍ୟରେ ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧାମାଳ, କୋରାପୁଟ ଏବଂ ମାଲକାନଗିର ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ବାତ୍ୟା ପୂର୍ବରୁ ତାମିଲନାଡ଼ୁରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଚେନ୍ନାଇରେ ରବିବାର ରାତିରୁ ପବନର ବେଗ ବଢ଼ିବା ସହ ଲଗାଣ ବର୍ଷା ଜାରି ରହିଛି। ତଳିଆ ଅଞ୍ଚଳଗୁଡ଼ିକ କୃତ୍ରିମ ହ୍ରଦରେ ପରିଣତ ହୋଇଛି। ବିଭିନ୍ନ ସ୍ଥାନରେ ପାଣି ଜମି ରହିବାରୁ ଯାତାୟତ ଏକ ପ୍ରକାର ଠପ୍ ହୋଇଯାଇଛି। କେତେକ ସ୍ଥାନରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। ବାତ୍ୟା ସମ୍ଭାବନା ପାଇଁ ତାମିଲନାଡ଼ୁ, ପୁଡ଼ୁଚେରି ଏବଂ ଆନ୍ଧ୍ରପ୍ରଦେଶର କେତେକ ଜିଲ୍ଲାରେ ଛୁଟି ଘୋଷଣା କରାଯାଇଛି।

Tags: #Cyclone #Weather #WeatherUpdates #MICHAUNG #MIGJAUM

LEAVE A REPLY

Please enter your comment!
Please enter your name here