ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ

କାନ ମଣିଷ ଶରୀରର ଏକ ପ୍ରମୁଖ ଅଙ୍ଗ। ଏହାଦ୍ୱାରା ବିଭିନ୍ନ ଶବ୍ଦ ଏବଂ କମ୍ପନକୁ ଅନୁଭବ କରୁଥିବା ସକ୍ଷମତାକୁ ଶ୍ରବଣ ଶକ୍ତି କୁହାଯାଏ। ତେବେ ବଧିରତା ହେଉଛି ସମ୍ପୂର୍ଣ୍ଣ ଭାବେ ବା ଆଂଶିକ ଭାବେ ଶ୍ରବଣ ଶକ୍ତି ହରାଇବା। ବଧିରତା ଦେଖାଯାଏ ନାହିଁ ତେଣୁ ଅନ୍ୟମାନେ ଏହା ଜାଣିପାରନ୍ତି ନାହିଁ।

ଏବେ ବିଶ୍ଵରେ ୧୫୦ କୋଟିରୁ ଅଧିକ ଲୋକ ବିଭିନ୍ନ ଶ୍ରବଣ ଜନିତ ସମସ୍ୟା ଦେଇ ଗତି କରୁଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୪୦ କୋଟି ଲୋକ ନିଜ ଶ୍ରବଣ ଶକ୍ତି ହରାଇଛନ୍ତି। ସେଥିରେ ଶିଶୁମାନଙ୍କ ସଂଖ୍ୟା ହେଉଛି ପ୍ରାୟ ୩.୫ କୋଟି। ହେଲେ ଶୈଶବରେ ଶ୍ରବଣ ଶକ୍ତି ହରାଉଥିବା ଶିଶୁମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ଶିଶୁଙ୍କର ଏହି ଅବସ୍ଥାର ଚିକିତ୍ସା କରାଯାଇପାରିବ।

ଯେକୌଣସି ବୟସରେ ମଧ୍ୟ ଜଣେ ଶ୍ରବଣ ଶକ୍ତି ହରାଇପାରେ। ଏହା ଶରୀରର ଏକ ପ୍ରମୁଖ ଅଂଶ ହୋଇଥିବା ବେଳେ ଏହାକୁ ଆମେ ଅଣଦେଖା କରିପାରିବା ନାହିଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ ଅନୁସାରେ କାନର ଉପଯୁକ୍ତ ଯତ୍ନ ଓ ଶୁଣିବାର ସଠିକ୍ ଶୈଳୀ ମାଧ୍ୟମରେ ବଧିରତାକୁ ଏଡ଼ାଇ ଦିଆଯାଇପାରିବ।  

“ଶ୍ରବଣ ଶକ୍ତି ହ୍ରାସକୁ ଆମ ସମାଜରେ ଦୀର୍ଘ ଦିନ ଧରି ଅବହେଳା କରାଯାଇଆସିଛି। ବଧିରତାକୁ ‘ଅଦୃଶ୍ୟ ଅକ୍ଷମତା’ ବୋଲି କୁହାଯାଏ। ଏହାର ବିଶେଷ ଲକ୍ଷଣ ଦେଖଯାଉନଥିବାରୁ ଏହା ଜଣାପଡ଼େ ନାହିଁ। ହେଲେ ଉପଯୁକ୍ତ ଚିକିତ୍ସା ଦ୍ଵାରା ଲୋକଙ୍କ ଶ୍ରବଣ ସମସ୍ୟାର ସମାଧାନ କରାଯାଇପାରିବ। ଶ୍ରବଣ ଶକ୍ତି ହରାଇଥିବା ବ୍ୟକ୍ତିଙ୍କ ସହ ଧୀରେ ଧୀରେ ଏବଂ ସଠିକ୍ ଭାବେ କଥାବାର୍ତ୍ତା କରି ଆମେ ମଧ୍ୟ ସେମାନଙ୍କ ସହାୟତା କରିପାରିବା”, କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଡାକ୍ତର ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସସ୍।

ଶ୍ରବଣ ଶକ୍ତି ହରାଇବାରୁ ବଞ୍ଚିବା ପାଇଁ କାନର ଯତ୍ନ ନେବେ କିପରି?

