ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ଵର ଜିଲ୍ଲା ସୋର ଥାନା ରାଇପୁରରୁ ନିଖୋଜ ହୋଇଯାଇଥିବା ୩ ବର୍ଷର ଶିଶୁପୁତ୍ର ଶୁଭମର ମୃତଦେହ ୨୪ ଘଣ୍ଟା ପରେ ଠାବ ହୋଇଛି। ସୋମବାର ଦିନ ଘର ବାହାରେ ଖେଳୁଥିବା ସମୟରେ ହଠାତ୍ ନିଖୋଜ ହୋଇଯାଇଥିଲା ଶୁଭମ।

ସୋମବାର ସକାଳ ପ୍ରାୟ ୧୦ଟା ବେଳେ ମୋହନ ସାହୁଙ୍କ ପୁଅ ଶୁଭମ ନିଜ ଭଉଣୀ ସହ ଘର ପାଖରେ ଖେଳୁଥିଲା। ଭଉଣୀ କିଛି ସମୟ ପାଇଁ ଘର ଭିତରକୁ ଯାଇ ବାହାରକୁ ଆସିଥିଲା, କିନ୍ତୁ ଶୁଭମଙ୍କୁ ଦେଖିବାକୁ ପାଇନଥିଲା। ଏ ସମ୍ପର୍କରେ ସେ ପରିବାର ଲୋକଙ୍କୁ ଜଣାଇବା ପରେ ସମସ୍ତେ ଶୁଭମକୁ ଖୋଜିବା ଆରମ୍ଭ କରିଥିଲେ। ହେଲେ ଶୁଭମର କୌଣସି ପତ୍ତା ମିଳିନଥିଲା।

ଶୁଭମକୁ କେହି ଅପହରଣ କରିନେଇଥିବା ପରିବାର ଲୋକ ଏବଂ ଗ୍ରାମବାସୀ ସୋର ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ। ସନ୍ଧାନୀ କୁକୁର ଘରଠାରୁ ସିଧା ରେଳଷ୍ଟେସନ ଯାଏଁ ଯାଇଥିଲା। ତଥାପି ଶୁଭମର କୌଣସି ଖୋଜଖବର ମିଳିନଥିଲା। ପୋଲିସ ଏବଂ ଅଗ୍ନିଶମ ବାହିନୀ କର୍ମଚାରୀ ସ୍ଥାନୀୟ ପୋଖରୀରେ ଦୀର୍ଘ ସମୟ ଖୋଜାଖୋଜି କରିଥିଲେ ମଧ୍ୟ ଶୁଭମର କୌଣସି ସନ୍ଧାନ ମିଳିନଥିଲା।

ମଙ୍ଗଳବାର ସକାଳେ ଅଗ୍ନିଶମ ବାହିନୀ ରାଇପୁର ଗାଁରେ ଥିବା ଏକ ପରିତ୍ୟକ୍ତ ପୋଖରୀରେ ଖୋଜିବା ସମୟରେ ଶୁଭମର ମୃତଦେହ ଉଦ୍ଧାର କରାଯାଇଥିଲା। ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏପଟେ ଶୁଭମକୁ କେହି ହତ୍ୟା କରି ପରିତ୍ୟକ୍ତ ପୋଖରୀରେ ପକାଇ ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Tags: #MissingChild #Death #MissingBabyBoy #Baleswar #Subhamfounddead

Comment