ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ ଶୀତ କମୁଥିବାବେଳେ କୁହୁଡ଼ି ବଢ଼ିବାରେ ଲାଗିଛି। କିଛି ଦିନ ଧରି ରାଜ୍ୟର ଅଧିକାଂଶ ଅଞ୍ଚଳରେ ସକାଳୁ ଘନ କୁହୁଡ଼ି ପଡ଼ୁଥିବା ଦେଖିବାକୁ ମିଳୁଛି। ଏଥିପାଇଁ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହେଉଛି। ଗୁରୁବାର ଘନ କୁହୁଡ଼ି ପଡ଼ିବା ନେଇ ରାଜ୍ୟର ୧୧ଟି ଜିଲ୍ଲାରେ ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି।   

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଗୁରୁବାର ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କଟକ, ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି।

ଆଗକୁ ୩ରୁ ୪ ଦିନ ଯାଏଁ ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ କୁହୁଡ଼ିର ପ୍ରଭାବ ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଫଳରେ ରାସ୍ତାରେ ବେଶି ଦୂର ପର୍ଯ୍ୟନ୍ତ ଦେଖିବାରେ ଅସୁବିଧା ହେବ।

ଅନ୍ୟପଟେ ଏବେ କୁହୁଡ଼ି ପଡ଼ୁଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣା ହେଉଥିବାର ଦେଖିବାକୁ ମିଳୁଛି। ଏଥିପାଇଁ ସତର୍କତାର ସହ ଗାଡ଼ି ଚଳାଇବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

Tags: #Winter #FogWarning #Visibility #MCBBSR #Odisha

Comment