ଓଡ଼ିଶାଲାଇଭ୍ ବ୍ୟୁରୋ

ନିର୍ବାଚନୀ ବଣ୍ଡ ବା ଇଲେକ୍ଟୋରାଲ୍ ବଣ୍ଡକୁ ନେଇ ଗୁରୁବାର ସୁପ୍ରିମକୋର୍ଟରେ ଗୁରୁତ୍ଵପୂର୍ଣ୍ଣ ରାୟ ପ୍ରକାଶ ପାଇଛି। ଭାରତରେ ପ୍ରଚଳିତ ଏହି ନିର୍ବାଚନୀ ବଣ୍ଡକୁ ଅସାମ୍ବିଧାନିକ ଘୋଷଣା କରି ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ। ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ଗଠିତ ପାଞ୍ଚ ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଛନ୍ତି।

ନିର୍ବାଚନୀ ବଣ୍ଡ ଭାରତୀୟ ସମ୍ବିଧାନର ଧାରା ୧୯(୧)କୁ ଉଲ୍ଲଂଘନ କରୁଛି ଏବଂ ଏହା ଅସାମ୍ବିଧାନିକ ବୋଲି ସୁପ୍ରିମକୋର୍ଟ ଖଣ୍ଡପୀଠ ନିଜ ରାୟରେ କହିଛନ୍ତି। ଏହାସହ ଭାରତୀୟ ଷ୍ଟେଟ୍ ବ୍ୟାଙ୍କକୁ ତୁରନ୍ତ ନିର୍ବାଚନୀ ବଣ୍ଡ ବିକ୍ରି ବ୍ୟବସ୍ଥାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏଠାରେ ନିର୍ବାଚନୀ ବଣ୍ଡ କ୍ରେତାଙ୍କ ତାଲିକାକୁ ସାର୍ବଜନୀନ କରିବା ବାଧ୍ୟତାମୂଳକ କରିଛନ୍ତି ସୁପ୍ରିମକୋର୍ଟ। ଏଯାଏଁ ଏଥିରେ କରାଯାଇଥିବା ସମସ୍ତ ନେଣଦେଣର ବିବରଣୀ ମାର୍ଚ୍ଚ ୬ ତାରିଖ ସୁଦ୍ଧା ନିର୍ବାଚନ କମିସନଙ୍କ ନିକଟରେ ଜମା କରିବାକୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କକୁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ଏହି ବଣ୍ଡ ସୂଚନା ଅଧିକାର ଆଇନକୁ ଉଲ୍ଲଂଘନ କରୁଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ବିଭିନ୍ନ ରାଜନୈତିକ ଦଳ ପାଇଁ ଟଙ୍କା କେଉଁଠୁ ଆସୁଛି ଏସବୁ ଜାଣିବାର ଅଧିକାର ଦେଶର ନାଗରିକଙ୍କର ରହିଛି। ଏଥିପାଇଁ ନିର୍ବାଚନ କମିସନଙ୍କୁ ଏପ୍ରିଲ ୧୬ ତାରିଖ ସୁଦ୍ଧା ନିଜ ୱେବସାଇଟରେ ନିର୍ବାଚନୀ ବଣ୍ଡ ସମସ୍ତ ସୂଚନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

୨୦୧୮ରେ ନିର୍ବାଚନୀ ବଣ୍ଡ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଏହି ବଣ୍ଡ ବିରୋଧରେ ଅନେକ ଅନୁଷ୍ଠାନ ଓ ରାଜନୈତିକ ଦଳ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏଥିରେ ‘ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ’ ଓ ‘କମନ କଜ’ ଭଳି ସଂସ୍ଥା ଏବଂ ସିପିଆଇଏମ ସମେତ କିଛି ରାଜନୈତିକ ଦଳ ସାମିଲ ଥିଲେ। ପ୍ରଶାନ୍ତ ଭୂଷଣ ଓ କପିଲ ଶିବଲଙ୍କ ଭଳି ବରିଷ୍ଠ ଓକିଲ ଆବେଦନକାରୀଙ୍କ ପକ୍ଷରୁ ମାମଲା ଲଢ଼ିଥିଲେ।  

ତେବେ ୨୦୨୩ ଅକ୍ଟୋବର ୩୧ରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ଏହି ଖଣ୍ଡପୀଠରେ ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ଜଷ୍ଟିସ ସଞ୍ଜୀବ ଖନ୍ନା, ଜଷ୍ଟିସ ବି.ଆର. ଗଭାଇ, ଜଷ୍ଟିସ ଜେ.ବି. ପାର୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ର ସଦସ୍ୟ ଥିଲେ।

ନିର୍ବାଚନୀ ବଣ୍ଡ କ’ଣ?

ବିଭିନ୍ନ ରାଜନୈତିକ ଦଳକୁ ଚାନ୍ଦା ଦେବାପାଇଁ ନିର୍ବାଚନୀ ବଣ୍ଡ ଏକ ବିକଳ୍ପ ବ୍ୟବସ୍ଥା। ଏହା ଅଧୀନରେ କୌଣସି ବ୍ୟକ୍ତି ବା ବ୍ୟବସାୟିକ ସଂସ୍ଥା ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ନିର୍ବାଚନୀ ବଣ୍ଡ କ୍ରୟ କରି ରାଜନୈତିକ ଦଳକୁ ଦାନ କରିପାରିବେ।

ନିର୍ବାଚନୀ ବଣ୍ଡ ମାଧ୍ୟମରେ ଜଣେ ବ୍ୟକ୍ତି କୌଣସି ରାଜନୈତିକ ଦଳକୁ ୧ ହଜାର ଟଙ୍କାରୁ ଆରମ୍ଭ କରି ୧ କୋଟି ଟଙ୍କା ଯାଏଁ ଚାନ୍ଦା ଦେଇପାରିବେ। ଏଥିରେ ଦାତାଙ୍କର ପରିଚୟ ଗୋପନୀୟ ରଖାଯାଏ।

ରାଜନୈତିକ ଦଳ ନିର୍ବାଚନୀ ବଣ୍ଡ ପାଇବାପରେ ଏହାକୁ ବ୍ୟାଙ୍କରେ ଜମା କରି ଟଙ୍କା ପାଇଥାନ୍ତି। ଭାରତୀୟ ଜନପ୍ରତିନିଧି ଆଇନ ୧୯୫୧ର ଧାରା ୨୯(କ) ଅଧୀନରେ ପଞ୍ଜୀକୃତ ଏବଂ ଲୋକସଭା ନିର୍ବାଚନରେ ୧ ପ୍ରତିଶତରୁ ଅଧିକ ଭୋଟ ପାଇଥିବା ରାଜନୈତିକ ଦଳମାନେ ହିଁ ନିର୍ବାଚନୀ ବଣ୍ଡ ଗ୍ରହଣ କରିବାକୁ ଯୋଗ୍ୟ ହୋଇଥାନ୍ତି।    

Tags: #SupremeCourt #ElectoralBond #PoliticalParties #SBI #India

LEAVE A REPLY

Please enter your comment!
Please enter your name here