ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ସାଂସ୍କୃତିକ ରାଜଧାନୀ କଟକ। ପରମ୍ପରା, ଐତିହ୍ୟଠୁ ଆରମ୍ଭ କରି ଖାନା ଖଜାନା ପର୍ଯ୍ୟନ୍ତ ଏଠି ସବୁଥିରେ ଦେଖିବାକୁ ମିଳେ କିଛି ନା କିଛି ସ୍ୱତନ୍ତ୍ରତା। ସେଥିମଧ୍ୟରୁ ଚଟପଟି ଖାଦ୍ୟ ମଧ୍ୟରେ କଟକ ଦହିବରା ଭାରି ସୁଆଦିଆ। କଲେଜ ପଢୁଆ ଛାତ୍ରଛାତ୍ରୀ ହୁଅନ୍ତୁ ବା କର୍ମଜୀବୀ ମହିଳା, ଗୃହିଣୀ ହୁଅନ୍ତୁ କି ବାଟୋଇ, ବୃଦ୍ଧଠାରୁ ଯୁବକ ପର୍ଯ୍ୟନ୍ତ ସବୁ ବର୍ଗର ଲୋକଙ୍କୁ ଆକୃଷ୍ଟ କରିଥାଏ କଟକ ଦହିବରା।

ତେଣୁ କଟକର ସାହିବସ୍ତିରୁ ଆରମ୍ଭ କରି ବିଭିନ୍ନ ଛକରେ ବର୍ଷତମାମ୍ ଦହିବରା ମିଳିଥାଏ। ବିଶେଷକରି ବିଡ଼ାନାସୀ ଛକ, ବାରବାଟୀ ଷ୍ଟାଡିୟମ ପାଖ ଉପର ବାଲିଯାତ୍ରା ପଡ଼ିଆ, ବିଜୁ ପଟ୍ଟନାୟକ ଛକ, ମଣିସାହୁ ଛକ, ରାମଗଡ଼ ଛକ, ଦୋଳମୁଣ୍ଡାଇ ଛକ, ଗୌରୀଶଙ୍କର ପାର୍କ ପ୍ରଭୃତି ଅଞ୍ଚଳରେ ଷ୍ଟଲ ବା ଠେଲାଗାଡ଼ିରେ ବେପାରୀମାନେ ଦହିବରା ବିକ୍ରି କରିଥାନ୍ତି।

ବିଡ଼ାନାସୀରୁ ଆରମ୍ଭ ହୋଇଥିଲା ଦହିବରା ବେପାର

କଟକବାସୀଙ୍କ କହିବା ଅନୁସାରେ ବିଡ଼ାନାସୀ ଅଞ୍ଚଳରୁ ହିଁ ପ୍ରଥମେ ଦହିବରା ବ୍ୟବସାୟ ଆରମ୍ଭ ହୋଇଥିଲା। ବିଡ଼ାନାସୀର ଗୋପାଳମାନେ ପ୍ରଥମେ ଶିକାରେ ଦହିବରା ହାଣ୍ଡି ଲଦି ମହାନଦୀ ପଠାକୁ ବିକ୍ରି କରିବାକୁ ଯାଉଥିଲେ। ପରେ ସେମାନେ ସହରର କିଛି ସ୍ଥାନରେ ବେପାର କରିଥିଲେ। ଏହିଠାରୁ ହିଁ କଟକରେ ଦହିବରା ବ୍ୟବସାୟର ମୂଳଦୂଆ ପଡ଼ିଥିବା କୁହାଯାଏ। ତେବେ ପ୍ରଥମେ ପ୍ରଥମେ କେବଳ ଦହିବରା ସାଙ୍ଗକୁ ପାଣିଆ ଦହି ବିକ୍ରି ହେଉଥିଲା। ପରବର୍ତ୍ତୀ ସମୟରେ ଦହିବରା ସହ ଯୋଡ଼ି ହୋଇଥିଲା ଆଳୁଦମ। ଏବେ ଦହିବରା-ଆଳୁଦମ ସହ ଘୁଗୁନି ମଧ୍ୟ ମିଳୁଛି। ତଥାପି କଟକର କିଛି ସ୍ଥାନରେ ଏବେ ବି କେବଳ ଦହିବରା ଓ ଆଳୁଦମ ହିଁ ମିଳିଥାଏ।

