ଓଡ଼ିଶାଲାଇଭ୍ ବ୍ୟୁରୋ

ମଧ୍ୟପ୍ରଦେଶର ଗୁନାରେ ଭୟଙ୍କର ଦୁର୍ଘଟଣା ଘଟି ୧୩ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ବୁଧବାର ରାତିରେ ଘଟିଛି ଏହି ଦୁଃଖଦ ଘଟଣା।

ପ୍ରାୟ ୩୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଘରୋଇ ବସ ସହ ଗୁନା-ଆରୋନ ରୋଡଠାରେ ଗୋଟିଏ ଡମ୍ଫରର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଜୋରଦାର ଥିଲା ଯେ, କେହି କିଛି ବୁଝିବା ପୂର୍ବରୁ ବସଟି ହୁତୁହୁତୁ ହୋଇ ଜଳି ଉଠିଥିଲା। ଫଳରେ ୧୩ ଜଣ ଜୀଅନ୍ତା ଜଳିଯାଇଥିଲେ। ଅନ୍ୟମାନେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ କେବଳ ୪ ଜଣ ସୁରକ୍ଷିତ ଭାବେ ବାହାରକୁ ବାହାରିପାରିଥିଲେ।

ଅଗ୍ନିକାଣ୍ଡ ଯୋଗୁଁ ୧୩ ଜଣ ଯାତ୍ରୀ ସମ୍ପୂର୍ଣ୍ଣ ଜଳି ଯାଇଥିବାରୁ ଡିଏନଏ ଟେଷ୍ଟ ଆଧାରରେ ସେମାନଙ୍କୁ ଚିହ୍ନଟ କରାଯିବ। ଏହି ମର୍ମନ୍ତୁଦ ଦୁର୍ଘଟଣାର ତଦନ୍ତ କରାଯାଉଥିବା ଗୁନା ଏସପି ବିଜୟ କୁମାର ଖତ୍ରୀ କହିଛନ୍ତି।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଏହି ଦୁର୍ଘଟଣାକୁ ନେଇ ଶୋକ ବ୍ୟକ୍ତ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ମଧ୍ୟପ୍ରଦେଶ ସରକାର ମୃତକଙ୍କ ପରିବାର ଲାଗି ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏହା ସହ ଆହତଙ୍କ ଲାଗି ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ଏହି ଦୁର୍ଘଟଣାର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Tags: #MadhyaPradesh #Guna #MajorAccident #Death #FireAccident

Comment