ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଦ୍ୱିତୀୟ ଦିନ ଖ୍ୟାତିସମ୍ପନ୍ନ ଐତିହାସିକ ପ୍ରଫେସର ନିବେଦିତା ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ‘ଆଧୁନିକ ଓଡ଼ିଶାର ଅଭ୍ୟୁଦୟ ସମ୍ପର୍କରେ ଆଲୋଚନା’। ଏହି ଆଲୋଚନାରେ ବକ୍ତା ରୂପେ ଯୋଗ ଦେଇଥିଲେ ପ୍ରଫେସର ପ୍ରୀତିଶ ଆଚାର୍ଯ୍ୟ, ଡକ୍ଟର କୈଳାଶ ଚନ୍ଦ୍ର ଦାଶ, ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ଓ ପ୍ରଫେସର ଅଶୋକ କୁମାର ପଟ୍ଟନାୟକ।

ଭାରତୀୟ ଜାତୀୟତା ଓ ଓଡ଼ିଆ ଅସ୍ମିତା ଆନ୍ଦୋଳନ ଉନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ପ୍ରାୟ ଏକା ସମୟରେ ଆରମ୍ଭ ହୋଇଥିଲା ବୋଲି କହି ପ୍ରଫେସର ପ୍ରୀତିଶ ଆଚାର୍ଯ୍ୟ ତାଙ୍କ ବକ୍ତବ୍ୟ ଆରମ୍ଭ କରିଥିଲେ। ଉଭୟ ଆନ୍ଦୋଳନ ପାରସ୍ପରିକ ସହଯୋଗ ଓ ପ୍ରତିଯୋଗିତାମୂଳକ। ଉଭୟ ଆନ୍ଦୋଳନର ନେତୃତ୍ୱ ଥିଲା ଆଧୁନିକ ଶିକ୍ଷିତ ମଧ୍ୟବର୍ଗଙ୍କ ହାତରେ ଓ ଉଭୟ ଆନ୍ଦୋଳନର କାରଣ ଥିଲା ଉପନିବେଶବାଦୀ ସାଂସ୍କୃତିକ, ଅର୍ଥନୈତିକ ଓ ରାଜନୈତିକ କର୍ତ୍ତୃତ୍ୱ। ଉଭୟ ଆନ୍ଦୋଳନ ଏକା କିସମର ସାମାଜିକ ପରିବେଶର ପରିଣାମ।

୧୮୬୬ ମସିହାର ନ’ ଅଙ୍କ ଦୁର୍ଭିକ୍ଷରେ ଓଡ଼ିଶାରେ ଅନ୍ୟୂନ ପ୍ରାୟ ୧୦ ଲକ୍ଷ ଲୋକ ପୋକମାଛି ପରି ମରିଲେ। ଏହି ଚରମ ଦୁରାବସ୍ଥାକୁ ଓଡ଼ିଶାର ଆଧୁନିକ ବୌଦ୍ଧିକ ବର୍ଗ ଏକ ଜାତି ପରିପ୍ରେକ୍ଷୀରେ ଦେଖିଲେ।

ଇଂରେଜ ଶାସକମାନଙ୍କର ପକ୍ଷପାତ ବିଚାର ଯୋଗୁଁ ଏପରି ହେଲା ବୋଲି ବିଚାର କରି ତାହା ଓଡ଼ିଆମାନଙ୍କୁ ଜାତି ନିବିଷ୍ଟ କଲା ଓ ତାହା ଓଡ଼ିଆ ଭାଷା ଓ ଅସ୍ମିତା ଆନ୍ଦୋଳନକୁ ଜନ୍ମ ଦେଲା।

ବିଭିନ୍ନ ଅଞ୍ଚଳରେ ରହୁଥିବା ଓଡ଼ିଆମାନଙ୍କୁ ଏକତ୍ରୀକରଣ ଓ ପରବର୍ତ୍ତୀ ସମୟରେ ସ୍ୱତନ୍ତ୍ର ଭାଷାଭିତ୍ତିକ ପ୍ରଦେଶ ଗଠନ କରିବା ପାଇଁ ଦାବି କରିବା ଆରମ୍ଭ ହେଲା। ଉନବିଂଶ ଶତାବ୍ଦୀର ଶେଷ ଭାଗରେ ୧୮୭୮ ମସିହାରେ ନ୍ୟାସନାଲ ସୋସାଇଟି ବାଲେଶ୍ୱରରେ, ଉତ୍କଳ ସଭା କଟକରେ ୧୮୮୨ ମସିହାରେ, ପାରଳାଖେମୁଣ୍ଡିରେ ୧୮୮୧ ମସିହାରେ ଉତ୍କଳ ହିତୈଷିଣୀ ସଭା ଆରମ୍ଭ ହୋଇଥିଲା।

