ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରସ୍ଥିତ ଜନତା ମଇଦାନଠାରେ ଆୟୋଜିତ ତିନିଦିନିଆ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ର ଦ୍ଵିତୀୟ ଦିନରେ ‘ଓଡ଼ିଆ ଭାଷା ଓ ମହିଳା ସଶକ୍ତିକରଣ’କୁ ନେଇ ଏକ ସ୍ଵତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଯାଇଛି।

ଏହି ଅଧିବେଶନରେ ପଦ୍ମ ଭୂଷଣ ଡକ୍ଟର ପ୍ରତିଭା ରାୟ ସଭାପତିତ୍ଵ କରିଥିବାବେଳେ ପଦ୍ମଶ୍ରୀ ପ୍ରିୟମ୍ବଦା ମହାନ୍ତି ହେଜମାଦି, ପାରମିତା ଶତପଥୀ, ଡକ୍ଟର ସଂଘମିତ୍ରା ମିଶ୍ର, ସୁସ୍ମିତା ବାଗଚୀ ଓ ଡକ୍ଟର ଯଶୋଧରା ମିଶ୍ର ଆଦି ଯୋଗ ଦେଇ ସେମାନଙ୍କ ବକ୍ତବ୍ୟ ରଖିଥିଲେ।

ଡକ୍ଟର ପ୍ରତିଭା ରାୟ ତାଙ୍କ ପ୍ରାରମ୍ଭିକ ସୂଚନାରେ କହିଥିଲେ ଯେ, ଭାଷା ହେଉଛି ଭାବ ପ୍ରକାଶ କରିବାର ଏକମାତ୍ର ମାଧ୍ୟମ। ଭାଷା ମାଧ୍ୟମରେ ହିଁ ନିଜ ଭାବ, ସାହିତ୍ୟ ଏବଂ ନିଜର ପରମ୍ପରାକୁ ଗଢ଼ି ହୁଏ। ଓଡ଼ିଆ ଭାଷାର ପ୍ରଚାର ପ୍ରସାର, ସଂରକ୍ଷଣ ଏବଂ ଓଡ଼ିଆ ଭାଷା ପ୍ରୀତି ଜାଗ୍ରତ କରିବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଥିବା ପ୍ରଥମ ଓଡ଼ିଆ ବିଶ୍ଵ ଭାଷା ସମ୍ମିଳନୀ ଏକ ବଳିଷ୍ଠ ପଦକ୍ଷେପ ବୋଲି ସେ ମତବ୍ୟକ୍ତ କରିଥିଲେ। 

ଡକ୍ଟର ଯଶୋଧରା ମିଶ୍ର ‘ବ୍ରତ ସାହିତ୍ୟ ଜରିଆରେ ଓଡ଼ିଶାର ବାର୍ଷିକ ପରମ୍ପରା’ ସମ୍ପର୍କରେ ଉଲ୍ଲେଖ କରି କହିଥିଲେ ଯେ, ନାରୀମାନଙ୍କର ଅସ୍ତିତ୍ଵ ମୌଖିକ ପରମ୍ପରାରେ ରହିଛି।

ବ୍ରତ ସାହିତ୍ୟରେ ସମସ୍ୟାର ସମାଧନ ରହିଥିବା କଥା କହି ତହିଁରେ ନାରୀମାନଙ୍କର ସମାଜିକ ସ୍ଥିତି, ପରିବାର ଏବଂ ସମାଜ ପ୍ରତି ନାରୀମାନଙ୍କର ଅବଦାନ ଉଲ୍ଲେଖ କରିଥିଲେ। ବ୍ରତ ସାହିତ୍ୟ ନାରୀ କୈନ୍ଦ୍ରିକ ଓ ଏହା ନାରୀମାନଙ୍କ ପାଇଁ, ନାରୀମାନଙ୍କୁ ନେଇ ଏବଂ ନାରୀମାନଙ୍କ ଦ୍ଵାରା ରଚିତ।

