ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ଵର): ‘୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ଓ ‘ମୋ ସ୍କୁଲ ଅଭିଯାନ’କୁ ମିଳିଛି ସମ୍ମାନ ଜନକ ସ୍କଚ୍ ଗୋଲ୍ଡ ଆୱାର୍ଡ। ମୋ ସ୍କୁଲ୍ ଅଭିଯାନର ‘ପୁରାତନ ଛାତ୍ର ସଂଯୋଗ କାର୍ଯ୍ୟକ୍ରମ’ ଏବଂ ‘୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ’ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଦିଲ୍ଲୀର ସମ୍ବିଧାନ କ୍ଲବରେ ଶିକ୍ଷା ବର୍ଗ ଅଧୀନରେ ଏହି ସମ୍ମାନଜନକ ସ୍କଚ୍ ପୁରସ୍କାର ଶନିବାର ଦିନ ପ୍ରଦାନ କରାଯାଇଛି।

‘ମୋ ସ୍କୁଲ ଅଭିଯାନ’କୁ ସମ୍ମାନ ଜନକ ସ୍କଚ ପୁରସ୍କାର ମିଳିବା ଅବସରରେ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ତଥା ମୋ ସ୍କୁଲର ସଦସ୍ୟ ସଚିବ ଅନୁପମ ସାହା କହିଛନ୍ତି, “ଶିକ୍ଷାଗତ ଦୃଶ୍ୟପଟ୍ଟରେ ପରିବର୍ତ୍ତନ ଆଣିବା ପାଇଁ ଆମର ଉଦ୍ୟମ, ଆମକୁ ଆଜି ଏହି ସଫଳତା ଆଣି ଦେଇଛି। ଏହି ପୁରସ୍କାର ମୋ ସ୍କୁଲ ଅଭିଯାନର ସଫଳତାରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛି।”

ମୋ ସ୍କୁଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମରଜିତ ଜେନା ମଧ୍ୟ ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଓଡ଼ିଶାର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ଜାତୀୟସ୍ତରର ଶିକ୍ଷାନୁଷ୍ଠାନର ସୁବିଧା ଯୋଗାଇଛି ୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ। ଉଚ୍ଚ ବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ଼ ହୋଇଛି। ଉନ୍ନ‌ତ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ପ୍ରାଥମିକତା ଦିଆଯାଉଛି। ଶ୍ରେଷ୍ଠ ଶିକ୍ଷା ବ୍ୟବସ୍ଥା ସହ ଶୈକ୍ଷିକ ବାତାବରଣ ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି।

ଏହି କ୍ରମରେ ୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧିନରେ ପର୍ଯ୍ୟାୟ କ୍ରମେ ରାଜ୍ୟର ମୋଟ ୮,୬୭୭ଟି ହାଇସ୍କୁଲ ରୂପାନ୍ତରିତ ହୋଇଛି। ରୂପାନ୍ତରିତ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ସଫଳ ଭବିଷ୍ୟତ ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି।

୨୦୧୭ ମସିହା ନଭେମ୍ବର ମାସ ୧୪ ତାରିଖରେ ରାଜ୍ୟ ସରକାରଙ୍କ ମାର୍ଗଦର୍ଶନରେ ଆରମ୍ଭ ହୋଇଥିଲା ‘ମୋ ସ୍କୁଲ ଅଭିଯାନ’। ଏହି ଅଭିଯାନ ଇତିମଧ୍ୟରେ ୬ ବର୍ଷ ପୂରଣ କରି ୭ ବର୍ଷରେ ପଦାର୍ପଣ କରିଛି। ‘ମୋ ସ୍କୁଲ ଅଭିଯାନ’ ଏବେ ଏକ ଆନ୍ଦୋଳନରେ ପରିଣତ ହୋଇଛି।

ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ସହ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶ, କ୍ରୀଡ଼ା, କଳା, ସଂସ୍କୃତି, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଭଳି କ୍ଷେତ୍ରରେ ପ୍ରତିଭା ପ୍ରଦର୍ଶନ ପାଇଁ ପିଲାମାନଙ୍କୁ ଉତ୍ସାହିତ କରାଯାଉଛି। ‘ମୋ ସ୍କୁଲ ଅଭିଯାନ’ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀଙ୍କ ସହିତ ଯୋଡ଼ି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ଲକ୍ଷରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ଆର୍ଥିକ ସହଯୋଗ କରିଛନ୍ତି।

ସେହିଭଳି ୧୩ ଲକ୍ଷରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ବିଭିନ୍ନ ମାଧ୍ୟମରେ ‘ମୋ ସ୍କୁଲ ଅଭିଯାନ’ ମାଧ୍ୟମରେ ନିଜ ସ୍କୁଲ ସହ ଯୋଡ଼ି ହୋଇ ସ୍କୁଲର ବିକାଶ ପ୍ରକ୍ରିୟାରେ ଭାଗିଦାରୀ ହୋଇଛନ୍ତି। ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପଢ଼ୁଥିବା ୫୩ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିବାରେ ସଫଳ ହୋଇଛି ‘ମୋ ସ୍କୁଲ ଅଭିଯାନ’।

Tags: #MoSchoolAbhiyan #5THighSchoolTransformationProgramme #SkochGoldAwards #Odisha #Education

Comment