ସେତେବେଳେ ୧୮୬୬ ମସିହାରେ ଉତ୍କଳ ଦୀପିକା, ବାଲେଶ୍ୱରରୁ ସମ୍ବାଦ ବାହିକା ୧୮୬୮ ମସିହାରେ, ଉତ୍କଳ ପୁତ୍ର କଟକରୁ, ସମ୍ବଲପୁରରୁ ସମ୍ବଲପୁର ହିତୈଷିଣୀ ୧୮୮୯ ମସିହାରେ ପ୍ରକାଶିତ ହେଲା। ସେଥିରେ ଓଡ଼ିଶାର ବୌଦ୍ଧିକ ବର୍ଗ ସେମାନଙ୍କ ମନକଥାକୁ ପ୍ରକାଶ କଲେ ଓ ତାହା କାଳକ୍ରମେ ଏକ ଆନ୍ଦୋଳନର ରୂପ ନେଲା। ୧୯୨୮ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ମୋତିଲାଲ ନେହରୁ ଏହି ପ୍ରସଙ୍ଗକୁ ହୃଦୟଙ୍ଗମ କଲେ ଓ ୧୯୩୬ ମସିହାରେ ଓଡ଼ିଶା ଭାଷା ଭିତ୍ତିରେ ଏକ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ଲାଭ କଲା।

ଭାଷାତାତ୍ତ୍ୱିକ ରାଜ୍ୟ ରୂପେ ଓଡ଼ିଶା ମାନ୍ୟତା ପାଇବା କ୍ଷେତ୍ରରେ ସମ୍ବାଦପତ୍ରର ଭୂମିକା ସମ୍ପର୍କରେ ଡକ୍ଟର କୈଳାଶ ଚନ୍ଦ୍ର ଦାଶ ତାଙ୍କ ବକ୍ତବ୍ୟ ୧୯୨୮ ମସିହା କଟକ ଟାଉନହଲ୍‌ରେ ମଧୁବାବୁ ଗାଇଥିବା ଗୀତ ‘କୋଟିଏ ଓଡ଼ିଆ, ଗୋଟିଏ କଣ୍ଠରେ ଡାକ ତ୍ରାହି ଜଗନ୍ନାଥ, ଅନ୍ଧାର ଘୁଞ୍ଚିବ ନିଶ୍ଚୟ ଦେଖିବ ଜାତିର ଉନ୍ନତି ପଥ’ ରୁ ଆରମ୍ଭ କରିଥିଲେ।

ସେ ଦାଶ ଉଲ୍ଲେଖ କରି କହିଲେ ଯେ ୧୮୬୨ ମସିହାରେ ଓଡ଼ିଶା ବିଭିନ୍ନ ଅଞ୍ଚଳ ଭିନ୍ନ ଭିନ୍ନ ଭାଷା ପ୍ରଦେଶରେ ମିଶିଯିବା ଫଳରେ ଓଡ଼ିଆ ଭାଷା ଉପରେ ଚାପ ପଡ଼ିଲା। ୧୮୬୬ ମସିହାରେ ଉତ୍କଳ ଦୀପିକା ପ୍ରଥମେ ଜନମତ ଗଠନ କରିବାକୁ ଉଦ୍ୟମ କଲା। ୧୮୬୮ ମସିହାରେ ଉତ୍କଳ ଦୀପିକାର ସୁଯୋଗ୍ୟ ସମ୍ପାଦକ ସୂଚନା ଦେଲେ ଯେ ଓଡ଼ିଆ ଭାଷାର ବିପଦ ଆସିଛି – ଓଡ଼ିଶାର ବିଦ୍ୟାଳୟଗୁଡ଼ିକରେ ବଙ୍ଗଳା ଭାଷାରେ ପଢ଼ାଯିବ ବୋଲି ଗୋଟିଏ ନିର୍ଦ୍ଧାରଣ ପ୍ରକାଶ ପାଇଲା। ଆଜିର ପୂର୍ଣ୍ଣାଙ୍ଗ ଓଡ଼ିଶାର ଭିତ୍ତିଭୂମି ହେଉଛି ଭାଷା ସୁରକ୍ଷା ଆନ୍ଦୋଳନ। ଉତ୍କଳ ଦୀପିକା ଉତ୍କଳ ସମ୍ମିଳନୀ ସମ୍ପର୍କରେ ପ୍ରଥମ ସୂଚନା ଦେଇଥିଲା।

