ଓଡ଼ିଶାଲାଇଭ୍ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲାରେ ଅନୁଷ୍ଠିତ ହୋଇଛି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି। ବୁଧବାର ହୋଇଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥଲେ।

“ଶିକ୍ଷା ହିଁ ଭବିଷ୍ୟତର ଆଧାର। ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମ ଏବଂ ଆତ୍ମବିଶ୍ଵାସ ରଖି ପାଠ ପଢ଼ିଲେ ଜୀବନରେ ନିଶ୍ଚିତ ସଫଳ ହେବେ। ଓଡ଼ିଶାରେ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଶ୍ଚିତ ଭାବେ ପ୍ରୋତ୍ସାହିତ କରିବ ବୋଲି ମୋର ବିଶ୍ଵାସ”, କହିଛନ୍ତି ସୁଦାମ ମାର୍ଣ୍ଡି।

କାର୍ଯ୍ୟକ୍ରମରେ ୪ ହଜାରରୁ ଅଧିକ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହାସହ ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ଆଗେଇ ଆସିଥିବା କିଛି ପଞ୍ଚାୟତ, ସ୍କୁଲ ପରିଚାଳନା କମିଟି ଓ ସ୍କୁଲ ଆଲୁମିନି ଆସୋସିଏସନର ସଦସ୍ୟମାନଙ୍କୁ ମଧ୍ୟ ଏଠାରେ ପୁରସ୍କୃତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ମମତା ମହନ୍ତ, ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଉଦଳା ବିଧାୟକ ଭାଷ୍କର ମଢ଼େଇ, ମୋରଡ଼ା ବିଧାୟକ ରାଜକିଶୋର ଦାସ, ସାରସକଣା ବିଧାୟକ ଡାକ୍ତର ବୁଢ଼ାନ ମୁର୍ମୁ, ମୟୂରଭଞ୍ଜ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଭାରତୀ ହାଁସଦା ଏବଂ ଆମ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମର ସଂଯୋଜକ ସୁନିଲ ଦାଶ ପ୍ରମୁଖ ଯୋଗ ଦେଇଥିଲେ। ଏହାସହ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ୪ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଂଶଗ୍ରହଣ କରିଥିଲେ।

Tags: #MukhymantriSikhyaPuraskar #Students #Teachers #Mayurbhanj #SMEOdisha

Comment