ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଦ୍ୱିତୀୟ ଦିବସର ପ୍ରଥମ ଅଧିବେଶନରେ ରହିଥିଲା ପ୍ରଫେସର ଉୱେ ସ୍କୋଡ଼ାଙ୍କର ଅଭିଭାଷଣ।

ପ୍ରଥମେ ସେ ଓଡ଼ିଶା ସହ ତାଙ୍କ ସମ୍ପର୍କକୁ ନେଇ ଓଡ଼ିଆରେ କହିଥିଲେ ସେ ଭୁବନେଶ୍ୱର, ପୁରୀ ଆଉ ପଶ୍ଚିମ ଓଡ଼ିଶା ଦେଖିଛନ୍ତି। ଓଡ଼ିଶାକୁ ଆସିବା ସମୟରେ ସବୁବେଳେ ତାଙ୍କୁ ଖୁସି ଲାଗେ।

ଓଡ଼ିଶା ସମ୍ପର୍କରେ ପୁଣି ଓଡ଼ିଆରେ କହିଥିଲେ, “ଓଡ଼ିଶା ଅତି ସୁନ୍ଦର ଜାଗା, ଓଡ଼ିଆ ଅତି ସୁନ୍ଦର ଭାଷା, ଆଉ ଏଠାକାର ଲୋକମାନେ ଏକଦମ୍ ବଢ଼ିଆ।”

ଜଣେ ପ୍ରତ୍ନତତ୍ତ୍ୱବିତ୍ ହେବା ପୂର୍ବରୁ ପ୍ରତ୍ନତତ୍ତ୍ୱର ଜଣେ ଛାତ୍ର ରୂପେ ସେ ଯେତେବେଳେ କୋଲନ୍ ବିଶ୍ୱବିଦ୍ୟାଳୟର ପ୍ରଫେସର କେପର୍ଟଙ୍କ ଅଫିସକୁ ଯାଇଥିଲେ, ସେଠାରେ କାନ୍ଥରେ ଲାଗିଥିବା ଏକ ବିରାଟ ତାଳପତ୍ର ଚିତ୍ରରେ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ଶୁଭଦ୍ରାଙ୍କ ଚିତ୍ର ତଥା ରଥଯାତ୍ରା ଆଦି ଚିତ୍ର ପ୍ରଥମେ ଦେଖିଥିଲେ ଓ ସେହିଠାରୁ ହିଁ ଓଡ଼ିଶା ସହ ତାଙ୍କ ସମ୍ପର୍କ ଆରମ୍ଭ ହୋଇଥିଲା।

କେବଳ ସେ ଏକା ନୁହନ୍ତି, ବରଂ ଏକାଧିକ ଭାରତୀୟ ଓ ଜର୍ମାନ ବିଶେଷଜ୍ଞମାନଙ୍କୁ ନେଇ ଗୋଟିଏ ଛୋଟ ଗୋଷ୍ଠୀ ଜର୍ମାନ୍ ସରକାରଙ୍କ ସହଯୋଗ କ୍ରମେ ଓଡ଼ିଶାର ସାଂସ୍କୃତିକ କ୍ଷେତ୍ରରେ ପ୍ରାୟ ଛ’ ବର୍ଷ ପର୍ଯ୍ୟନ୍ତ କାମ କରିଥିଲେ।

ସେହି ଗୋଷ୍ଠୀରେ ପ୍ରଫେସର ହରମାନ୍‌ କୁଲ୍‌କେଙ୍କ ପରି ବରିଷ୍ଠ ଓ ତାଙ୍କ ନିଜ ପରି କନିଷ୍ଠ ବିଶେଷଜ୍ଞମାନେ ଏକାଠି କାମ କରିଥିଲେ। ସେହି ଗୋଷ୍ଠୀ ମଧ୍ୟରେ କେବଳ ସହମତି ଭିତ୍ତିରେ ନୁହେଁ, ବରଂ ପୃଥକ ମତକୁ ଗୁରୁତ୍ୱ ଦେଇ କାର୍ଯ୍ୟ ହୋଇଥିଲା। ଫଳରେ ଯେଉଁ ପ୍ରକାଶନଗୁଡ଼ିକ ହେଲା ତା’ ଦ୍ୱାରା କେବଳ ବିଶେଷଜ୍ଞମାନଙ୍କ ମଧ୍ୟରେ ନୁହେଁ, ସାଧାରଣ ଲୋକମାନେ ମଧ୍ୟ ଓଡ଼ିଶା, ଶ୍ରୀ ଜଗନ୍ନାଥ ଓ ମା’ ସମଲେଇଙ୍କ ପରି ଠାକୁରଙ୍କ ସମ୍ପର୍କରେ ସଚେତନ ହୋଇପାରିଲେ।

