ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରସ୍ଥିତ ଜନତା ମଇଦାନଠାରେ ଶନିବାରଠାରୁ ଆରମ୍ଭ ହୋଇଛି ତିନିଦିଆ ‘ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪’। ଏହି ଭାଷା ମହାକୁମ୍ଭର ପ୍ରଥମ ଦିନରେ ‘ଶ୍ରୀଜଗନ୍ନାଥ ଚେତନା’କୁ ନେଇ ଏକ ସ୍ଵତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରା ବିଷୟରେ ଏହି ଅଧିବେଶନରେ ଆଲୋଚନା କରାଯାଇଛି।

ଏହି ସ୍ଵତନ୍ତ୍ର ଅଧିବେଶନରେ ଓଡ଼ିଶାର ପାଞ୍ଚଜଣ ବିଶିଷ୍ଟ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ସୁବାସ ପାଣି, ପ୍ରଫେସର ଡକ୍ଟର ସୁରେନ୍ଦ୍ର ନାଥ ଦାଶ, ପ୍ରଫେସର ହରେକୃଷ୍ଣ ଶତପଥୀ, ଡକ୍ଟର ଅସିତ ମହାନ୍ତି ଓ ଡକ୍ଟର ଭାସ୍କର ମିଶ୍ର ଯୋଗ ଦେଇ ସେମାନଙ୍କର ବକ୍ତବ୍ୟ ରଖିଛନ୍ତି।

ଡକ୍ଟର ସୁବାସ ପାଣି ସମସ୍ତ ବକ୍ତାଙ୍କର ପରିଚୟ ପ୍ରଦାନ କରିବା ସହ ଏହି ଅଧିବେଶନର ସଭାପତିତ୍ଵ କରିଥିଲେ।

ଶ୍ରୀକ୍ଷେତ୍ରର ପବିତ୍ରତା ସମ୍ପର୍କରେ ପ୍ରଫେସର ହରେକୃଷ୍ଣ ଶତପଥୀ କହିଲେ ଯେ ଏହା ହେଉଛି ତୀର୍ଥରାଜ। ପ୍ରଭୁ ଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ସାନ୍ତ୍ୱନା ଏବଂ ସମ୍ଭାବନା ଆମ ଅସ୍ମିତାର ପରିଚୟ । ଆମ ସମ୍ଭାବନାର ସୂର୍ଯ୍ୟ ଜଗନ୍ନାଥଙ୍କୁ ପ୍ରାର୍ଥନା କରି ଆମ ସାହିତ୍ୟକୁ ସମୃଦ୍ଧ କରିବା। ରାଜା ଇନ୍ଦ୍ରଦ୍ୟୁମ୍ନ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଆବିର୍ଭାବ ପୂର୍ବରୁ ବିରାଟ ଯଜ୍ଞର ଆୟୋଜନ କରିଥିଲେ। ଆଜି ମଧ୍ୟ ଧର୍ମ, ଅର୍ଥ, କାମ, ମୋକ୍ଷ ସମସ୍ତଙ୍କୁ ପ୍ରାପ୍ତ କରିବା ପାଇଁ ଆଜି ଏକ ମହାଯଜ୍ଞର ଆୟୋଜନ କରାଯାଇଛି। ଆଜି ଜନତା ମଇଦାନ ଖାଲି ସାରସ୍ୱତ ଶ୍ରୀକ୍ଷେତ୍ର ହୋଇଯାଇନାହିଁ ସମଗ୍ର ଭାରତ, ସମଗ୍ର ଉତ୍କଳ ଆଜି ଏକ ବିଶ୍ୱ ସାରସ୍ୱତ ଶ୍ରୀକ୍ଷେତ୍ରରେ ପରିଣତ ହୋଇଯାଇଛି।