ସେ କହିଥିଲେ ବ୍ରତ ବା ଓଷା କଥା ଅଧିକାଂଶ କାଳ୍ପନିକ। ଓଡ଼ିଆ ଓଷବ୍ରତ କଥା ସରଳ ଲୋକ ଭାଷା ଏବଂ ଅଳଙ୍କାର ଶୂନ୍ୟ ଶୈଳୀରେ ପ୍ରସ୍ତୁତ।

ବ୍ରତ ସାହିତ୍ୟ ଓଡ଼ିଆ ସାହିତ୍ୟର ମୌଖିକ ପରମ୍ପରା। ଶତାବ୍ଦୀ ଶତାବ୍ଦୀ ଧରି ତା’ର ଅବଦାନ ନାରୀ ସଶକ୍ତିକରଣରେ ରହିଆସିଛି।

ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଶିକ୍ଷାବିତ୍ ତଥା ନୃତ୍ୟ ବିଶାରଦା ପଦ୍ମଶ୍ରୀ ପ୍ରିୟମ୍ବଦା ମହାନ୍ତି ହେଜମାଦି ‘ଓଡ଼ିଆ ଭାଷା ଓ ଓଡ଼ିଶୀ ନୃତ୍ୟର କ୍ରମବିକାଶ’ ବିଷୟରେ ମତ ଦେଇ କହିଲେ ଯେ, ଆଜି ଓଡ଼ିଆ ଭାଷା ଓଡ଼ିଶୀ ନୃତ୍ୟ ମାଧ୍ୟମରେ ବିଶ୍ଵର କୋଣ ଅନୁକୋଣରେ ପ୍ରବେଶ କରିଛି।

ସେ କହିଲେ ଯେ, ଉଦୟଗିରି ଗୁମ୍ଫାରେ ଓଡ଼ିଶୀ ନୃତ୍ୟର ପରମ୍ପାରା ଦେଖିବାକୁ ମିଳେ ଯହିଁରେ ଥିବା ପ୍ରତିଟି ଚିତ୍ରରେ ନାରୀମାନଙ୍କ ରାଜୁତି ଉଲ୍ଲେଖନୀୟ।

ଓଡ଼ିଶୀ ନୃତ୍ୟର ବିକାଶ ସମ୍ପର୍କରେ ମତ ଦେଇ ସେ କହିଲେ କି ସମ୍ଭ୍ରାନ୍ତ ବଂଶର ଝିଅମାନେ ଓଡ଼ିଶୀକୁ ଆପଣେଇବା ଦ୍ଵାରା ଏହା ଧୀରେ ଧୀରେ ଲୋକପ୍ରିୟତା ହାସଲ କଲା ଏବଂ ଏହାର ମର୍ଯ୍ୟାଦା ବୃଦ୍ଧି ପାଇଲା।

୧୯୫୪ ମସିହାରେ ଓଡ଼ିଶୀ ନୃତ୍ୟ ସମ୍ପର୍କରେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଖବର ପ୍ରକାଶ ପାଇଥିଲା। ଏହା ପରେ ଧୀରେ ଧୀରେ ଏହାର ଲୋକପ୍ରିୟତା ବୃଦ୍ଧି ପାଇବା ସହ ଗ୍ରହଣୀୟ ହେବାକୁ ଲାଗିଲା।

‘ଶିଶୁ ସାହିତ୍ୟ ଓ ନାରୀ ସଶକ୍ତିକରଣ’ ବିଷୟରେ ଆଲୋଚନା କରି ବିଶିଷ୍ଟ ଲେଖିକା ତଥା ମୋ ସ୍କୁଲ କାର୍ଯ୍ୟକ୍ରମର ମୁଖ୍ୟ ସୁସ୍ମିତା ବାଗଚୀ କହିଥିଲେ ଯେ ଭାଷା ମାଧ୍ୟମରେ ଗୋଟିଏ ଶିଶୁ ନିଜର ପ୍ରଥମ ଶବ୍ଦ ଉଚାରଣ କରିଥାଏ।

