ଓଡ଼ିଶାଲାଇଭ୍ ବ୍ୟୁରୋ

୬ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ବୋରୱେଲରୁ ଉଦ୍ଧାର ହେଲା ନବଜାତ ଶିଶୁ। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଲାରିପାଲି ଗାଁ ନିକଟ ଜଙ୍ଗଲରେ ଥିବା ପରିତ୍ୟକ୍ତ ବୋରୱେଲରୁ ଶିଶୁଟିକୁ ଉଦ୍ଧାର କରିଛନ୍ତି ଓଡ୍ରାଫ୍‌ ଓ ଅଗ୍ନିଶମ ବାହିନୀ। ଶିଶୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବାପରେ ବୁର୍ଲା ମେଡିକାଲକୁ ନିଆଯାଇଛି।

ଶିଶୁଟି ବୋରୱେଲରେ ୨୦ ଫୁଟ ତଳେ ଫସି ରହିଥିଲା। ତେବେ ଅଗ୍ନିଶମ ବାହିନୀ ପକ୍ଷରୁ ଉକ୍ତ ବୋରୱେଲର ସାମନ୍ତରାଳ ଆଉ ଏକ ଗତ ଖୋଳାଯାଇଥିଲା। ସବୁଠାରୁ ବଡ଼ କଥା ବୋରୱେଲରେ ପୂର୍ବରୁ ଫସିଥିବା ଏକ ପ୍ଲାଷ୍ଟିକ ବୋତଲ ଯୋଗୁଁ ଶିଶୁଟି ଅଧିକ ତଳକୁ ଖସିନଥିଲା।

ସେହିପରି ଶିଶୁକୁ ବଞ୍ଚାଇବା ରଖିବା ପାଇଁ ବୋରୱେଲ ଭିତରକୁ ଅକ୍ସିଜେନ ପହଞ୍ଚା ଯାଇଥିଲା। ଶିଶୁର ଅବସ୍ଥା ସମ୍ପର୍କରେ ଜାଣିବା ପାଇଁ ଭିକ୍ଟିମ୍‌ ଲୋକେସନ୍‌ କ୍ୟାମେରା ଅଣାଯାଇ ବ୍ୟବହାର କରାଯାଇଥିଲା। ଶେଷରେ ବୋରୱେଲର ଲୁହା ପାଇପ୍ କାଟି ଶିଶୁକୁ ଉଦ୍ଧାର କରାଯାଇଥିଲା।

ଉଦ୍ଧାର କାର୍ଯ୍ୟ ସଫଳ ରହିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଖୁସିବ୍ୟକ୍ତ କରିଛନ୍ତି। ଏହି ଅଭିଯାନରେ ସାମିଲ ଥିବା ଓଡ୍ରାଫ୍, ଅଗ୍ନିଶମ ବିଭାଗ, ଜିଲ୍ଲା ପ୍ରଶାସନକୁ ସେମାନେ କୃତଜ୍ଞତା ଜ୍ଞାପନ କରିଛନ୍ତି।

ମଙ୍ଗଳବାର ଅପରାହ୍ଣରେ ଲାରିପାଲିସ୍ଥିତ ଜଙ୍ଗଲକୁ କିଛି ଲୋକ ଯାଇଥିଲେ। ଜଙ୍ଗଲ ଭିତରେ ଥିବା ପରିତ୍ୟକ୍ତ ବୋରୱେଲରୁ ଏକ ଶିଶୁର କାନ୍ଦ ସେମାନେ ଶୁଣିବାକୁ ପାଇଥିଲେ। ଏନେଇ ସେମାନେ ସ୍ଥାନୀୟ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ପରେ ଏହି ସୂଚନା ପୋଲିସ ଓ ଅଗ୍ନିଶମବାହିନୀଙ୍କୁ ଦିଆଯାଇଥିଲା।

ସୂଚନା ପାଇ ଅଗ୍ନିଶମବାହିନୀ ଓ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଥିଲେ। ତେବେ ଶିଶୁଟିକୁ କେହି ଆଣି ବୋରୱେଲରେ ପକାଇଦେଇଥିବା ସନ୍ଦେହ କରାଯାଉଛି।

Tags: #BorewellMishap #Baby #RescueWork #Rengali #Sambalpur

Comment