ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭାଷା ସମ୍ମିଳନୀ ଓଡ଼ିଆ ଭାଷା ଇତିହାସରେ ଏକ ମାଇଲଖୁଣ୍ଟ ହେବ
  • ବିଧାନସଭାରେ ଘୋଷଣା ହେବ ସମ୍ମିଳନୀର ନୀତିଗତ ନିଷ୍ପତ୍ତି
  • ପ୍ରତି ୫ ବର୍ଷରେ ଥରେ ଅନୁଷ୍ଠିତ ହେବ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ
  • ଆଉ ୩ ଦିନ ବଢ଼ିଲା ପ୍ରଦର୍ଶନୀର ସମୟ ସୀମା

“ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଆମ ଭାଷା ଇତିହାସରେ ସବୁଦିନ ପାଇଁ ଏକ ମାଇଲ ଖୁଣ୍ଟ ହୋଇରହିବ। ୫ ବର୍ଷ ପରେ ଆମେ ସମସ୍ତେ ପୁଣି ଥରେ ଏକାଠି ହେବା। ଓଡ଼ିଆ ଭାଷାକୁ ଆହୁରି ଆଗକୁ ନେବା ପାଇଁ ମତ ବିନିମୟ କରିବା”, ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ଉଦଯାପନୀ ଉତ୍ସବରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭୁବନେଶ୍ଵରସ୍ଥିତ ଜନତା ମଇଦାନଠାରେ ଫେବ୍ରୁଆରି ୩ରୁ ତିନିଦିନ ଧରି ଚାଲିଥିବା ପ୍ରଥମ ବିଶ୍ଵ ଓଡ଼ିଅ ଭାଷା ସମ୍ମିଳନୀ ୨୦୨୪ ଶେଷ ହୋଇଛି। ଏହି ବିଶାଳ ସମ୍ମିଳନୀରେ ଯୋଗ ଦେଇଥିବା ଲେଖକ, ଗବେଷକ, ସାହିତ୍ୟିକ, ବିଶେଷଜ୍ଞ, କବି, ଛାତ୍ରଛାତ୍ରୀ, ଯୁବପିଢ଼ି ତଥା ପ୍ରତ୍ୟେକ ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ।

“ଏହି ତିନିଦିନ ମଧ୍ୟରେ ଆମ ଭାଷାର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି। ଅନେକ ଭଲ ପ୍ରସ୍ତାବ ମଧ୍ୟ ଆସିଛି। ଭାଷା ସମ୍ପର୍କରେ ନିଆଯାଇଥିବା ସମସ୍ତ  ନିଷ୍ପତ୍ତିକୁ ବିଧାନସଭାରେ ଘୋଷଣା କରାଯିବ”,ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଯୁଗ ଯୁଗ ଧରି ଓଡ଼ିଆ ଭାଷା, ଆମ ଓଡ଼ିଆ ଜାତିର ପରିଚୟକୁ ଆଗକୁ ନେଇଛି। ଓଡ଼ିଆରେ ନୂଆ ନୂଆ ଶବ୍ଦ ସୃଷ୍ଟି କରି ଆମ ଓଡ଼ିଆ ଭଣ୍ଡାରକୁ ସମୃଦ୍ଧ କରିବାକୁ ମଖ୍ୟମନ୍ତ୍ରୀ ଆହ୍ଵାନ କରିଥିଲେ।

ଭାଷା ଉପରେ ବୈଷୟିକ ଜ୍ଞାନର ପ୍ରଭାବ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବୈଜ୍ଞାନିକ ଉନ୍ମେଷ, ବୈଷୟିକ ଜ୍ଞାନର ଅଗ୍ରଗତି ଓ କମ୍ପୁଟର ଭାଷା ହେଉଛି ବର୍ତ୍ତମାନ ଯୁଗରେ ଭାଷା ପାଇଁ ଏକ ବଡ଼ ଆହ୍ଵନ। ତେଣୁ, ଓଡିଆ ଭାଷାକୁ ଏହା ସହିତ ସମନ୍ଵିତ କରିବାକୁ ହେବ ବୋଲି ସେ ମତ ଦେଇଥିଲେ।

ଯୁବ ସମାଜକୁ ଆହ୍ଵାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “ମୁଁ ଆଶା କରୁଛି ଓଡ଼ିଆ ଭାଷା ଆମ ଯୁବପିଢ଼ିର ଭାଷା ହେବ। ଆମେ ଆମ ଭାଷାର ଗୌରବକୁ ଅନୁଭବ କଲେ, ଏହା ନିଶ୍ଚୟ ଆଗକୁ ଯିବ।”

ସମ୍ମିଳନୀ ଅବସରରେ ଆୟୋଜିତ ପ୍ରଦର୍ଶନୀର ସମୟ ସୀମାକୁ ୩ ଦିନ ବୃଦ୍ଧି କରାଗଲା ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ସହ ପପୁରସ୍କୃତ ହୋଇଥିବା ପ୍ରତିଭାମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୩ଟି ପୁସ୍ତକର ଉନ୍ମୋଚନ କରିଥିଲେ। ପ୍ରଥମଟି ହେଉଛି ହିନ୍ଦୁ ଗ୍ରୁପ ଦ୍ଵାରା ପ୍ରକାଶିତ ‘ଶ୍ରୀ ଜଗନ୍ନା: ଲର୍ଡ ଅଫ ଦ ୟୁନିଭର୍ସ’, ‘ଓଡ଼ିଆ: ଜର୍ଣ୍ଣି ଅଫ ଏ ଲାଙ୍ଗୁଏଜ’ ଏବଂ ‘ମ୍ୟାଜିକାଲ ଟେଲ୍ସ ଫ୍ରମ ଓଡ଼ିଶା’।

‘ଓଡ଼ିଆ: ଜର୍ଣ୍ଣି ଅଫ ଏ ଲାଙ୍ଗୁଏଜ’ ପୁସ୍ତକଟି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଆର୍‌ ବାଲକ୍ରିଷ୍ଣନଙ୍କ ପରିକଳ୍ପନା ଏବଂ ଶୁଭ୍ରାଂଶୁ ପଣ୍ଡା ଓ ପ୍ରତୀକ ପଟ୍ଟନାୟକଙ୍କ ଦ୍ଵାରା ରଚିତ ହୋଇଛି ।

‘ମ୍ୟାଜିକାଲ ଟେଲସ ଫ୍ରମ ଓଡ଼ିଶା’ ପୁସ୍ତକର ଦୁଇଟି ଅନୁବାଦ ପୁସ୍ତକ ରହିଛି। ଏହି ପୁସ୍ତକଟି ଜର୍ମାନୀ ଓ ଜାପାନୀ ଭାଷାରେ ଅନୁବାଦିତ ହୋଇଛି।

ଉଦଯାପନୀ ସମାରୋହରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ। ଶେଷରେ ରେଭେନ୍ସା କଲେଜିଏଟ ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର ସିଦ୍ଧାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Tags: #WorldOdiaLanguageConference #WorldOdiaLanguageConference2024 #BiswoOdiaBhashaSammana

Comment