ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ବିଜାପୁର ଛକରେ ଘଟିଥିବା ସିରିଜ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ବ୍ୟକ୍ତିଙ୍କ ପରିବାର ଲାଗି ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର।

ଶୁକ୍ରବାର ଦିନ ବିଜାପୁର ଛକଠାରେ ଘଟିଥିବା ମର୍ମନ୍ତୁଦରେ ୩ ଜଣଙ୍କର ମୃତ୍ୟୁକୁ ନେଇ ଗଭୀର ଶୋକ ବ୍ୟକ୍ତ କରିବା ସହ ମୃତକଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

ଓଭର ଟେକିଂ କାରଣରୁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି। ବିଜାପୁର ଛକଠାରେ ଗୋଟିଏ ପଟୁ ଏକ ସ୍କର୍ପିଂଓ ଏବଂ ଗୋଟିଏ ଅଟୋ ଯାଉଥିବାବେଳେ ବିପରିତ ଦିଗରୁ ଏକ ଟ୍ରାକ୍ଟର ଆସୁଥିଲା। ଟ୍ରାକ୍ଟର ପଛରେ ବାଇକ୍ ଯାତ୍ରୀ ଥିଲେ। ଦ୍ରୁତ ଗତିରେ ଆସୁଥିବା ସ୍କର୍ପିଓଟି ଅଟୋକୁ ଓଭରଟେକ କରିବାକୁ ପ୍ରୟାସ କରିବା ସମୟରେ ବାଇକ ଆରୋହୀ ଟ୍ରାକ୍ଟରକୁ ଓରଟେକ କରି ଯାଉବେଳେ ସ୍କର୍ପିଓ ସହ ବାଡ଼େଇ ହୋଇ ତଳେ ପଡ଼ିଯାଇଥିଲେ।

ପରେ ସ୍କର୍ପିଓଟି ଅଟୋକୁ ପଛପଟୁ ଧକ୍କା ଦେବାରୁ ଅଟୋଟି ଓଲଟି ପଡ଼ିଥିଲା। ଫଳରେ ଅଟୋରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବାଇକ୍ ଆରୋହୀ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଏହି ଦୁର୍ଘଟଣାରେ ୧୩ ଜଣ ଆହତ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଥିବାରୁ ସେମାନଙ୍କୁ ଚିକିତ୍ସା ପାଇଁ କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

Tags: #Accident #SeriesAccident #Koraput #Boriguma #Death #BijapurAccident #Odisha

Comment