ସେ ଉଲ୍ଲେଖ କରି କହିଲେ ଯେ, ଓଡ଼ିଶା ସମ୍ପର୍କରେ ଗବେଷଣା କରିବାକୁ ଦୁଇଟି ଯୋଜନା ହୋଇଥିଲା। ୧୯୭୦-୭୫ ମସିହା ପର୍ଯ୍ୟନ୍ତ ପ୍ରଥମ ଯୋଜନାର ନାଁ ଥିଲା ‘ଦି ଓଡ଼ିଶା ରିସର୍ଚ୍ଚ ପ୍ରୋଜେକ୍ଟ’ ଓ ଦ୍ୱିତୀୟଟି ଥିଲା ତା’ର ଭାଗ ଦୁଇ। ତାହା ୧୯୯୯ରୁ ୨୦୦୫ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲା।

ଏହି ଯୋଜନାର ପାଇଲଟ୍ ୧୯୬୯ରେ ପ୍ରଫେସର କୁଲ୍‌କେ ଓ ପ୍ରଫେସର ଜି.ସି ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଓଡ଼ିଶା ରିସର୍ଚ୍ଚ ପ୍ରୋଜେକ୍ଟ ଜର୍ମାନ୍ ରିସର୍ଚ୍ଚ କାଉନସିଲ୍ ପକ୍ଷରୁ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଗବେଷଣାରେ ପରିଣତ ହୋଇଥିଲା।

ସେହି ଗବେଷଣା ପାଇଁ ଡକ୍ଟର ହରେକୃଷ୍ଣ ମହତାବଙ୍କ ‘ହିଷ୍ଟ୍ରି ଅଫ୍ ଓଡ଼ିଶା’ର ‘କଲ୍‌ଟ ଅଫ୍ ଜଗନ୍ନାଥ’, ପି.ସି ମିଶ୍ରଙ୍କ ‘କଲ୍‌ଟ ଅଫ୍ ଜଗନ୍ନାଥ’, ମାଦଳା ପାଞ୍ଜି ଇତ୍ୟାଦି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା।

ଦିଲ୍ଲୀର ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ସମୟରେ ୧୯୬୯ରେ ପ୍ରକାଶ ପାଇଥିବା ସ୍ମରଣିକାରେ ଥିବା ସତ୍ୟ ନାରାୟଣ ରାଜଗୁରୁ, କେ.ଏନ୍ ମହାପାତ୍ର ଓ ପ୍ରଭାତ ମୁଖାର୍ଜୀ ଆଦିଙ୍କ ଗବେଷଣାତ୍ମକ ସନ୍ଦର୍ଭ ଜର୍ମାନ୍ ସ୍କଲାରମାନଙ୍କ ପାଇଁ ଶ୍ରୀ ଜଗନ୍ନାଥ ଚେତନା ସମ୍ପର୍କରେ ଜାଣିବା ପାଇଁ ଅତ୍ୟନ୍ତ ଉପାଦେୟ ପ୍ରମାଣିତ ହୋଇଥିଲା।

ଜର୍ମାନ ବିଶେଷଜ୍ଞ ହରମାନ୍ କୁଲ୍‌କେଟଙ୍କ ମତରେ ସତ୍ୟନାରାୟଣ ରାଜଗୁରୁଙ୍କ ପରି ଓଡ଼ିଆ ବିଶେଷଜ୍ଞମାନେ ପ୍ରକୃତରେ ଗୁରୁ ପଦବାଚ୍ୟ ଥିଲେ।

ଅଧିବେଶନ ଶେଷରେ ପ୍ରଫେସର ଉୱେ ସ୍କୋଡ଼ାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Tags: #WorldOdiaLanguageConference #WorldOdiaLanguageConference2024 #BiswoOdiaBhashaSammilani #ProfUweSkoda

LEAVE A REPLY

Please enter your comment!
Please enter your name here