ଶିଶୁ ସାହିତ୍ୟରେ କିପରି ନାରୀ ସଶକ୍ତିକରଣର ବାର୍ତ୍ତା ରହିଛି ସେ ସମ୍ପର୍କରେ ସେ ଆଲୋଚନା କରିଥିଲେ। ଜାତୀୟ କବି ବୀରକିଶୋର ଦାସଙ୍କ ‘ଜୁଳୁଜୁଳିଆ ବୋହୂ’ କବିତାର ଉଦ୍ଦେଶ୍ୟ ସମ୍ପର୍କରେ ମତ ରଖିଥିଲେ। ଶିଶୁ ସାହିତ୍ୟ ମାଧ୍ୟରେ ଚରିତ୍ର ଗଠନ ଏବଂ ନାରୀ ସଶକ୍ତିକରଣ ସମ୍ପର୍କରେ ସଚେତନ କରିବା ପାଇଁ ଅନେକ ବାର୍ତ୍ତା ରହିଛି ବୋଲି ସେ କହିଥିଲେ।

ସହିତ୍ୟ ମାଧ୍ୟମରେ ପରିବର୍ତ୍ତନର ପ୍ରକ୍ରିୟା ସମ୍ପର୍କରେ ଲୋକେ ଜାଣି ପାରୁଛନ୍ତି। ପୃଥିବୀର ଚିନ୍ତାଧାରାରେ ଯେଉଁ ସବୁ ଯୁଗାନ୍ତକାରୀ ପରିବର୍ତ୍ତନ ଆସିଛି ସେଥିରେ ସାହିତ୍ୟର ବିରାଟ ଅବଦାନ ରହିଛି ବୋଲି ଉଲ୍ଲେଖ କରିଥିଲେ।

ଦିନ ଥିଲା ଯୁକ୍ତରାଷ୍ଟ୍ର ଆମେରିକାର ଦକ୍ଷିଣ ଭାଗରେ ପ୍ରଚଳିତ ଦାସତ୍ଵ ପ୍ରଥା ଅନେକଙ୍କୁ ବିଚଳିତ କରିଥିଲା। ହାରିଏଟ ବିଚର ଷ୍ଟୋଙ୍କ ପୁସ୍ତକ ‘ଅଙ୍କଲ ଟମସ୍ କ୍ୟାବିନ’ ପ୍ରକାଶିତ ହେବା ପରେ ଦାସତ୍ଵ ପ୍ରଥାର କଳଙ୍କିତ ଅଧ୍ୟାୟ ଲୋକ ଲୋଚନକୁ ଆସିଥିଲା। ଏହି ପୁସ୍ତକ ପ୍ରକାଶ ପାଇବା ପରେ ଆମେରିକାର ଗୃହ ଯୁଦ୍ଧର ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଦାସତ୍ଵ ପ୍ରଥା ଲୋପ ହୋଇଥିଲା। ଯଦି ଏଭିଳି ଯୁଗାନ୍ତକାରୀ ପରିବର୍ତ୍ତନ ସାହିତ୍ୟ ମାଧ୍ୟମରେ ହୋଇପାରିଥିଲା, ତେବେ ସାହିତ୍ୟ ନାରୀ ସଶକ୍ତିକରଣର କର୍ଣ୍ଣଧାର ମଧ୍ୟ ହୋଇପାରିବ ବୋଲି ସେ ଦୃଢ଼ ମତ ପୋଷଣ କରିଥିଲେ।

ଶିଶୁମାନେ ସରଳ, ନିଷ୍କପଟ ହୋଇଥିବାରୁ ସେମାନଙ୍କ ମନ ଉପରେ ପ୍ରଭାବ ପକାଇବା ସହଜ ହୋଇଥାଏ। ତେଣୁ କଥାରେ ହେଉ କି କାର୍ଯ୍ୟରେ ହେଉ କିମ୍ବା ଛପା ଅକ୍ଷର ମାଧ୍ୟମରେ ଶିଶୁମାନଙ୍କ ମନ ଉପରେ ପ୍ରଭାବ ପକାଇ ହେବ।

