ଓଡ଼ିଶାଲାଇଭ୍ ବ୍ୟୁରୋ

ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣା ଏବେ ଭିନ୍ନ ମୋଡ଼ ନେବାରେ ଲାଗିଛି। ମୃତ ବ୍ୟକ୍ତିଙ୍କ ପରିଚୟକୁ ନେଇ ଦ୍ଵନ୍ଦ୍ଵ ଦୂର ହେବାର ନାଁ ନେଉନି। ଶନିବାର ଦିନ ତୃତୀୟ ଆହତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ଡିଏନଏ ପରୀକ୍ଷା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ହାଇଟେକ୍ ବିସ୍ଫୋରଣ ଘଟଣାର ତଦନ୍ତ ଦାୟିତ୍ଵରେ ଥିବା ଏଡିସିପି ପ୍ରକାଶ ପାଲ କହିଛନ୍ତି।

୨୦୨୩  ଡିସେମ୍ବର ୨୯ ତାରିଖରେ ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟି ୪ ଜଣ ଗୁରୁତର ଆହତ ହୋଇଥିଲେ। ଡିସେମ୍ବର ୩୧ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ବଅଁଙ୍ଗ ଗାଁର ଦିଲ୍ଲୀପ ସାମନ୍ତରାୟଙ୍କର ମୃତ୍ୟୁ ହୋଇଥିବା ହସ୍ପିଟାଲ ପକ୍ଷରୁ ଘୋଷଣା କରାଯାଇଥିଲା। ଏହା ପରେ ୨୦୨୪ ଜାନୁଆରି ୧ ତାରିଖ ଦିନ ଦିଲ୍ଲୀପଙ୍କ ପତ୍ନୀ ସୋନା ଆତ୍ମହତ୍ୟା କରିଥିଲେ। ଡିସେମ୍ବର ୪ ତାରିଖରେ ମୃତ ଘୋଷଣା ହୋଇଥିବା ଦିଲ୍ଲୀପ ସାମନ୍ତରାୟ ଜୀବିତ ଥିବା ଜଣାପଡ଼ିଥିଲା।

ଏହି ବିସ୍ଫୋରଣରେ ଗୁରୁତର ଭାବେ ଆହତ ହୋଇ ଜ୍ୟୋତିରଞ୍ଜନ ମଲ୍ଲିକ ଭାବେ ଯେଉଁ ଆହତଙ୍କର ଚିକିତ୍ସା କରାଯାଉଥିଲା, ପ୍ରକୃତରେ ସେ ଜ୍ୟୋତିରଞ୍ଜନ ନୁହଁନ୍ତି ବରଂ ସେ ଦିଲ୍ଲୀପ ସାମନ୍ତରାୟ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ଏହାକୁ ନେଇ ଟଣାଓଟରା ଆରମ୍ଭ ହୋଇଥିଲା।

ଶନିବାର ଦିନ ଦିଲ୍ଲୀପ ସାମନ୍ତରାୟଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଡାକ୍ତରଖାନା ପକ୍ଷରୁ ଘୋଷଣା କରାଯାଇଛି। ତେବେ ମୃତକଙ୍କ ପରିଚୟକୁ ନେଇ ଦ୍ଵନ୍ଦ୍ଵ ଦୂର ହୋଇପାରୁ ନାହିଁ।

“ଦିଲ୍ଲୀପ ଏବଂ ଜ୍ୟୋତିରଞ୍ଜନଙ୍କୁ ନେଇ ଦ୍ଵନ୍ଦ୍ଵ ଦେଖା ଦେଇଥିବାରୁ ଏହାକୁ ଦୂର କରିବା ପାଇଁ ଡିଏନଏ ପରୀକ୍ଷା ପାଇଁ ନମୁନା ଦିଲ୍ଲୀ ପଠାଯିବ। ଡିଏନଏ ରିପୋର୍ଟ ଆସିବାକୁ ପ୍ରାୟ ୭ ଦିନ ସମୟ। ରିପୋର୍ଟ ଆସିବା ପରେ ପ୍ରକୃତ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ”, କହିଛନ୍ତି ଏଡିସିପି ପ୍ରକାଶ ପାଲ।

ଏପଟେ ଦିଲ୍ଲୀପଙ୍କୁ ଜାଣିଶୁଣି ହସ୍ପିଟାଲ କର୍ତ୍ତୃପକ୍ଷ ମାରି ଦେଇଥିବା ଅଭିଯୋଗ କରିଛନ୍ତି ଦିଲ୍ଲୀପ ସାମନ୍ତରାୟଙ୍କର ମା’ ଅହଲ୍ୟା ସାମନ୍ତରାୟ।

Tags: #HiTechHospital #DNATest #DNAReport #Death #DeathMystery #Bhubaneswar #GasExplosion #Odisha

LEAVE A REPLY

Please enter your comment!
Please enter your name here