ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ନିଜ ଅଞ୍ଚଳରେ କାମଧନ୍ଧା ନପାଇ ଅନେକ ଯୁବକଯୁବତୀ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥାନ୍ତି। କେତେବେଳେ ଅସୁସ୍ଥତା କାରଣରୁ ତ ଆଉ କେତେବେଳେ କାମ କରୁଥିବା କମ୍ପାନିର ଅବହେଳା କାରଣରୁ ଶ୍ରମିକମାନେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଏହିଭଳି ଏକ ଅଭାବନୀୟ ଘଟଣା ଆସିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ପଞ୍ଚାୟତର ମକାପଦର ଗାଁରୁ।

ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶକୁ ଯାଇଥିବା ମକାପଦର ଗାଁର ନାବାଳକ ରଙ୍ଗାଧର ମାଝି ଏବଂ ତାଙ୍କ ବଡ଼ ଭାଇ ମହେଶ୍ୱର ମାଝି ଅସୁସ୍ଥ ହୋଇ ଗାଁକୁ ଫେରିବା ପରେ ଡାକ୍ତରଖାନାରେ ସେମାନଙ୍କର ମୃତ୍ୟୁ ହୋଇଛି। କମ୍ପାନି ମାଲିକଙ୍କ ଅବହେଳା କାରଣରୁ ଦୁଇ ଭାଇଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ମକାପଦର ଗ୍ରାମର ରଙ୍ଗାଧର ମାଝି ଏବଂ ତାଙ୍କ ବଡ଼ ଭାଇ ମହେଶ୍ୱର ମାଝି ୪ ମାସ ତଳେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲ୍ଲା ପାଲମନପେଟାଠାରେ ଥିବା ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିକୁ କାମ କରିବାକୁ ଯାଇଥିଲେ। ସେଠାରେ କାମ କରିବା ସମୟରେ ଗତ ନଭେମ୍ବର ମାସରେ ରଙ୍ଗାଧରଙ୍କୁ ଜ୍ୱର ହୋଇଥିଲା। ଏ ସମ୍ପର୍କରେ ଜଣାଇଥିଲେ ମଧ୍ୟ ଫ୍ୟାକ୍ଟ୍ରିମାଲିକ ତାଙ୍କ କଥାକୁ ଗୁରୁତ୍ଵ ଦେଇନଥିଲେ। ଅସୁସ୍ଥ ଥାଇ ମଧ୍ୟ ସେ କାମ କରୁଥିଲେ।

ସାନ ଭାଇ ରଙ୍ଗାଧରଙ୍କୁ ଜ୍ୱର ହେବା ପରେ ମହେଶ୍ୱର ମଧ୍ୟ ଜ୍ୱରରେ ପୀଡ଼ିତ ହୋଇଥିଲେ। ଚିକିତ୍ସା ଅଭାବ ସାଙ୍ଗକୁ ବିଶ୍ରାମ ନନେଇ କାମକୁ ଯାଉଥିବାରୁ ଉଭୟଙ୍କର ସ୍ଵାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯାଇଥିଲା। ପରିସ୍ଥିତି ଅସହ୍ୟ ହେବାରୁ ମହେଶ୍ୱର ଏବଂ ରଙ୍ଗାଧର କାହାକୁ କିଛି ନକହି ଶନିବାର ଦିନ ଲୁଚି ଘରକୁ ପଳାଇଆସିଥିଲେ।

ମହେଶ୍ୱର ଓ ରଙ୍ଗାଧରଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଦିନ ରଙ୍ଗାଧରଙ୍କର ମୃତ୍ୟୁ ହୋଇଥିଲା। ସୋମବାର ମହେଶ୍ୱରଙ୍କୁ ମଧ୍ୟ ମୃତ ଘୋଷଣା କରିଥିଲେ ଡାକ୍ତର।

ଘରର ଦୁଇ ପୁଅଙ୍କ ଅକାଳ ବିୟୋଗରେ ଭାଙ୍ଗି ପଡ଼ିଛନ୍ତି ବାପା ମା’। ଉଭୟଙ୍କ ମୃତ୍ୟୁ ପରେ ସେମାନେ କାମ କରୁଥିବା ଫ୍ୟାକ୍ଟ୍ରିର ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ମୃତକଙ୍କ ପରିବାର ଲୋକ।

Tags: #Rayagada #Migrant #Death #AndhraPradesh

Comment