କଟକର କିଛି ନାଁକରା ଦହିବରା ବେପାରୀ

ବିଡ଼ାନାସୀ ବନ୍ଧ ଛକରେ ସକାଳେ ପୁନିଆ ଦହିବରା, ସନ୍ଧ୍ୟାରେ ରଘୁ ଦହିବରା ଷ୍ଟଲରେ ଗ୍ରାହକଙ୍କର ବେଶ ଭିଡ଼ ଦେଖିବାକୁ ମିଳେ। ସେହିପରି ବାରବାଟୀ ଷ୍ଟାଡିୟମ ନିକଟରେ ଦହିବରା ବ୍ୟବସାୟର ଏକ ଲମ୍ବା ଆସର ଦେଖିବାକୁ ମିଳେ। ତେଣୁ ଏହି ସ୍ଥାନକୁ କଟକି ଦହିବରାର ହବ୍ ମଧ୍ୟ କୁହାଯାଏ। ଷ୍ଟାଡିୟମର ହର୍ସ ଗେଟ୍ ସାମ୍ନାରେ ଧାଡ଼ି କରି ୧୦ରୁ ୧୫ ଦହିବରା ଷ୍ଟଲ ରହିଛି। ଏଥମଧ୍ୟରୁ କିଛି ନାଁକରା ଦହିବରା ଷ୍ଟଲ ହେଲା କୁନା-ଟୁନା ଦହିବରା, ଅଜୟ-ବିଜୟ ଦହିବରା, ମେଘ ଦହିବରା, ବାପ-ଝିଅ ଦହିବରା, କାହ୍ନା ଦହିବରା ଇତ୍ୟାଦି।

ସେହିପରି ବିଡ଼ାନାସୀ କୃଷକ ବଜାର ଗଡ଼ାରେ ବାବୁଲା ଦହିବରା, କନିକା ଛକରେ ତ୍ରିନାଥ ସାହୁ ଦହିବରା, ମହତାବ ରୋଡ ପେଟ୍ରୋଲ ପମ୍ପ ପାଖ କ୍ଷୀର ଭାଇ ଦହିବରା, ନୂଆପାଟଣା ଛକରେ ଟୁନିଆ ଭାଇ ଦହିବରା, ଷ୍ଟୁଆର୍ଟ ସ୍କୁଲ ସାମ୍ନା ଭଗି ଦହିବରା, ବିଜୁ ପଟ୍ଟନାୟକ ଛକରେ ଈଶ୍ଵର ମଉସା ଦହିବରା ପ୍ରମୁଖ। କେବଳ ଛକ କି ବଜାର ତାହା ନୁହେଁ, ବାଉନ ବଜାର ତେପନ ଗଳିର ସହର କଟକରେ ପ୍ରାୟ ସବୁ ଗଳି କନ୍ଦିରେ ଦହିବରା ମିଳିଥାଏ।

ଖଟା ଆଉ ମିଠା ଭେରାଇଟିର ଦହିବରା

କଟକ ଦହିବରାର ସ୍ଵତନ୍ତ୍ରତା ହେଉଛି ଏଠାରେ ଦହିବରାର ବିଭିନ୍ନ ଭେରାଇଟି ବା ପ୍ରକାର ମିଳିଥାଏ। ଏଥିମଧ୍ୟରେ ଖଟା ଦହିବରା ଏବଂ ମିଠା ଦହିବରା ହେଉଛି ପ୍ରମୁଖ। ଆଳୁଦମରେ ମସଲା ଯୋଗୁଁ ଏହା ଅଧିକ ରାଗ ହୋଇଥିବାରୁ ବ୍ୟବସାୟୀମାନେ ଗ୍ରାହକମାନଙ୍କୁ ଉଭୟ ଖଟା ଏବଂ ମିଠା ଦହିବରା ପରଷିଥାନ୍ତି। ଦହିବରା ବା ଖଟା ଦହିବରା ସବୁଠାରେ ମିଳୁଥିବା ବେଳେ ବିଡ଼ାନାସୀ ବନ୍ଧ ଛକ, ଷ୍ଟାଡିୟମ ପାଖ, କନିକା ଛକ, ସେଲଟର ଛକ, ବିଜୁ ପଟ୍ଟନାୟକ ଛକ ଆଦି ସ୍ଥାନରେ ଉଭୟ ଖଟା ଓ ମିଠା ଦହିବରା ମିଳିଥାଏ। ଏବେ କିଛି ସ୍ଥାନରେ ପୁଦିନା, ଧନିଆ, ଗାଜର ଆଦି ଫ୍ଲେବରର ଦହିବରା ମଧ୍ୟ ମିଳୁଛି।

