ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ବୈଦେଶିକ ମନ୍ତ୍ରାଳୟର ନୂଆ ମୁଖପାତ୍ର ହୋଇଛନ୍ତି ରଣଧୀର ଜୈସୱାଲ। ତାଙ୍କୁ ବର୍ତ୍ତମାନ ମନ୍ତ୍ରାଳୟର ମୁଖପାତ୍ର ଥିବା ଅରିନ୍ଦମ ବାଗଚିଙ୍କ ସ୍ଥାନରେ ଏହି ନୂଆ ଦାୟିତ୍ଵ ମିଳିଛି। ଏନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ରଣଧୀର ଜୈସୱାଲ ଜଣେ ୧୯୯୮ ବ୍ୟାଚର ଆଇଏଫଏସ୍ ଅଧିକାରୀ। ସେ ଜୁଲାଇ ୨୦୨୦ରୁ ନଭେମ୍ବର ୨୦୨୩ ଯାଏଁ ଆମେରିକାର ନ୍ୟୁୟର୍କରେ ଭାରତର ବାଣିଜ୍ୟିକ ଦୂତ ରହିଥିଲେ। ପୂର୍ବରୁ ସେ ପର୍ତ୍ତୁଗାଲ, କ୍ୟୁବା, ଦକ୍ଷିଣ ଆଫ୍ରିକାରେ ଥିବା ଭାରତୀୟ ଦୂତାବାସରେ କାର୍ଯ୍ୟ କରିଛନ୍ତି।
ଅନ୍ୟପଟେ ୧୧୯୫ ବ୍ୟାଚର ଆଇଏଫଏସ୍ ଅଧିକାରୀ ଅରିନ୍ଦମ ବାଗଚିଙ୍କୁ ଏବେ କେନ୍ଦ୍ର ସରକାର ମିଳିତ ଜାତିସଂଘ ତଥା ଅନ୍ୟ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକରେ ଦେଶର ପରବର୍ତ୍ତୀ ରାଷ୍ଟ୍ରଦୂତ ନିଯୁକ୍ତ କରିଛନ୍ତି। ଆଗାମୀ ଦିନରେ ସେ ଏହି ସଂଗଠନଗୁଡ଼ିକରେ ଭାରତ ସରକାରଙ୍କ ପ୍ରତିନିଧିତ୍ଵ କରିବେ।
ଅରିନ୍ଦମ ବାଗଚି ୨୦୨୧ ମସିହା ମାର୍ଚ୍ଚ ମାସରେ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ଏହାପୂର୍ବରୁ ସେ କ୍ରୋଏସିଆରେ ଭାରତର ରାଷ୍ଟ୍ରଦୂତ ଥିଲେ।
Tags: #MinistryofExternalAffairs #IFS #ForeignService #India