ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ନିଶା ମଣିଷକୁ ଅବାଟକୁ ନେଇଯାଏ। କାହାକୁ ହତ୍ୟା କରିବାକୁ ପଛାଏ ନାହିଁ ନିଶାଶକ୍ତ ମଣିଷ। ମାତ୍ର ୫ ପ୍ୟାକେଟ ମଦ ପାଇଁ ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରିବା ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ପୋଲିସ। ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଅଛନ୍ତି। ଏନେଇ ସୂଚନା ଦେଇଛନ୍ତି ଶୁଭେନ୍ଦୁ କୁମାର ଶବର।

୨୦୨୩ ମସିହା ଡିସେମ୍ବର ୩୦ ତାରିଖ ସନ୍ଧ୍ୟାରେ ଦୁଇ ଜଣ ନାବାଳକ ଏବଂ ଜଣେ ଯୁବକ ପୁରୁଣା ବୋରିଗୁମ୍ମା ଦେଶୀ ମଦଭାଟିକୁ ଯାଇ ଉମେଶ ଯାଦବଙ୍କୁ ମାଗଣାରେ ୫ ପ୍ୟାକେଟ ମଦ ମାଗିଥିଲେ। କିନ୍ତୁ ମଦ ଦେବାକୁ ଉମେଶ ମନା କରିଦେଇଥିଲେ। ଏଥିରେ ରାଗି ଯାଇ କାଠ ଫାଳିଆରେ ଉମେଶଙ୍କୁ ଆକ୍ରମଣ କରିଥିଲେ ଅଭିଯୁକ୍ତମାନେ। କେବଳ ସେତିକି ନୁହେଁ ଉମେଶଙ୍କୁ ୧୦୦ ମିଟର ଦୂର ଘୋଷାଡ଼ି ଘୋଷାଡ଼ି ନେଇଥିଲେ। ଉମେଶଙ୍କ ଦେହରେ ଗୋଟିଏ ପଥର ବାନ୍ଧି ତାଙ୍କୁ ଏକ କୂଅ ଭିତରକୁ ଫିଙ୍ଗି ଫେରାର ହୋଇଯାଇଥିଲେ। ପରେ ମୃତ ଉମେଶଙ୍କ ବାଇକ୍ ଏବଂ ମୋବାଇଲ ନେଇ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ।

କୂଅ ଭିତରୁ ଦୁର୍ଗନ୍ଧ ବାହାରିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ମୃତକ ବିହାରର ଉମେଶ ଯାଦବ ବୋଲି ଜଣାପଡ଼ିଥିଲା। ଉମେଶ କିଛି ବର୍ଷ ହେଲା ପୁରୁଣା ବୋରିଗୁମ୍ମା ଦେଶୀ ମଦଭାଟିରେ କାମ କରୁଥିଲେ। ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ଖୋଳତାଡ଼ କରିଥିଲା। ମୃତଙ୍କ ବାଇକ୍ ଏବଂ ମୋବାଇଲ ପୋଲିସକୁ ଅଭିଯୁକ୍ତଙ୍କ ପାଖରେ ପହଞ୍ଚାଇଥିଲା।

ପୋଲିସ ଅଭିଯୁକ୍ତମାନଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରିବା ପରେ ସେମାନେ ପୋଲିସ ଆଗରେ ସବୁ ସତ ମାନିଥିବା ଏସଡିପିଓ କହିଛନ୍ତି।

Tags: #Koraput #BorigumaMurdercase #PoliceInvestigation

LEAVE A REPLY

Please enter your comment!
Please enter your name here