ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଲାରିପାଲି ଗାଁ ନିକଟ ଜଙ୍ଗଲରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମଙ୍ଗଳବାର ଅପରାହ୍ଣରେ ଏଠାରେ ଏକ ପରିତ୍ୟକ୍ତ ବୋରୱେଲ ଭିତରେ ନବଜାତ ଶିଶୁ ପଡ଼ିଯାଇଛି। ବୋରୱେଲ ଭିତରୁ ଶିଶୁର କାନ୍ଦ ଶୁଣାଯାଉଛି। ଶିଶୁଟିକୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀ ଅଭିଯାନ ଆରମ୍ଭ କରିଛି।

ଶିଶୁଟି ବୋରୱେଲରେ ୨୦ ଫୁଟ ତଳେ ଫସି ରହିଛି। ତେବେ ଅଗ୍ନିଶମ ବାହିନୀ ପକ୍ଷରୁ ଉକ୍ତ ବୋରୱେଲର ସାମନ୍ତରାଳ ଆଉ ଏକ ଗତ ଖୋଳାଯାଉଛି। ଏହା ମାଧ୍ୟମରେ ଶିଶୁଟିକୁ ଉଦ୍ଧାର କରାଯିବ। ତେବେ ବୋରୱେଲରେ ଶିଶୁ ନିକଟକୁ ପାଇପ ଦ୍ଵାରା ଅକ୍ସିଜେନ ପହଞ୍ଚାଯାଉଛି।

ମଙ୍ଗଳବାର ଅପରାହ୍ଣରେ ଲାରିପାଲିସ୍ଥିତ ଜଙ୍ଗଲକୁ କିଛି ଲୋକ ଯାଇଥିଲେ। ଜଙ୍ଗଲ ଭିତରେ ଥିବା ପରିତ୍ୟକ୍ତ ବୋରୱେଲରୁ ଏକ ଶିଶୁର କାନ୍ଦ ସେମାନେ ଶୁଣିବାକୁ ପାଇଥିଲେ। ଏନେଇ ସେମାନେ ସ୍ଥାନୀୟ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ପରେ ଏହି ସୂଚନା ପୋଲିସ ଓ ଅଗ୍ନିଶମ ବାହିନୀଙ୍କୁ ଦିଆଯାଇଥିଲା।

ସୂଚନା ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଥିଲେ। ସେମାନେ ଏବେ ଶିଶୁଟିକୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ତେବେ ଶିଶୁଟିକୁ କେହି ଆଣି ବୋରୱେଲରେ ପକାଇଦେଇଥିବା ସନ୍ଦେହ କରାଯାଉଛି।

Tags: #BorewellMishap #Baby #RescueWork #Rengali #Sambalpur

Comment