ଏହା ପରେ ‘ଶ୍ରୀ ଜଗନ୍ନାଥ ବିଶ୍ଵ ଚେତନା’ ବିଷୟ ବସ୍ତୁ ଉପରେ ବକ୍ତବ୍ୟ ରଖିଥିଲେ ଶ୍ରୀ ଜଗନ୍ନାଥ ଗବେଷଣା ପ୍ରତିଷ୍ଠାନର ସଭାପତି ପ୍ରଫେସର ଡକ୍ଟର ସୁରେନ୍ଦ୍ର ନାଥ ଦାଶ। ସେ ଶ୍ରୀଜଗନ୍ନାଥଙ୍କୁ ସମଗ୍ର ବିଶ୍ଵର ରହସ୍ୟମୟ ଦେବତା ଭାବେ ବିବେଚନା କରିଥିଲେ। ସମଗ୍ର  ବିଶ୍ଵରେ ୧୫ଶହରୁ ଊର୍ଦ୍ଧ୍ଵ ଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଇଛି। ସେ ଆଜି ଗଣ ଦେବତା ପରିଣତ ହୋଇଛନ୍ତି।

‘ଜଗନ୍ନାଥ ଚେତନା ଏକ ପରମ୍ପରା ଓ ନିରନ୍ତରତା’ ସମ୍ପର୍କରେ ଡକ୍ଟର ଅସିତ ମହାନ୍ତି  ସ୍କନ୍ଦ ପୁରାଣର ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ମହାତ୍ମ୍ୟ ବା ଉତ୍କଳ ଖଣ୍ଡରେ ଶ୍ରୀ ଜଗନ୍ନାଥ: ଶ୍ରୀ ଦାରୁବ୍ରହ୍ମଙ୍କର ବିଷୟ ଉଲ୍ଲେଖ କରି କହିଲେ ଯେ ଏହାର ଆରମ୍ଭ ହୋଇଛି ଶିଳାବିଗ୍ରହ ଶ୍ରୀ ନୀଳମାଧବଙ୍କଠାରୁ ଏବଂ ଶେଷ ହୋଇଛି ଦାରୁବ୍ରହ୍ମ ଶ୍ରୀ ପୁରୁଷୋତ୍ତମଙ୍କ ଦର୍ଶନ ବିଧି ଓ ଫଳ ନିରୂପଣରେ ।

ସ୍କନ୍ଦ ପୁରାଣରେ ୨୯ ଅଧ୍ୟାୟରେ ଅଛି ପ୍ରତିମା ଉବାଚ ଅର୍ଥାତ୍ ବ୍ରହ୍ମାଙ୍କ ଅନୁରୋଧରେ ନିଜେ ପ୍ରତିମା ଅର୍ଥାତ୍ ଶ୍ରୀ ଜଗନ୍ନାଥ ନିଜେ ତାଙ୍କର କିପରି ଭାବରେ ଅର୍ଚ୍ଚନା ଓ ଭାବନା କରାଯିବ ସେ ବିଷୟରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଲେ। କୌଣସି ବ୍ୟକ୍ତିବିଶେଷ ବା ରାଜା ଯାତ୍ରା ବା ଏହି ପରମ୍ପରା କରିନାହାନ୍ତି। ଶ୍ରୀ ମନ୍ଦିରରେ ପ୍ରଚଳିତ ଅଛି ଗୋଟିଏ ଆଜ୍ଞାମାଳ ପରମ୍ପରା।

