ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ପବିତ୍ର ଶ୍ରୀପଞ୍ଚମୀ। ବର୍ଷକର ଅପେକ୍ଷା ପରେ ଏହି ପବିତ୍ର ଦିନରେ ପୁଣିଥରେ ମା’ ସରସ୍ୱତୀ ଓ ଭକ୍ତଙ୍କ ମିଳନ ହୋଇଛି। ବୁଧବାର ମାଘମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ପୂଜା କରାଯାଉଛି। ବିଶେଷ କରି ସ୍କୁଲ, କଲେଜରେ ସରସ୍ୱତୀ ପୂଜାର ଆୟୋଜନ ବେଶ୍ ଆଡ଼ମ୍ବରରେ କରାଯାଇଛି।  

ପ୍ରତିବର୍ଷ ଶିକ୍ଷାନୁଷ୍ଠାନଗୁଡ଼ିକରେ ଏହି ପବିତ୍ର ଦିନଟିକୁ ବିଶେଷ ଭାବେ ପାଳନ କରାଯାଇଥାଏ। ବିଦ୍ୟାର୍ଥୀମାନେ ପୂଜା ମଣ୍ଡପକୁ ଅତି ମନୋରମ କରି ସାଜସଜା କରିଥାନ୍ତି ଓ ମା’ଙ୍କୁ ଆରାଧନା କରନ୍ତି।

ମା’ ସରସ୍ୱତୀଙ୍କ ପୂଜାରେ ଧଳା ଫୁଲ, ଚନ୍ଦନ, ଆଖୁ, ଧଳା ବସ୍ତ୍ର, ମୋତି, ରୂପା, ଧଳାମାଳି ଅଳଙ୍କାର, ଅଦା, ଅଁଳା, ଦହି, ଘିଅ, ନଡ଼ିଆ, ଖିରୀ ଓ ବରକୋଳି ଅର୍ପଣ କରାଯାଏ।

ମା’ଙ୍କ ପୂଜା ଅର୍ଚ୍ଚନା ଓ ପଷ୍ପାଞ୍ଜଳି ସରିବା ପର୍ଯ୍ୟନ୍ତ ବିଦ୍ୟାର୍ଥୀମାନେ ଉପବାସ ରହିଥାନ୍ତି। ଏହି ଦିନ ମା’ ସରସ୍ୱତୀ ଶୁକ୍ଳ ବସ୍ତ୍ର ପରିଧାନ କରି ରତ୍ନ ବିଭୂଷିତ କୁଣ୍ଡଳ ଧାରଣ କରି, ହାତରେ ବୀଣା ଓ ପୁସ୍ତକ ଧରି ପଦ୍ମାସନରେ ଶ୍ୱେତ ପଦ୍ମ ଉପରେ ବିରାଜମାନ ହୋଇଥାନ୍ତି।

ସରସ୍ଵତୀ ପୂଜାରେ ଅନେକ ନୂତନ କାର୍ଯ୍ୟର ଆରମ୍ଭ ମଧ୍ୟ କରାଯାଇଥାଏ। ବିଶେଷ କରି ଛୋଟ ପିଲାଙ୍କର ବିଦ୍ୟା ଆରମ୍ଭ, ନୂତନ ଗୃହ ପ୍ରତିଷ୍ଠା, ଛୋଟ ପିଲାଙ୍କର ଅନ୍ନ ପ୍ରସନ୍ନ ଆଦି କରାଯାଇଥାଏ। ଖାଲି ସେତିକି ନୁହେଁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଏହି ଦିନ ରଥ କାଠ ଅନୁକୂଳ ମଧ୍ୟ କରାଯାଇଥାଏ।

ମା’ ସରସ୍ୱତୀ ବିଦ୍ୟାର୍ଥୀ ଓ ସଙ୍ଗୀତ ସାଧକଙ୍କୁ ଅଶେଷ କୃପା ପ୍ରଦାନ କରିଥାନ୍ତି। ମା’ଙ୍କ ଆର୍ଶୀବାଦ ପ୍ରାପ୍ତି ନିମିତ୍ତ ବିଦ୍ୟାର୍ଥୀମାନେ ପୁସ୍ତକ ଓ କଲମ ମା’ଙ୍କ ନିକଟରେ ରଖି ପୂଜା କରିଥାନ୍ତି।

Tags: #SriPanchami #SaraswatiPuja #Goddessofknowledge #Culture #Odisha

Comment