ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରସ୍ଥିତ ଜନତା ମଇଦାନଠାରେ ଆୟୋଜିତ ହେଉଥିବା ତିନିଦିନିଆ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ର ରବିବାର ହେଉଛି ଦ୍ଵିତୀୟ ଦିନ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପୂଣ୍ୟତିଥି ପାଳନ ପରେ ଦ୍ଵିତୀୟ ଦିନର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ଦ୍ଵିତୀୟ ଦିନର ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିଲା ପ୍ରଫେସର ଉୱେ ସ୍କୋଡ଼ାଙ୍କ ଅଭିଭାଷଣରୁ। ଡେନମାର୍କର ଆରହୁସ ବିଶ୍ଵ ବିଦ୍ୟାଳୟରେ ଭାରତ ଏବଂ ଦକ୍ଷିଣ ଏସିଆ ଅଧ୍ୟୟନ ବିଭାଗରେ ସହଯୋଗୀ ପ୍ରାଚାର୍ଯ୍ୟ ଭାବେ କାର୍ଯ୍ୟରତ ପ୍ରଫେସର ଉଓ୍ଵେ ସ୍କୋଡା ‘ଓଡ଼ିଶାର ମନନଶୀଳ ଅଧ୍ୟୟନ ଲିପ୍ସୁ ସଂପ୍ରଦାୟ, ଓଡ଼ିଶା ଗବେଷଣା ପ୍ରକଳ୍ପ, ଅତୀତ ଓ ଭବିଷ୍ୟତ’ ଶୀର୍ଷକ ଉପରେ ଆଲୋଚନା କରିଥିଲେ।

ପ୍ରଫେସର ଉଓ୍ଵେ ସ୍କୋଡା ଓଡ଼ିଆ ଭାଷାରେ ତାଙ୍କର ବକ୍ତବ୍ୟ ଆରମ୍ଭ କରି କହିଥିଲେ ଯେ ସେ ଭୁବନେଶ୍ୱର, ପୁରୀ ଏବଂ ପଶ୍ଚିମ ଓଡ଼ିଶା ଦେଖିଛନ୍ତି। ଓଡ଼ିଶାକୁ ଆସିବା ସମୟରେ ସବୁବେଳେ ତାଙ୍କୁ ଖୁସି ଲାଗେ।

ସେ ଓଡ଼ିଆରେ କହିଥିଲେ, “ଓଡ଼ିଶା ଅତି ସୁନ୍ଦର ଜାଗା, ଓଡ଼ିଆ ଅତି ସୁନ୍ଦର ଭାଷା, ଆଉ ଏଠାକାର ଲୋକମାନେ ଏକଦମ୍ ବଢ଼ିଆ।”

ପ୍ରଫେସର ଉୱେ ସ୍କୋଡ଼ା କହିଥିଲେ, ଜଣେ ପ୍ରତ୍ନତତ୍ତ୍ୱବିତ୍ ହେବା ପୂର୍ବରୁ ପ୍ରତ୍ନତତ୍ତ୍ୱର ଜଣେ ଛାତ୍ର ରୂପେ ସେ ଯେତେବେଳେ କୋଲନ୍ ବିଶ୍ୱବିଦ୍ୟାଳୟର ପ୍ରଫେସର କେପର୍ଟଙ୍କ କାର୍ଯ୍ୟାଳୟକୁ ଯାଇଥିଲେ, ସେଠାରେ କାନ୍ଥରେ ଲାଗିଥିବା ଏକ ବିରାଟ ତାଳପତ୍ର ଚିତ୍ରରେ ସେ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ଶୁଭଦ୍ରାଙ୍କ ଚିତ୍ର ତଥା ରଥଯାତ୍ରା ଆଦି ଚିତ୍ର ପ୍ରଥମେ ଦେଖିଥିଲେ। ସେହିଠାରୁ ହିଁ ଓଡ଼ିଶା ସହ ତାଙ୍କର ସମ୍ପର୍କ ଆରମ୍ଭ ହୋଇଥିଲା ବୋଲି ଉୱେ ସ୍କୋଡ଼ା କହିଥିଲେ।

