ଓଡ଼ିଶାଲାଇଭ୍ ବ୍ୟୁରୋ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଡୋକରିପଡ଼ାଠାରେ ରବିବାର ସନ୍ଧ୍ୟାରେ ଗୋଟିଏ ପିକଅପ ଭ୍ୟାନ ଦୁର୍ଘଟଣା ଯୋଗୁଁ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି।

ଆହତମାନଙ୍କ ମଧ୍ୟରୁ ୪୨ ଜଣଙ୍କୁ ଚିକିତ୍ସା ପାଇଁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତ ହୋଇଥିବା ୪ ଜଣଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଏହି ଦୁର୍ଘଟଣାରେ ମୃତକଙ୍କ ପରିବାର ଲାଗି ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

ରବିବାର ସନ୍ଧ୍ୟାରେ ଏକ ପିକଅପ ଭ୍ୟାନରେ ୫୦ରୁ ଊର୍ଦ୍ଧ୍ଵ ଶ୍ରମିକ କାମ ସାରି ଘରକୁ ଫେରୁଥିଲେ। ସନ୍ଧ୍ୟା ସମୟରେ ଭ୍ୟାନଟି ଡୋକରିପଡ଼ାଠାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲେ।

Tags: #Accident #RoadAccident #Golamunda #Kalahandi #Death

Comment