କାହାଣୀ ଏବଂ କବିତା ମାଧ୍ୟମରେ ଯଦି ନାରୀର ଅସ୍ତିତ୍ଵ ସମ୍ପର୍କରେ ଶିଶୁମାନେ ଜାଣିବେ ତେବେ ଭବିଷ୍ୟତରେ ନାରୀ ସଶକ୍ତିକରଣକୁ ନେଇ ବେଶି ଆଲୋଚନା କରିବା ଦରକାର ପଡ଼ିବନି।

ଶିଶୁ ସାହିତ୍ୟ ପ୍ରତି ଶିଶୁମାନଙ୍କର ଆଗ୍ରହ ସୃଷ୍ଟି କରିବାକୁ ହେବ, ନୂତନ ଶିଶୁ ସାହିତ୍ୟ ସୃଷ୍ଟି କରିବାକୁ ହେବ ଏବଂ ପୁରାତନ ତଥା ବିଲୁପ୍ତ ପ୍ରାୟ ଶିଶୁ ସାହିତ୍ୟର ପୁନଃରୁଦ୍ଧାର କରିବାକୁ ହେବ ବୋଲି ସୁସ୍ମିତା ବାଗଚୀ ମତବ୍ୟକ୍ତ କହିଥିଲେ। ସାହିତ୍ୟ ମାଧ୍ୟମରେ କେବଳ ନାରୀ ସଶକ୍ତିକରଣ ନୁହେଁ, ବରଂ ଆମ ସମାଜର ବହୁ କଳଙ୍କକୁ ଦୂରେଇ ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ବିଶିଷ୍ଟ ଲେଖିବା ପ୍ରଫେସର ଡକ୍ଟର ସଂଘମିତ୍ରା ମିଶ୍ର ‘ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟରେ ନାରୀ ପଦାଙ୍କ’ ସମ୍ପର୍କରେ କହିଲେ ଯେ, ଓଡ଼ିଆ ଗଦ୍ୟ ସାହିତ୍ୟ ବହୁ ପ୍ରାଚୀନ। ଶୁକଶାରୀ କଥା, ଟିକି ଚଢ଼େଇ କଥା, ଟୁଆଁଟୁଇଁ କଥା ପିଲାମାନେ ମା’ ଜେଜେମା’ଙ୍କ ଠାରୁ ଶୁଣିଥାନ୍ତି। ସମୟ ଯେତେ ପରିବର୍ତ୍ତନ ଘଟିଲା ପରେ ମଧ୍ୟ ବାଘ ଆମର ମାମୁଁ, ବିଲୁଆ ଆମର ନନା, ପୁଷି ମାଉସି ଏବଂ ଠେକୁଆକୁ ଭାଇ ବୋଲି କହିଥାଉ। ଏଥିରୁ ପରିବେଶ ପ୍ରତି ସତର୍କତା ଏବଂ ପାରସ୍ପରିକ ସୌହାର୍ଦ୍ଦ୍ୟ ସମ୍ପର୍କରେ ଜଣାପଡ଼େ।

ଗଦ୍ୟ ସାହିତ୍ୟ ମୁଖ୍ୟତଃ ପ୍ରବନ୍ଧରେ ଲେଖକଙ୍କର ମତ ଏବଂ ମନ୍ତବ୍ୟର ପ୍ରାଧାନ୍ୟ ଦେଖିବାକୁ ମିଳେ। ଲେଖକର  ବ୍ୟକ୍ତିତ୍ଵକୁ ନେଇ ପ୍ରବନ୍ଧର ଗୁରୁତ୍ଵ ସ୍ଵୀକୃତ ହୁଏ। ଏହା ଅଧ୍ୟୟନ, ଅନୁରାଗ, ଅନୁଭୁବ ଓ ମନନ ଉପରେ ନିର୍ଭରଶୀଳ।

ପ୍ରବନ୍ଧକୁ ସାହିତ୍ୟର ମସ୍ତିସ୍କ ବୋଲି କହାଯାଏ। ବିଂଶ ଶତାବ୍ଦୀ ପ୍ରବନ୍ଧର ଶତାବ୍ଦୀ ବୋଲି କହି ସେ ମତ ରଖିଥିଲେ ଯେ, ଆମର ଅନେକ କୃତବିଦ୍ୟ ନାରୀ ପ୍ରାବନ୍ଧିକ ଅଛନ୍ତି, ମାତ୍ର ସେମାନଙ୍କ କଥା ଆଲୋଚନା ହୁଏ ନାହିଁ। ସେମାନେ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ପରିଚିତି ଲାଭ କରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ଔପନାସିକା ଓ କବି କୁନ୍ତଳା କୁମାରୀ ସାବତ, ପ୍ରାବନ୍ଧିକା ସରଳା ଦେବୀ।

