ଓଡ଼ିଶାଲାଇଭ୍ ବ୍ୟୁରୋ

ରାଉରକେଲାରେ ଅଣାୟତ୍ତ ହେଉଛି ଝାଡ଼ାବାନ୍ତି। ଶନିବାର ସୁଦ୍ଧା ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗତ ୨୪ ଘଣ୍ଟାରେ ଆଉ ୨ ଜଣଙ୍କର ଜୀବନହାନି ହୋଇଛି। ଏହାସହ ସହରର ବିଭିନ୍ନ ଡାକ୍ତରଖାନାରେ ୫୦୦ରୁ ଅଧିକ ଡାଇରିଆ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଏନେଇ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

ତେବେ ରାଉରକେଲାରେ ଝାଡ଼ାବାନ୍ତି ମାମଲା ବଢ଼ୁଥିବାରୁ ସହରର ଡାକ୍ତରଖାନାଗୁଡ଼ିକ ଉପରେ ଅଧିକ ଚାପ ପଡ଼ୁଛି। ରୋଗୀଙ୍କୁ ବେଡ୍ ମିଳିବାରେ ଅସୁବିଧା ହେଉଛି। ବର୍ତ୍ତମାନ ସର୍ବାଧିକ ୧୩୦ ଜଣ ଡାଇରିଆ ରୋଗୀ ରାଉରକେଲା ଆଇଜିଏଚ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଅନ୍ୟପଟେ ରୋଗୀଙ୍କ ଚିକିତ୍ସା ପାଇଁ ସୁନ୍ଦରଗଡ଼ ଓ ଭୁବନେଶ୍ୱରରୁ ବିଶେଷଜ୍ଞ ଡାକ୍ତରଙ୍କ ଟିମକୁ ରାଉରକେଲା ପଠାଯାଇଛି। ରୋଗୀଙ୍କ ପାଇଁ ଅଧିକାଂଶ ଡାକ୍ତରଖାନାରେ ବେଡ୍ ସଂଖ୍ୟା ବଢ଼ାଯାଉଛି। ଏହାସହ ରୋଗୀଙ୍କ ସେବା ପାଇଁ ଅଧିକ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟୋଜିତ କରାଯାଇଛି।  

ସେହିପରି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ରାଉରକେଲା ମହାନଗର ନିଗମ ପକ୍ଷରୁ ୧୨ଟି ସ୍ଵାସ୍ଥ୍ୟଟିମ୍‌ ଗଠନ କରାଯାଇଛି। ପ୍ରତ୍ୟେକ ଟିମ୍‌ ସହରର ବସ୍ତି ଓ କଲୋନି ବୁଲି ଲୋକମାନଙ୍କୁ ଡାଇରିଆ ବାବଦରେ ସଚେତନ କରାଉଛନ୍ତି। ସେମାନେ ଔଷଧ ବିତରଣ କରିବାସହ ଲୋକଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ମଧ୍ୟ କରୁଛନ୍ତି।

ତେବେ ରାଉରକେଲାରେ ଝାଡ଼ାବାନ୍ତି ବ୍ୟାପିଲା କିପରି ସେ ନେଇ ଏବେ ସମୀକ୍ଷା କରାଯାଉଛି। ଏଥିପାଇଁ ସହରରେ ପାଇପଯୋଗେ ଯୋଗାଣ ହେଉଥିବା ପାଣିର ନମୁନା ସଂଗ୍ରହ କରି ପରୀକ୍ଷା କରିବାକୁ ପଠାଯାଇଛି। ଏହାସହ ଅନ୍ୟାନ୍ୟ କାରଣ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନଜର ରଖାଯାଉଛି।   

Tags: #Rourkela #Diarrhea #Death #Health #H&FWDept #Odisha

Comment