ଓଡ଼ିଶାଲାଇଭ୍ ବ୍ୟୁରୋ

ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବୁଧବାର ଶପଥଗ୍ରହଣ କରିବେ ନୂଆ ମୁଖ୍ୟମନ୍ତ୍ରୀ। ଏହି ଦୁଇ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିପାଇଁ ଉଭୟ ଭୋପାଳ ଓ ରାୟପୁରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ବୁଧବାର ଦିନ ସାଢେ ୧୧ଟା ବେଳେ ପ୍ରଧାନମନ୍ତ୍ରୀ ଭୋପାଳରେ ପହଞ୍ଚିବେ। ସେଠାରେ ସେ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେବାକୁଥିବା ମୋହନ ଯାଦବଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ।

ଏହାପରେ ବୁଧବାର ଅପରାହ୍ଣ ୪ଟା ବେଳେ ରାୟପୁରରେ ପ୍ରଧାନମନ୍ତ୍ରୀଙ୍କ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ରାୟପୁରର ସାଇନ୍ସ କଲେଜ ପଡ଼ିଆରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ହେବାକୁଥିବା ବିଷ୍ଣୁଦେଓ ସାଏଙ୍କ ଶପଥ ଗ୍ରହଣ ଉତ୍ସବରେ ସେ ଯୋଗ ଦେବେ।

ଛତିଶଗଡ଼ରେ କଂଗ୍ରେସକୁ ହଟାଇ ବିଜେପି କ୍ଷମତାକୁ ଫେରିବା ପରେ ବିଷ୍ଣୁଦେଓ ସାଏଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛି। ଏନେଇ ଗତ ରବିବାର ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଥିଲା।

ସେହିପରି ସୋମବାର ମଧ୍ୟପ୍ରଦେଶରେ ବିଜେପି ବିଧାୟକ ଦଳର ବୈଠକରେ ମୋହନ ଯାଦବଙ୍କୁ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ହେଲେ ରାଜସ୍ଥାନରେ କିଏ ମୁଖ୍ୟମନ୍ତ୍ରୀ ହେବ ସେ ନେଇ ଏ ଯାଏଁ ଚିତ୍ର ସ୍ପଷ୍ଟ ହୋଇନାହିଁ। ମଙ୍ଗଳବାର ରାଜସ୍ଥାନରେ ବସୁଥିବା ବିଜେପି ବିଧାୟକ ଦଳର ବୈଠକରେ ଏ ନେଇ ନିଷ୍ପତ୍ତି ହେବାର ସମ୍ଭାବନା ରହିଛି।

Tags: #Swearing-in-Ceremony #NewCM #PrimeMinister #MadhyaPradesh #Chhattisgarh #BJP

Comment