ପ୍ରଥମେ ଗୃହିଣୀମାନେ କାନ୍ଥରେ ଅଙ୍ଗାରରେ ଲେଖୁଥିଲେ। କିନ୍ତୁ ତାହା ଗୋବର କନାରେ ଲିଭି ଯାଉଥିଲା। ତାହାଥିଲା ନାରୀ ଶିକ୍ଷାର ପ୍ରାଥମିକ ସମୟ। ସେ ସମୟରେ ଖଲିକୋଟର ରାଣୀ କନକ ମଞ୍ଜରୀ ଦେବୀ ରାମାୟଣ ଓ ମହାଭାରତରୁ ବାଳିକାମାନଙ୍କର ପ୍ରଥମ ଶ୍ରେଣୀର ପାଠ୍ୟ ପୁସ୍ତକ ଭାବେ ‘ବାଳିକାମାନଙ୍କ ପାଠ’ ପୁସ୍ତକ ରଚନା କରିଥିଲେ।

ବିଶ୍ଵନାଥ କରଙ୍କ ଝିଅ ନର୍ମଦା କର ଟଲଷ୍ଟଏଙ୍କ କାହାଣୀ ‘ଦ୍ଵନ୍ଦ୍ଵ’ ଅନୁବାଦ କରିଥିଲେ। କୁନ୍ତଳା କୁମାରୀ ସାବତଙ୍କ ‘ଭ୍ରାନ୍ତି’ ଉପନ୍ୟାସ ସମ୍ପର୍କରେ କହିଥିଲେ।

କଥାଶିଳ୍ପୀ ଅନୁବାଦିକା ନନ୍ଦିନୀ ଶତପଥୀ ଏବଂ ଭ୍ରମଣ କାହାଣୀ ଲେଖିକା ଶୈଳବାଳା ଦେବୀ, ବିଦ୍ୟୁତ ପ୍ରଭା ଦେବୀ, କୋକିଳା ଦେବୀ ଉଚ୍ଚ କୋଟୀର ସାହିତ୍ୟ ସର୍ଜନା କରିଛନ୍ତି। ରମା ଦେବୀଙ୍କର ଆତ୍ମଜୀବନୀ ‘ଜୀବନ ପଥେ’ର ଅଂଶ ବିଶେଷ ପ୍ରବନ୍ଧ ଭାବେ ପାଠ୍ୟ ପୁସ୍ତକରେ ଗୃହୀତ ହୋଇଛି ବୋଲି ସେ କହିଥିଲେ।

ଓଡ଼ିଆ ସାହିତ୍ୟରେ ନାରୀମାନେ ଯଶସ୍ଵିନୀ। ସ୍ଵାଧୀନତା ସଂଗ୍ରାମୀଙ୍କଠାରୁ ଆରମ୍ଭ କରି ଆଜିର ନାରୀ ଲେଖିକାମାନଙ୍କ ସମ୍ପର୍କରେ ସେ ଆଲୋଚନା କରିଥିଲେ।

‘ଆଧୁନିକ ଓଡ଼ିଆ ସହିତ୍ୟରେ ଅଭିବ୍ୟକ୍ତିର ସ୍ଵାଧୀନତା’ ସମ୍ପର୍କରେ ପାରମିତା ଶତପଥୀ ନିଜର ବକ୍ତବ୍ୟ ରଖି କହିଲେ ଯେ, ସାହିତ୍ୟିକ ହେଉଛନ୍ତି ସତ୍ୟାଗ୍ରହୀ। ସାହିତ୍ୟ ଓ ସତ୍ୟ, ଅନ୍ତରଙ୍ଗ ଓ ଅବିଚ୍ଛିନ୍ନ।