କଟକରୁ ପ୍ରକାଶିତ ଉତ୍କଳ ଦୀପିକା, ଖଲ୍ଲିକୋଟରୁ ପ୍ରକାଶିତ ପ୍ରଜାବନ୍ଧୁ ଓ ଅବିଭକ୍ତ ସମ୍ବଲପୁରରୁ ପ୍ରକାଶିତ ସମ୍ବଲପୁର ହିତୈଷିଣୀ ଯେଉଁ ଭାଷା ଆନ୍ଦୋଳନ କରିଥିଲେ ସେଇଥିରୁ ଜାତୀୟତାବାଦର ଆରମ୍ଭ ହେଲା ଓ ଓଡ଼ିଆ ଅସ୍ମିତା ଆନ୍ଦୋଳନ ଆଗେଇ ଚାଲିଲା।

ଆଜିର ସଂପାନର ତୃତୀୟ ବକ୍ତା ରୂପେ ପ୍ରଫେସର ଚଣ୍ଡିପ୍ରସାଦ ନନ୍ଦ ଓଡ଼ିଶାରେ ଭାଷାଗତ ପରିଚୟ ଓ ସ୍ୱରାଜର ଲୋକପ୍ରିୟ ଧାରଣା ବିଷୟରେ ତାଙ୍କ ବକ୍ତବ୍ୟ ରଖିଥିଲେ। ପ୍ରଫେସର ନନ୍ଦ ଗତ ଶତାବ୍ଦୀର ଅଶୀ ଦଶକରେ ପ୍ରକାଶିତ ହୋଇଥିବା ଡକ୍ଟର ନିବେଦିତା ମହାନ୍ତିଙ୍କର ପୁସ୍ତକ ଓଡ଼ିଆ ‘ନ୍ୟାସନାଲିଜିମ୍’ ଭାଷା ମାଧ୍ୟମରେ ଓଡ଼ିଆଙ୍କର ପରିଚୟ ସମ୍ପର୍କରେ ଏକ ଉଚ୍ଚକୋଟୀର ଲେଖା ବୋଲି କହିବା ସହ ତାହାକୁ ଆଗକୁ ବଢ଼ାଇବାରେ ପ୍ରଫେସର ପ୍ରଗତି ମହାପାତ୍ର ଓ ପ୍ରଫେସର ବିଷ୍ଣୁ ମହାପାତ୍ରଙ୍କର କାର୍ଯ୍ୟଧାରାର ଉଲ୍ଲେଖ କରିଥିଲେ। ତାଙ୍କ ବକ୍ତବ୍ୟ ଓଡ଼ିଆ ପରିଚୟ ସମ୍ପର୍କରେ ତିନିଟି ବିଭାବ ଉପରେ ପର୍ଯ୍ୟବେସିତ ଥିଲା। ସେଥିରୁ ମୁଖ୍ୟ ବିଭାବଟି ହେଲା ଭର୍ନାକୁଲାର ଲିଟରେଚର ବା ସ୍ଥାନୀୟ ସାହିତ୍ୟ। ଆତ୍ମ ପରିଚୟ ସୃଷ୍ଟି ଦିଗରେ ଏହି ସ୍ଥାନୀୟ ସାହିତ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ ଉଲ୍ଲେଖ କଲେ।

ଆଧୁନିକ ଓଡ଼ିଶାର ନିର୍ମାଣରେ ମଧୁବାବୁଙ୍କ ଅବଦାନ ସମ୍ପର୍କରେ ସଂପାନର ଶେଷ ବକ୍ତା ରୂପେ ପ୍ରଫେସର ଅଶୋକ କୁମାର ପଟ୍ଟନାୟକ ତାଙ୍କ ବକ୍ତବ୍ୟ ଆରମ୍ଭରେ କହିଲେ ଯେ ଯେଉଁ ଆଧୁନିକତାର କଥା ଆମେ କହୁଛେ ତାହା ସମ୍ପୂର୍ଣ୍ଣ ହୋଇନାହିଁ। ସମଗ୍ର ଓଡ଼ିଶାରେ ଯେଉଁ ଅସ୍ମିତାର କଥା କହୁଛେ ତାହା ସମସ୍ତଙ୍କ ପାଖରେ ପହଞ୍ଚି ପାରିନାହିଁ।

ଆଧୁନିକତା ଏକ ଲମ୍ବା ଧାରା, ଓଡ଼ିଶାରେ ସେହି ଆଧୁନିକତାର ଧାରା ଏବେ ବି ପ୍ରବାହିତ। ଏହି ଆଧୁନିକତାର ଉତ୍ପତ୍ତି ହେଉଛି ୧୮୬୬ର ନ’ ଅଙ୍କ ଦୁର୍ଭିକ୍ଷ ମଧ୍ୟରୁ। ଅବଶ୍ୟ ଏହା ପୂର୍ବରୁ ୧୮୫୭ ମସିହାରେ ପାଇକ ବିଦ୍ରୋହଠାରୁ ଓଡ଼ିଆ ପରିଚୟର ଖୋଜା ଆରମ୍ଭ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ଭାଷା ଆନ୍ଦୋଳନ ତାହାକୁ ଦୃଢ଼ୀଭୂତ କଲା।