ଦହିବରା ଷ୍ଟଲରେ ମିଳେ ସ୍ଵତନ୍ତ୍ର ପେଡ଼ା

କଟକର ଦହିବରା ଆଳୁଦମ ସ୍ଵାଦରେ ବେଶ୍ ରାଗୁଆ ବା ତିଖା ହୋଇଥାଏ। ତେଣୁ ଦହିବରା ଖାଇବା ପରେ ରାଗ କାଟିବାକୁ ଗରାଖ କିଛି ମିଠା ଚାହିଁଥାନ୍ତି। ତେଣୁ କଟକର ଅନେକ ଦହିବରା ଷ୍ଟଲରେ ସ୍ଵତନ୍ତ୍ର ଖୁଆ ପେଡ଼ା ମିଳିଥାଏ। ବିଡ଼ାନାସୀ ଅଞ୍ଚଳରେ ପ୍ରାୟ ଗୋପାଳ ସଂମ୍ପ୍ରଦାୟର ଲୋକ ରହିଥିବା ବେଳେ ଏଠାକାର ଖୁଆ ପେଡ଼ାର ପ୍ରସିଦ୍ଧି ରହିଛି। ତେଣୁ ପ୍ରଥମେ ବିଡ଼ାନାସୀରୁ ଆସୁଥିବା ଦହିବରା ବ୍ୟବସାୟୀମାନେ ହିଁ ଦହିବରା ସହ ଷ୍ଟଲରେ ପେଡ଼ା ରଖିବା ଆରମ୍ଭ କରିଥିଲେ। ତେଣୁ ବିଡ଼ାନାସୀ ବନ୍ଧ ଛକରେ ପ୍ରାୟ ସବୁ ଦହିବରା ଷ୍ଟଲରେ ପେଡ଼ା ମିଳିଥାଏ। ସେହିପରି ଷ୍ଟାଡିୟମ ପାଖ ସମସ୍ତ ଷ୍ଟଲ, କନିକା ଛକ ତ୍ରିନାଥ ସାହୁ ଦହିବରା ଷ୍ଟଲ ଆଦିରେ ଦହିବରା ପରେ ଖୁଆ ପେଡ଼ା ଖାଇବାକୁ ଗ୍ରାହକମାନେ ବେଶ୍ ପସନ୍ଦ କରିଥାନ୍ତି।

ରାତି ୧୧ଟାରେ ବି ମିଳେ ଦହିବରା

ଦିନ ହେଉ କି ରାତି ପ୍ରାୟ ସବୁ ସମୟରେ କଟକରେ ଦହିବରା ମିଳିଥାଏ। ମୁଖ୍ୟତଃ ସକାଳ ଏବଂ ସନ୍ଧ୍ୟା ସମୟରେ ଦହିବରା ବିକ୍ରି ହେଉଥିବା ବେଳେ ରାତି ୧୧ଟାରେ ବି କଟକିଆମାନେ ଦହିବରା ଖାଇବାକୁ ପସନ୍ଦ କରିଥାନ୍ତି। ତେଣୁ କଟକର କିଛି ସ୍ଥାନରେ ରାତି ୧୧ଟା ପର୍ଯ୍ୟନ୍ତ ଦହିବରା ମିଳିଥାଏ। ଚୌଧୁରୀ ବଜାର, ନୟାସଡ଼କ, ମହତାବ ରୋଡ୍, ଦୋଳମୁଣ୍ଡାଇ ଚନ୍ଦନ ପଡ଼ିଆ, ବିଡ଼ାନାସୀ ବନ୍ଧ ଛକ ଆଦି ସ୍ଥାନରେ ସନ୍ଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଦହିବରା ମିଳିଥାଏ।

ଆଳୁଦମରେ ଗୋଲମରିଚ ଏବଂ ଡାଲ୍‌ଚିନିର ସ୍ଵାଦ

କଟକରେ ଯେପରି ଦହିବରାର ସ୍ଵତନ୍ତ୍ରତା ହେଉଛି ଖଟା ଓ ମିଠା ସ୍ଵାଦ ଏବଂ ଦହିବରାଗୁଡ଼ିକ ସଫ୍ଟ ବା ନରମ ହୋଇଥାଏ। ସେହିପରି ଏଠାକାର ଆଳୁଦମର ସ୍ଵତନ୍ତ୍ରତା ହେଲା ରାଗ ମସଲା। ବିଭିନ୍ନ ପ୍ରକାରର ମସଲା ଦେଇ କଟକରେ ଆଳୁଦମ ପ୍ରସ୍ତୁତ ହୋଇଥାଏ। ହେଲେ କଟକର ନୂଆପାଟଣାରେ ମିଳୁଥିବା ଆଳୁଦମର ଖାସ୍ କଥା ହେଲା – ଗୋଲମରିଚ ସ୍ଵାଦ। ଏଠାରେ ଦହିବରା ସହ ମିଳୁଥିବା ଆଳୁଦମରେ ବେଶୀ ପରିମାଣରେ ଗୋଲମରିଚ ପଡ଼ିଥାଏ, ଯାହାକୁ ଖାଇଲେ ପାଟିକୁ ଗୋଲମରିଚର ରାଗୁଆ ସ୍ଵାଦ ତ ମିଳିଥାଏ ଏହାସହ ଗ୍ରାହକଙ୍କ ଆଖିରୁ ନାକରୁ ପାଣି ବାହାରି ପଡ଼ିଥାଏ। ସେହିପରି ନୟାସଡ଼କ ଅଞ୍ଚଳରେ ମିଳୁଥିବା ଆଳୁଦମର ସ୍ଵାଦକୁ ଖାସ୍ କରିଥାଏ ଡାଲ୍‌ଚିନି।