ବିଶ୍ଵ ସାହିତ୍ୟ, ଭାରତୀୟ ସାହିତ୍ୟ ଏବଂ ଓଡ଼ିଆ ସାହିତ୍ୟ ନାରୀର ଚରିତ୍ର ଚିତ୍ରଣ ଓ ଏହାର କଳାତ୍ମକ ପ୍ରକାଶରେ ଭରପୂର। ନାରୀ ଲେଖନର ଅଭିବ୍ୟକ୍ତିର ସ୍ଵାଧୀନତା କଥା ଚର୍ଚ୍ଚା କରି ସେ କହିଥିଲେ ଯେ, ଅନେକ ନିଷିଦ୍ଧ ଦ୍ଵାରକୁ ସେମାନେ ଖୋଲିଛନ୍ତି। ନାରୀମାନେ ନିଜ ଜୀବନ ପର୍ଯ୍ୟାୟରେ ସମ୍ମୁଖୀନ ହେଉଥିବା ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ଗ୍ରହଣୀୟତା ଦ୍ଵାରା ପ୍ରଭାବିତ ହୁଅନ୍ତି। ଆଜି ପର୍ଯ୍ୟନ୍ତ ଲେଖିକା ସୃଜନ କଳାକୁ ନିଜର ଚିତ୍ତବୃତ୍ତି ଭାବେ ସମ୍ପୂର୍ଣ୍ଣ ଗ୍ରହଣ କରିବାକୁ ସକ୍ଷମ ନୁହଁନ୍ତ ବୋଲି ସେ ମତ ରଖିଥିଲେ।

କେତେଜଣ ସୃଜନଶୀଳ ନାରୀ ନିଜର ମନୋବଳକୁ ସୁଦୃଢ଼ କରି ନିଜର ଲେଖନକୁ ନିଜ ବୃତ୍ତି କରିପାରିଛନ୍ତି। ଏହା ସେମାନଙ୍କର ଅର୍ଥନୈତିକ ସ୍ଵାବାଲମ୍ବନଶୀଳତା ଓ ସମାଜର ଆହ୍ଵାନକୁ ସମ୍ମୁଖୀନ ହେବାର କ୍ଷମତା ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ସେ ଉଲ୍ଲେଖ କରିଥିଲେ।

ସେ କହିଥିଲେ ଯେ, ବିଂଶ ଶତାବ୍ଦୀରେ ନାରୀ ଲେଖନର ଅଭ୍ୟୁଦୟ ଘଟିଥିଲା। ବିଂଶ ଶତାବ୍ଦୀର ପ୍ରାରମ୍ଭରେ ପ୍ରକୃତ ଆଧୁନିକ ଓଡ଼ିଆ ସହିତ୍ୟ ଆରମ୍ଭ ହୋଇଥିଲା। ବିନୋଦିନୀ ଦେବୀ, ରେବା ରାୟ ଏବଂ ଆଶାପୂର୍ଣ୍ଣା ଦେବୀ ପ୍ରମୁଖ ଲେଖିବା ଆରମ୍ଭ କରିଥିଲେ।

ବର୍ତ୍ତମାନ ନାରୀ ଲେଖନ ବିଭିନ୍ନ ସମୟକୁ ପରୀକ୍ଷା ନିରୀକ୍ଷା କରିବାରେ ସମର୍ଥ ହୋଇଛି ଓ ଚିରାଚରିତ ପଥକୁ ତଥା ସମାଜର ସୀମା ସରହଦକୁ ଅନେକ ପଛରେ ଛାଡ଼ି ଆସିଛି। ସେମାନଙ୍କ ଲେଖନ ଅଧିକ ପ୍ରାଣବନ୍ତ ଓ ଯୁକ୍ତିଯୁକ୍ତ ହେଉଛି। ଫଳରେ ତାହା ପାଠକୀୟ ଆଦୃତି ମଧ୍ୟ ଲାଭ କରୁଛି।

Tags: #WorldOdiaLanguageConference #WomenEmpowerment #WorldOdiaLanguageConference2024 #BiswoOdiaBhashaSammana

Comment