ଆଧୁନିକତା ପ୍ରସଙ୍ଗରେ ସେ ପ୍ରଶ୍ନ କରିଥିଲେ ଯେ ଓଡ଼ିଆ କିଏ? ଯିଏ ଓଡ଼ିଶାରେ ଜନ୍ମ ହୋଇଛି ସେଇ କ’ଣ ଖାଲି ଓଡ଼ିଆ? ନା ଯେଉଁମାନେ ଓଡ଼ିଆ ଘରେ ଜନ୍ମ ହୋଇନାହାନ୍ତି, ବାହାରୁ ଆସିଛନ୍ତି- ସେମାନଙ୍କ ମଧ୍ୟରେ ବଙ୍ଗାଳୀ, ତେଲୁଗୁ ଓ ହିନ୍ଦୀ ଭାଷାଭାଷୀ ଲୋକମାନେ ମଧ୍ୟ ଅଛନ୍ତି। ମୁସଲିମ୍, ଖ୍ରୀଷ୍ଟିଆନ୍ ଓ ହିନ୍ଦୁ ଏ ସମସ୍ତ ଲୋକଙ୍କୁ ନେଇ ମଧୁବାବୁ ଉତ୍କଳର ପ୍ରଗତି ସହ ସମସ୍ତଙ୍କୁ ଯୋଡ଼ିଛନ୍ତି।

ସେହି ଦୃଷ୍ଟିରୁ ଦୁଇଜଣଙ୍କ କଥା ଆମ ଆଗକୁ ଆସିବ, ସୁବାସ ଚନ୍ଦ୍ର ବୋଷ ଓ ଭାରତ ରତ୍ନ ତଥା ପୂର୍ବତନ ରାଷ୍ଟ୍ରପତି ଭି.ଭି. ଗିରି। ସେମାନେ ଓଡ଼ିଶାର ଗର୍ବ ଓ ଗୌରବ। ସେହିଭଳି ଓଡ଼ିଆ ଆନ୍ଦୋଳନ ସହ ଜଡ଼ିତ ଅନ୍ୟମାନଙ୍କ ଭିତରେ ଅଛନ୍ତି ଗୌରୀଶଙ୍କର ରାୟ, ପ୍ୟାରୀମୋହନ ଆଚାର୍ଯ୍ୟ ଇତ୍ୟାଦି। ଆଧୁନିକ ଓଡ଼ିଶା ଗଠନ ପାଇଁ ମଧୁବାବୁଙ୍କର ଯେଉଁ ଭିଜନ୍ ଥିଲା ଉଦାରବାଦୀ ଭାବନା ସହ ଜଡ଼ିତ ଏକ ଆନ୍ଦୋଳନ। ତାହା ଥିଲା ଓଡ଼ିଶାରେ ଶିକ୍ଷାର ବିକାଶ, ଓଡ଼ିଶାରେ ସମ୍ବାଦପତ୍ରର ବିକାଶ, ଓଡ଼ିଶାରେ କମ୍ୟୁନିକେସନର ବିକାଶ, ଓଡ଼ିଶାରେ କୃଷିର ବିକାଶ, ଓଡ଼ିଶାରେ ଶିଳ୍ପରେ ବିକାଶ- ଏସବୁ ଦ୍ୱାରା ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ଥିଲା ମଧୁବାବୁଙ୍କ ଉଦ୍ଦେଶ୍ୟ। ସେହି ଦୃଷ୍ଟିରୁ ମଧୁବାବୁଙ୍କୁ ଆମେ କହିପାରିବା ଯେ ସେ ଥିଲେ ଜଣେ ଆଞ୍ଚଳିକ ପଟ୍ଟଭୂମିର ଜାତୀୟତାବାଦୀ। ଏସବୁ ଦ୍ୱାରା ଓଡ଼ିଶାର ଏକତ୍ରୀକରଣକୁ ମଧୁବାବୁ ସର୍ବାଧିକ ଗୁରୁତ୍ୱ ଦେଉଥିଲେ ବୋଲି ସେ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ।

Tags: #WorldOdiaLanguageConference #ModernOdisha #WorldOdiaLanguageConference2024 #BiswoOdiaBhashaSammana

Comment