ଓଡ଼ିଶାଲାଇଭ୍ ବ୍ୟୁରୋ

ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୪ ଉପଲକ୍ଷେ ପବ୍ଲିକ ରିଲେସନ୍ସ ସୋସାଇଟି ଅଫ୍ ଇଣ୍ଡିଆର (ପିଆରଏସଆଇ) ଭୁବନେଶ୍ୱର ଶାଖା ପକ୍ଷରୁ ଯୋଗାଯୋଗ କ୍ଷେତ୍ରରେ ମହିଳାମାନଙ୍କ ସଫଳତା ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲ ପରିସରରେ ଏହାର ଆୟୋଜନ କରାଯାଇଥିଲା। ଚଳିତ ବର୍ଷର ଅନ୍ତର୍ଜାତୀୟ ମହିଳା ଦିବସର ଥିମର ସମତାଳରେ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଅନେକ ମହିଳା ସ୍ଵେଚ୍ଛାସେବା, ସାମ୍ବାଦିକ ତଥା ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଏଠାରେ ଜେଏସଡବ୍ଲୁ ଗ୍ରୁପର ଲୋକସମ୍ପର୍କ, ମିଡିଆ ଏବଂ କର୍ପୋରେଟ୍ ଯୋଗାଯୋଗ ଏଜିଏମ ରୁପାଲୀ କର ଯୋଗ ଦେଇ କହିଥିଲେ, “ଯୋଗାଯୋଗ କ୍ଷେତ୍ରରେ ଘଟୁଥିବା ଦ୍ରୁତ ବୈଷୟିକ ପ୍ରଗତି ସହିତ ଆଜିର ମହିଳାମାନେ ନିଜକୁ ସଶକ୍ତ କରିବା ଦରକାର। ଜଣେ ମହିଳା ଭାବରେ ଆମ ପରବର୍ତ୍ତୀ ପିଢ଼ିକୁ ସହଯୋଗ ପ୍ରଦାନ କରି ଆମ ସହ କାମ କରୁଥିବା ଯୁବ ମହିଳା ସହକର୍ମୀଙ୍କ ସୁଖମୟ ଜୀବନ ଏବଂ ଚାପ ରହିତ କାମକୁ ସୁନିଶ୍ଚିତ କରିବାକୁ ପଡ଼ିବ। ଏହାଦ୍ଵାରା ସେମାନେ ଦୃଢ଼ତାର ସହ ନିଜର କାର୍ଯ୍ୟ କରିପାରିବେ।”

ସେହିପରି ଅଲୋଚନାଚକ୍ରରେ ସିଏସଏମ ଟେକ୍ନୋଲୋଜିର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଲଗ୍ନା ପାଣି ଟେକ୍ନୋଲୋଜି ଜଗତରେ ନିଜର ଅଭିଜ୍ଞତା ବଖାଣିଥିଲେ। ସେ କହିଥିଲେ, “ମହିଳାମାନେ ମାନବ ସମ୍ବଳ ଏବଂ ମାର୍କେଟିଂ କ୍ଷେତ୍ରରେ ବହୁତ ବେଶ ଭଲ କାର୍ଯ୍ୟ କରନ୍ତି। ସେମାନଙ୍କ ସମ୍ବେଦନଶୀଳ ଓ ଉଦାର ମନୋଭାବ ଏଥିପାଇଁ ପ୍ରେରଣା ଦେଇଥାଏ।”

ଅନ୍ୟପଟେ କାର୍ଯ୍ୟକ୍ରମରେ ଅତିଥି ବକ୍ତା ଭାବେ କଳିଙ୍ଗ ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶିକା ନୀଲାଞ୍ଜନା ମୁଖାର୍ଜୀ ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ମହିଳାମାନଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ। ସେ ସ୍ୱାସ୍ଥ୍ୟସେବା କର୍ମଚାରୀ ଏବଂ ଡାକ୍ତରଙ୍କ ମଧ୍ୟରେ ଉନ୍ନତ ଯୋଗାଯୋଗ ଦକ୍ଷତାର ଆବଶ୍ୟକତା ଉପରେ ଗୁରୁତ୍ଵାରୋପ କରିଥିଲେ।

ଏହି ଅବସରରେ ପିଆରଏସଆଇ ଭୁବନେଶ୍ୱର ଶାଖା ଅଧ୍ୟକ୍ଷ ଶଶାଙ୍କ ପଟ୍ଟନାୟକ ଯୋଗାଯୋଗ କ୍ଷେତ୍ରରେ ମହିଳାଙ୍କ ପ୍ରେରଣାଦାୟୀ ଭୂମିକା ବିଷୟରେ ଉଲ୍ଲେଖ କରିଥିଲେ। କର୍ମକ୍ଷେତ୍ରରେ ସମାନତା ଏବଂ ଲିଙ୍ଗଗତ ସମ୍ବେଦନଶୀଳତା ବିଷୟରେ ସେ ଗୁରୁତ୍ଵ ଦେଇଥିଲେ। କାର୍ଯ୍ୟକ୍ରମରେ ପିଆରଏସଆଇ ଭୁବନେଶ୍ୱର ଶାଖାର ପୂର୍ବତନ ଅଧ୍ୟକ୍ଷ ଅମର ଜ୍ୟୋତି ମହାପାତ୍ର ମଧ୍ୟ ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ରମକୁ ପିଆରଏସଆଇ ଭୁବନେଶ୍ୱର ଶାଖାର ସଦସ୍ୟ ଅମ୍ରିତା କୁଣ୍ଡୁ ସଂଯୋଜନା କରିଥିଲେ ଏବଂ ଶାଖାର ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିଆରଏସଆଇ ଭୁବନେଶ୍ୱର ଶାଖାର ସଦସ୍ୟ ଓ ସ୍ୱାସ୍ଥ୍ୟସେବା କର୍ମୀମାନେ ଏହି ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ।

Tags: #InternationalWomen’sDay #PRSIBhubaneswar #WomeninCommunication #WomenEmpowerment #Odisha

Comment