ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗ ଅଧୀନରେ ଥିବା ୬ଟି ବିଦ୍ୟାଳୟରେ ଶିକ୍ଷାବର୍ଷ ୨୦୨୪-୨୫ରେ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଭାଗ ଅଧିନସ୍ଥ ୫ଟି କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ (କେଏମଆରଏସ୍) ଓ ଗୋଟିଏ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟରେ (ବିପିଏଭି) ନାମଲେଖା ହେବ।

ଏହି ନାମଲେଖା ପାଇଁ ହେବାକୁଥିବା ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିବାକୁ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାନୁଆରି ୩୧ ଆବେଦନ ଗ୍ରହଣର ଶେଷ ତାରିଖ। ଏହାପରେ ଫେବ୍ରୁଆରି ୨୫ ତାରିଖରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।  

କେବଳ ଅନୁସୂଚିତ ଜନଜାତି (ଏସଟି) ଓ ଅନୁସୂଚିତ ଜାତି (ଏସସି) ବର୍ଗର ଛାତ୍ରଛାତ୍ରୀମାନେ ଏହିସବୁ ବିଦ୍ୟାଳୟରେ ନାମଲେଖା ପାଇଁ ଆବେଦନ କରିପାରିବେ। ଆପଣମାନେ ଏହି ବିଦ୍ୟାଳୟଗୁଡ଼ିକରେ ନିଜ ପିଲାଙ୍କ ଆଡମିଶନ କରିବାକୁ ଚାହୁଁଥିଲେ, ଜାଣନ୍ତୁ କ’ଣ ରହିଛି ଆବେଦନ ପ୍ରକ୍ରିୟା।   

ନାମଲେଖା ହେବାକୁଥିବା ସ୍କୁଲ

  • କେଏମଆରଏସ୍ (ବାଲିମେଳା, ମାଲକାନଗିରି) – ବାଳକ ୩୦, ବାଳିକା ୩୦  
  • କେଏମଆରଏସ୍ (ରାଇକିଆ, କନ୍ଧମାଳ) – ବାଳକ ୩୦, ବାଳିକା ୩୦  
  • କେଏମଆରଏସ୍ (ଖଜୁରୀପଡ଼ା, କନ୍ଧମାଳ) – ବାଳକ ୩୦, ବାଳିକା ୩୦  
  • କେଏମଆରଏସ୍ (ଉମରକୋଟ, ନବରଙ୍ଗପୁର) – ବାଳକ ୩୦, ବାଳିକା ୩୦  
  • କେଏମଆରଏସ୍ (ମହେନ୍ଦ୍ରଗଡ଼, ଗଜପତି) – ବାଳକ ୩୦, ବାଳିକା ୩୦  
  • ବିପିଏଭି (କନିସି, ବ୍ରହ୍ମପୁର, ଗଞ୍ଜାମ) – ବାଳକ ୬୦, ବାଳିକା ୬୦  

ଯୋଗ୍ୟତା

  • ଆଶାୟୀ ଛାତ୍ରଛାତ୍ରୀମାନେ ପଞ୍ଚମ ଶ୍ରେଣୀ ପାସ କରିଥିବା ଆବଶ୍ୟକ
  • ଛାତ୍ରଛାତ୍ରୀଙ୍କ ବୟସ ୨୦୨୪ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୧୦ରୁ ୧୩ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟରେ ୩୦ ଜଣ ଛାତ୍ର ଓ ୩୦ ଜଣ ଛାତ୍ରୀଙ୍କ ମଧ୍ୟରୁ ୨୫ଟି ଲେଖାଏଁ ସିଟ୍ ଅନୁସୂଚିତ ଜନଜାତି (ଏସଟି) ବର୍ଗର ଛାତ୍ର ଓ ଛାତ୍ରୀଙ୍କ ପାଇଁ ସଂରକ୍ଷିତ ରହିବ। ସେହିପରି ଅନୁସୂଚିତ ଜାତି (ଏସସି) ବର୍ଗ ପାଇଁ ୩ଟି ଓ ଆଦିମ ଜନଜାତି (ପିଭିଟିଜି) ବର୍ଗର ଛାତ୍ର ଓ ଛାତ୍ରୀଙ୍କ ପାଇଁ ୨ଟି ଲେଖାଏଁ ସିଟ୍ ସଂରକ୍ଷିତ ରହିବ। ସେହି ଆଧାରରେ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟରେ ମଧ୍ୟ ସିଟ୍ ସଂରକ୍ଷିତ ରହିବ।

ଚୟନ ପ୍ରକ୍ରିୟା

ଉପରୋକ୍ତ ବିଦ୍ୟାଳୟରେ ନାମଲେଖା ପାଇଁ ପ୍ରଥମେ ପ୍ରବେଶିକା ପରୀକ୍ଷା କରାଯିବ। ପ୍ରବେଶିକା ପରୀକ୍ଷାର ଯୋଗ୍ୟ ତାଲିକା (ମେରିଟ୍ ଲିଷ୍ଟ) ଆଧାରରେ ପ୍ରତି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନାମଲେଖା ହେବ।

କେମିତି କରିବେ ଆବେଦନ

  • ବିଭାଗୀୟ ୱେବସାଇଟ୍ www.stsc.odisha.gov.inରୁ ପ୍ରବେଶିକା ପରୀକ୍ଷାର ଆବେଦନ ଫର୍ମ ଡାଉନଲୋଡ କରନ୍ତୁ
  • ଫର୍ମରେ ନିଜ ପିଲାଙ୍କ ଫଟୋ, ବିବରଣୀ, ଓ ଅନ୍ୟାନ୍ୟ ଦସ୍ତାବିଜକୁ ଦାଖଲ କରି ଏହାକୁ ଠିକ୍ ଭାବେ ପୂରଣ କରନ୍ତୁ
  • ଏହାପରେ ଉକ୍ତ ଫର୍ମକୁ ସ୍କୁଲ ଥିବା ଜିଲ୍ଲାର ସମ୍ପୃକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ନିକଟକୁ ପଠାନ୍ତୁ  

କେଏମଆରଏସ୍ ଓ ବିପିଏଭି ପ୍ରବେଶିକା ପରୀକ୍ଷା ପାଇଁ କେବଳ ଅଫଲାଇନରେ ପଞ୍ଜୀକରଣ ହେବ। ନାମଲେଖା ଓ ପ୍ରବେଶିକା ପରୀକ୍ଷା ସମ୍ବନ୍ଧୀୟ ଅନ୍ୟାନ୍ୟ ସୂଚନା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗ ତଥା ଓଡ଼ିଶା ମଡେଲ ଟ୍ରାଇବାଲ ଏଜୁକେସନ ସୋସାଇଟିର (ଓଏମଟିଇଏସ୍) ୱେବସାଇଟରେ ଉପଲବ୍ଧ।

Tags: #KalingaModelResidentialSchool #BijuPatnaikAdarshaVidyalaya #Admission #EducationYear2024-25 #Education #ST&SCDevDept #Odisha

Comment