କେବଳ ସେ ଏକା ନୁହନ୍ତି, ବରଂ ଏକାଧିକ ଭାରତୀୟ ଓ ଜର୍ମାନ ବିଶେଷଜ୍ଞମାନଙ୍କୁ ନେଇ ଗୋଟିଏ ଛୋଟ ଗୋଷ୍ଠୀ ଜର୍ମାନ ସରକାରଙ୍କ ସହଯୋଗ କ୍ରମେ ଓଡ଼ିଶାର ସାଂସ୍କୃତିକ କ୍ଷେତ୍ରରେ ପ୍ରାୟ ଛ’ ବର୍ଷ ପର୍ଯ୍ୟନ୍ତ କାମ କରିଥିଲେ।

ସେହି ଗୋଷ୍ଠୀରେ ପ୍ରଫେସର ହରମାନ୍‌ କୁଲକେଙ୍କ ପରି ବରିଷ୍ଠ ଓ ତାଙ୍କ ପରି କନିଷ୍ଠ ବିଶେଷଜ୍ଞମାନେ ଏକାଠି କାମ କରିଥିଲେ। ସେହି ଗୋଷ୍ଠୀ ମଧ୍ୟରେ କେବଳ ସହମତି ଭିତ୍ତିରେ ନୁହେଁ, ବରଂ ପୃଥକ ମତକୁ ଗୁରୁତ୍ୱ ଦେଇ କାର୍ଯ୍ୟ ହୋଇଥିଲା। ଫଳରେ ଯେଉଁ ପ୍ରକାଶନଗୁଡ଼ିକ ହେଲା ତା’ ଦ୍ୱାରା ବିଶେଷଜ୍ଞମାନଙ୍କ ସହ ସାଧାରଣ ଲୋକମାନେ ମଧ୍ୟ ଓଡ଼ିଶା, ଶ୍ରୀଜଗନ୍ନାଥ ଓ ମା’ ସମଲେଇଙ୍କ ପରି ଠାକୁରଙ୍କ ସମ୍ପର୍କରେ ସଚେତନ ହୋଇପାରିଲେ ବୋଲି ପ୍ରଫେସର ଉଓ୍ଵେ ସ୍କୋଡା କହିଥିଲେ।

ଶେଷରେ ପ୍ରଫେସର ଉଓ୍ଵେ ସ୍କୋଡାଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା।

ଦ୍ଵିତୀୟ ଦିନରେ ଆଧୁନିକ ଓଡ଼ିଶାର ଆବିର୍ଭାବ ଉପରେ ଆଲୋଚନା ହେବ। ଓଡ଼ିଆ ଭାଷା ଓ ମହିଳା ସଶକ୍ତିକରଣ, ଆଧୁନିକ ଓଡ଼ିଆ ସାହିତ୍ୟ, ଓଡ଼ିଶାର ନୌବାଣିଜ୍ୟ ଐତିହ୍ୟ, ଓଡ଼ିଶାର ଲୋକସଂସ୍କୃତି ଉପରେ ଆଲୋଚନା କରାଯିବ।

ଶନିବାର ଦିନ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪କୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫେବ୍ରୁଆରି ୩ରୁ ୫ ତାରିଖ ଯାଏଁ ଚାଲିବ ଏହି ଭାଷା ମହାକୁମ୍ଭ।

ତିନିଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ ରହିଛି ‘ଭାଷା ହିଁ ଭବିଷ୍ୟତ’। ଏହି ସମ୍ମିଳନୀରେ ଦେଶ ବିଦେଶରୁ ଭାଷାବିତ, ଲେଖକ, ସାହିତ୍ୟିକ, ଭାଷା ପ୍ରେମୀ, ବୁଦ୍ଧିଜୀବୀଙ୍କ ସମେତ ସ୍କୁଲ ଏବଂ କଲେଜର ଛାତ୍ରଛାତ୍ରୀମାନେ ସାମିଲ ହେଉଛନ୍ତି।

ବିଶ୍ଵରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର, ସଂରକ୍ଷଣ ଏବଂ ଓଡ଼ିଆ ଭାଷା ପ୍ରୀତି ଜାଗ୍ରତ କରିବା ଉଦ୍ଦେଶ୍ୟରେ ପ୍ରଥମ ଓଡ଼ିଆ ବିଶ୍ଵ ଭାଷା ସମ୍ମିଳନୀ ଆୟୋଜନ କରୁଛନ୍ତି ରାଜ୍ୟ ସରକାର।

Tags: #WorldOdiaLanguageConference #WorldOdiaLanguageConference2024 #BiswoOdiaBhashaSammana

LEAVE A REPLY

Please enter your comment!
Please enter your name here