ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ ଶୀତଲହରୀ ଲାଗି ରହିଛି। ରାଜ୍ୟର ଅଧିକାଂଶ ଅଞ୍ଚଳରେ ଅଧିକ ଥଣ୍ଡା ସହ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଆହୁରି ୩ରୁ ୪ ଦିନ ଯାଏଁ ଓଡ଼ିଶାରେ ପାଗ ଶୁଷ୍କ ରହିବାବେଳେ ଉତ୍ତର ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଅଧିକ ଥଣ୍ଡା ଅନୁଭୂତ ହେବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।  

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏବେ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଓ ଥଣ୍ଡା ବାୟୁ ପ୍ରବେଶ କରୁଛି। ଏହା ପ୍ରଭାବରେ ରାଜ୍ୟରେ ରାତି ତାପମାତ୍ରା କମ୍ ରହୁଛି। ତେବେ ଫେବ୍ରୁଆରି ମାସ ପ୍ରଥମ ସପ୍ତାହରେ ରାଜ୍ୟରେ ତାପମାତ୍ରା ବଢ଼ିବାର ସମ୍ଭବନା ରହିଛି।

ସେହିପରି ଶୁକ୍ରବାର ରାତିରେ ସୁନ୍ଦରଗଡ଼ ଜିଲ୍ଲାର କିରେଇରେ ୬.୭ ଡିଗ୍ରୀ ସହ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଏହାସହ ସୁନ୍ଦରଗଡ଼ରେ ୭.୩ ଡିଗ୍ରୀ, ରାଉରକେଲାରେ ୮.୯ ଡିଗ୍ରୀ, ଅନୁଗୁଳରେ ୯ ଡିଗ୍ରୀ, ଝାରସୁଗୁଡ଼ାରେ ୯.୪ ଡିଗ୍ରୀ ଏବଂ କୋରାପୁଟ ଓ କେନ୍ଦୁଝରରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଅନ୍ୟପଟେ ଆଗକୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ କୁହୁଡ଼ି ହେବାର ସମ୍ଭାବନା ରହିଛି। ଏଥିରେ କିଛି ସ୍ଥାନରେ ସକାଳେ ସର୍ବନିମ୍ନ ଦୃଶ୍ୟମାନ ଦୂରତା କମ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Tags: #ColdWave #Winter #Fog #NightTemperature #WeatherUpdates #MCBBSR #Odisha

Comment