ଜଗନ୍ନାଥ ନିଜେ ନିଜର ବିଗ୍ରହ ତିଆରି ପାଇଁ ନିଜେ ହିଁ ଆଜ୍ଞା ଦେଇଥାନ୍ତି। ବଳଭଦ୍ରଙ୍କ ଆଜ୍ଞାମାଳ ଦ୍ୱାରା ତାଙ୍କ ଦାରୁ ଚୟନ କରାଯାଏ, ଜଗନ୍ନାଥ ଏବଂ ସୁଦର୍ଶନଙ୍କ ଆଜ୍ଞାମାଳ ଦ୍ୱାରା ତାଙ୍କ ଦାରୁ ଚୟନ କରାଯାଏ ଏବଂ ଦେବୀ ଶୁଭଦ୍ରାଙ୍କ ଆଜ୍ଞାରେ ମଧ୍ୟ ତାଙ୍କ ଦାରୁ ଚୟନ କରାଯାଏ। ତାଙ୍କର ସବୁ ଇନ୍ଦ୍ରିୟ ଅଛି, ଗୁଣର ଆଭାସ ଅଛି କିନ୍ତୁ କୌଣସି ଇନ୍ଦ୍ରିୟ ନାହିଁ। ଜଗନ୍ନାଥଙ୍କର ବିଗ୍ରହ ଏକାଧାରରେ ବ୍ରହ୍ମବାଦୀ ଓ ବିଗ୍ରହ ପୂଜକମାନଙ୍କ ପାଇଁ ଉଦ୍ଦିଷ୍ଟ। ଜଗନ୍ନାଥ ହେଉଛନ୍ତି ଆମର ଅପୂର୍ଣ୍ଣତାର ପ୍ରତିମୂର୍ତ୍ତି। ଆମ ପୂର୍ଣ୍ଣତାର ପ୍ରତିଶ୍ରୁତି।

ଡକ୍ଟର ଭାସ୍କର ମିଶ୍ର ‘ଦିବ୍ୟ ମହାପ୍ରସାଦର ମାହାତ୍ମ୍ୟ ଓ ତା’ର ପ୍ରସ୍ତୁତି ପ୍ରକ୍ରିୟା’ ବିଷୟକୁ ନେଇ ନିଜର ବକ୍ତବ୍ୟ ରଖିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦୁଇଟି ସର୍ବଶ୍ରେଷ୍ଠ ନୀତି ମଧ୍ୟରୁ ପ୍ରଥମ ରଥଯାତ୍ରା ଏବଂ ଦ୍ଵିତୀୟ ଦିବ୍ୟ ଶ୍ରୀମହାପ୍ରସାଦ ବୋଲି ବର୍ଣ୍ଣନା କରିଥିଲେ।

ଶ୍ରୀମହାପ୍ରସାଦର ରନ୍ଧନ ପ୍ରକ୍ରିୟା ଏବଂ ଏହାର ମାହାତ୍ମ୍ୟ ସମ୍ପର୍କରେ ବର୍ଣ୍ଣନା କରିବା ସହ ବିଭିନ୍ନ ମହାପ୍ରସାଦର ରନ୍ଧନ ଶୈଳୀ ସମ୍ପର୍କରେ କହିଥିଲେ। ମକର ସଂକ୍ରାନ୍ତି ଦିନ ସବୁଠାରୁ ଅଧିକ ଭୋଗ ଚୌରାଅଶି ଭୋଗ ହୋଇଥାଏ। ସମାନ ପ୍ରକାରର ଭୋଗ ବର୍ଷ ବର୍ଷ ଧରି ଚଳି ଆସୁଛି।

ଓଡ଼ିଆ ଛାତ୍ର ବକ୍ତା ସତ୍ୟବ୍ରତ ଦାସ କହିଥିଲେ ‘‘ଜଗନ୍ନାଥ ଚେତନା ଏପରି ଏକ ଚେତନା ଯାହା ସମସ୍ତଙ୍କ ମନରେ ଭକ୍ତି ଭାବ ଭରି ଦିଏ। ତାଙ୍କ ଭିତରେ ସର୍ବ ଧର୍ମର ସମନ୍ୱୟ ଘଟିଛି। ଜଗନ୍ନାଥ ହେଉଛନ୍ତି ଗୁଣଗ୍ରାହୀ, ଆଉ ନିରହଙ୍କାରୀ। ଆମେ ଜଗନ୍ନାଥ ଚେତନାରେ ଉଦବୁଦ୍ଧ ହେଲେ ସମାଜର ମଙ୍ଗଳ ହେବ।’’

Tags: #WorldOdiaLanguageConference #WorldOdiaLanguageConference2024 #BiswoOdiaBhashaSammana

LEAVE A REPLY

Please enter your comment!
Please enter your name here