ଓଡ଼ିଶାଲାଇଭ୍ ବ୍ୟୁରୋ

କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଛି ‘ଓଡ଼ିଶା ମାଷ୍ଟର୍ସ’ ବିଡବ୍ଲ୍ୟୁଏଫ୍ ଟୁର୍ ସୁପର ୧୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ। ଏଥିରେ ୨୭ଟି ଦେଶର ୩୨୦ରୁ ଅଧିକ ପ୍ରତିଯୋଗୀ ବିଭିନ୍ନ ବର୍ଗରେ ପ୍ରତିଦ୍ଵନ୍ଦ୍ଵିତା କରୁଛନ୍ତି। ଭାରତୀୟ ବ୍ୟାଡମିଣ୍ଟନ ମହାସଂଘ ଏବଂ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୁଲ୍ୟରେ ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାର ଆୟୋଜନ କରାଯାଉଛି।

ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ସମେତ ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା, ୟୁଏଇ, ଇଟାଲି, ଇଂଲଣ୍ଡ, ଡେନମାର୍କ, ଇଣ୍ଡୋ‌ନେସିଆ, ମାଲେସିଆ, ନେପାଳ, ବାଙ୍ଗାଲାଦେଶ ଓ ଥାଇଲ୍ୟାଣ୍ଡ ଭଳି ଦେଶର ଖେଳାଳିମାନେ ଏଥିରେ ଅଂଶଗ୍ରହଣ କରିଛନ୍ତି। ପୁରୁଷ ଏକକ, ପୁରୁଷ ଯୁଗଳ, ମହିଳା ଏକକ, ମହିଳା ଯୁଗଳ ଏବଂ ମିଶ୍ରିତ ଯୁଗଳ ଭଳି ୫ ବର୍ଗରେ ଟୁର୍ଣ୍ଣାମେଣ୍ଟରେ ମ୍ୟାଚ ଖେଳାଯାଉଛି।

 

ଭାରତୀୟ ସଟଲର ପ୍ରିୟାଂସୁ ରାଜପଥ, ସାଇ ପ୍ରଣତି, ଏମ ମଞ୍ଜୁନାଥଙ୍କ ଭଳି ଖେଳାଳିଙ୍କ ସହ ଓଡ଼ିଶାର ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ତାରକା ଋତୁପର୍ଣ୍ଣା ଓ ଶ୍ଵେତପର୍ଣ୍ଣା ପଣ୍ଡା ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି।

ମ୍ୟାଚଗୁଡ଼ିକ ଇନଡୋର ଷ୍ଟାଡିୟମର ୪ଟି କୋର୍ଟରେ ଖେଳାଯାଉଛି। ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଖେଳାଳିମାନେ ସେମାନଙ୍କ ଅନ୍ତର୍ଜାତୀୟ ରାଙ୍କିଙ୍ଗରେ ଉନ୍ନତି ଆଣିପାରିବେ।  

ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଏହି ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଡିସେମ୍ବର ୧୭ ତାରିଖ ଯାଏଁ ଚାଲିବ।   

Tags: #OdishaMasters #InternationalBadmintonTournament #Badminton #BWF #Cuttack #India

Comment