ଓଡ଼ିଶାଲାଇଭ୍ ବ୍ୟୁରୋ

ପରଲୋକରେ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ପଦ୍ମଶ୍ରୀ ସାଧୁ ମେହେର। ୮୪ ବର୍ଷ ବୟସରେ ମୁମ୍ବାଇ ସ୍ଥିତି ବାସଭବନରେ ଶୁକ୍ରବାର ଦିନ ତାଙ୍କର ଦେହାନ୍ତ ହୋଇଛି।

ଉଭୟ ଓଡ଼ିଆ ଏବଂ ହିନ୍ଦୀ ସିନେମାରେ ନିଜ ନିଖୁଣ ଅଭିନୟର ଛାପ ଛାଡ଼ିଛନ୍ତି ପଦ୍ମଶ୍ରୀ ସାଧୁ ମେହେର। ପ୍ରଥମେ ସେ ହିନ୍ଦୀ ସିନେମାରୁ ନିଜ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ। ପରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ।

ସାଧୁ ମେହେର ଅଭିନେତାରୁ ନିର୍ଦ୍ଦେଶକ ହେବାର ସୁଯୋଗ ପାଇଥିଲା। ୧୯୭୭ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ଅଭିମାନ’ରୁ ତାଙ୍କର ନିର୍ଦ୍ଦେଶନା ଯାତ୍ରା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ସାଧୁ ମେହେର ‘ଅପରିଚିତା’, ‘ଅଭିଳାଷ’, ‘ବାବୁଲା’ ଏବଂ ‘ଗୋପରେ ବଢ଼ୁଛି କଳା କହ୍ନେଇ’ ଭଳି ଅନେକ ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି।

ପଦ୍ମଶ୍ରୀ ସାଧୁ ମେହେରଙ୍କୁ ରାଜ୍ୟ ସରକାର ଓଡ଼ିଆ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାରରେ ସମ୍ମାନିତ କରିଛନ୍ତି। ୨୦୧୭ ମସିହାରେ ସାଧୁ ମେହେରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। କଳା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ସେ ଏକାଧିକ ଜାତୀୟ ପୁରସ୍କାର ପ୍ରାପ୍ତ କରିଛନ୍ତି।

ପଦ୍ମଶ୍ରୀ ସାଧୁ ମେହେର ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ପିଲାଟି ବେଳରୁ ସେ ଅଭିନୟ ପ୍ରତି ଆକୃଷ୍ଟ ହୋଇଥିଲେ।

ପଦ୍ମଶ୍ରୀ ସାଧୁ ମେହେରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ସ୍ଵର୍ଗତଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

Tags: #PadmaSriSadhuMeher #SadhuMeherPassesAway #Actor #CinemaDirector

Comment