ଗ୍ରାହକଙ୍କୁ ଆକର୍ଷିତ କରୁଛି ‘କାଜୁ ଆଳୁଦମ

କଟକରେ ପ୍ରାୟ ପ୍ରତି ଦହିବରା ଷ୍ଟଲରେ ମିଳୁଥିବା ଆଳୁଦମ ପରସ୍ପରଠାରୁ ସ୍ଵାଦରେ ଭିନ୍ନ ହୋଇଥାଏ। କେଉଁଠି ଆଳୁଦମ ସ୍ଵାଦ ଅଧିକ ରାଗୁଆ ଥାଏ ତ କେଉଁଠି ଗୋଲମରିଚ ଆଉ ଡାଲ୍‌ଚିନି ସ୍ଵାଦର ଆଳୁଦମ ଗ୍ରାହକଙ୍କୁ ଆକର୍ଷିତ କରିଥାଏ। ସେହିପରି କଟକର ଲିଙ୍କରୋଡ୍‌ରେ ମିଳେ କାଜୁ ପକା ଆଳୁଦମ। ଖାନନଗର ଅଞ୍ଚଳର ଦହିବରା ବ୍ୟବସାୟୀ ଗୋଲକ ଚନ୍ଦ୍ର ବେହେରାଙ୍କ (ଗୋଲିଆ ଭାଇ) ଦହିବରା ଷ୍ଟଲରେ ଏହି କାଜୁ ଆଳୁଦମ ମିଳେ। ଏହାର ସ୍ଵତନ୍ତ୍ରତା ହେଲା ଆଳୁଦମ ମସଲା ଝୋଳରେ ଫାଳ ଫାଳ ସାଇଜର କାଜୁ ପଡ଼ିଥାଏ, ଯାହା ଆଳୁଦମର ସ୍ଵାଦକୁ ଆହୁରି ସ୍ଵାଦିଷ୍ଟ କରିଥାଏ।

ଓଡ଼ିଆ ସଙ୍ଗୀତରେ କଟକି ଦହିବରାର ଛୁଙ୍କ

କଟକି ଦହିବରା କେବଳ ଲୋକଙ୍କ ଖାଇବା ପୁଡ଼ିଆରେ ସୀମିତ ରହିନାହିଁ। ଓଡ଼ିଆ ସଙ୍ଗୀତରେ ମଧ୍ୟ କଟକ ପ୍ରସିଦ୍ଧ ଦହିବରାକୁ ଉପସ୍ଥାପନା କରାଯାଇଛି। କଟକି ଦହିବରାର ଛୁଙ୍କକୁ ନେଇ ଓଡ଼ିଶାରେ ଅନେକ ଗୀତ ରହିଥିବା ବେଳେ ୧୯୮୦ ମସିହାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଅକ୍ଷିତୃତୀୟା’ରେ ରହିଛି ଦହିବରାର ବର୍ଣ୍ଣନା। ଏହି ଚଳଚ୍ଚିତ୍ରରେ ତାନସେନ ସିଂଙ୍କ ଦ୍ୱାରା ପରିବେଷିତ ‘ଆସ କିଏ ଖାଇବ ହୋ ଆମ ରାଜାବାବୁର ଖାନା’ଗୀତରେ କଟକି ଦହିବରାର ସ୍ୱାଦ ନିଖୁଣ ଭାବେ ଉପସ୍ଥାପନା କରାଯାଇଛି।

Tags: #Dahibara #Cuttack #CuttackDahibara #Katak #DahibaraAloodum #RaghuDahibara #ଦହିବରା #ଦହିବରାଆଳୁଦମ୍‌ #କଟକ #ବିଡ଼ାନାସୀ #ବିଡ଼ାନାସୀଦହିବରା

LEAVE A REPLY

Please enter your comment!
Please enter your name here