  • କାନ ସଫା କରିବା ନିମନ୍ତେ କୌଣସି ତୀକ୍ଷ୍ଣ ପଦାର୍ଥ ବ୍ୟବହାର କରନ୍ତୁ ନାହିଁ।

ପିନ୍‌, ପେନ୍‌ସିଲ୍‌, ଛୁଞ୍ଚି କିମ୍ବା କୌଣସି ଧାରୁଆ ପଦାର୍ଥ କାନ ସଫା କରିବା ପାଇଁ ବ୍ୟବହାର କରନ୍ତୁ ନାହିଁ। ଏହା କାନର ଭିତର ଅଂଶ ଓ ଡ୍ରମକୁ ନଷ୍ଟ କରିଦେଇପାରେ। ଏହାଦ୍ୱାରା ଶ୍ରବଣ ଶକ୍ତି ହରାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଯଦି କାନରେ ଅତ୍ୟଧିକ ମଇଳା ଜମେ ତେବେ କାନକୁ ସଫା କରିବା ନିମନ୍ତେ ଇଏନ୍‌ଟି ଡାକ୍ତରଙ୍କର ସାହାଯ୍ୟ ନିଅନ୍ତୁ।

  • କାନ ଭିତରେ କିଛି ଭର୍ତ୍ତି କରନ୍ତୁ ନାହିଁ।

ପିଲାମାନେ ପ୍ରାୟତଃ କାନରେ କୌଣସି ପ୍ରକାର ମଞ୍ଜି, ଗୋଡ଼ି କିମ୍ବା ମାଟି ଭର୍ତ୍ତି କରିଦେଇଥାନ୍ତି। ବଡ଼ମାନଙ୍କ କ୍ଷେତ୍ରରେ ମଧ୍ୟ କେତେବେଳେ କିଛି ପୋକ କାନରେ ପଶିଯାଇଥାଏ। ଏଭଳି ଘଟିଲେ କାନରେ ପାଣି ଭର୍ତ୍ତି କରନ୍ତୁ ନାହିଁ।

  • କାନରୁ କିଛି ତରଳ ପଦାର୍ଥ ବାହାରିଲେ କିମ୍ବା କାନ ବିନ୍ଧିଲେ ଅଣଦେଖା କରନ୍ତୁ ନାହିଁ।

କାନର ସଂକ୍ରମଣକୁ ତୁରନ୍ତ ଚିକିତ୍ସା ନ କରାଇଲେ ଆପଣ ଶ୍ରବଣ ଶକ୍ତି ହରାଇ ପାରନ୍ତି। ଯଦି କାନ ବିନ୍ଧୁଛି, କାନରୁ ତରଳ ପଦାର୍ଥ ବାହାରୁଛି, କୁଣ୍ଡାଇ ହେଉଛି, କାନ ଭିତରେ କିଛି ଶବ୍ଦ ହେଲା ପରି ଅନୁଭବ କରୁଛନ୍ତି ତେବେ ତୁରନ୍ତ ଇଏନ୍‌ଟି ଡାକ୍ତରଙ୍କୁ ଦେଖାନ୍ତୁ।

  • ଗାଡ଼ି ଚଳାଇବା ବେଳେ ହେଲ୍‌ମେଟ ପିନ୍ଧନ୍ତୁ।

ମୁଣ୍ଡ ଏବଂ କାନର କୌଣସି ପ୍ରକାର ଆଘାତ ହେବାରୁ ନିଜକୁ ସୁରକ୍ଷିତ ରଖନ୍ତୁ। ରାସ୍ତା ଦୁର୍ଘଟଣା ଦ୍ୱାରା ଶ୍ରବଣ ଶକ୍ତି ଚାଲିଯିବାର ସମ୍ଭାବନା ରହିଛି। ମୁଣ୍ଡରେ କୌଣସି ଆଘାତ ଲାଗିଲେ ମଧ୍ୟ ଶ୍ରବଣ ଶକ୍ତି ଚାଲିଯାଇପାରେ। ତେଣୁ ରାସ୍ତା ଦୁର୍ଘଟଣାରୁ ନିଜକୁ ସୁରକ୍ଷିତ ରଖିବା ନିମନ୍ତେ ହେଲ୍‌ମେଟ ପିନ୍ଧନ୍ତୁ।

  • ଶବ୍ଦ ପ୍ରଦୂଷଣ ପ୍ରତି ସଚେତନ ରହନ୍ତୁ।

ଶବ୍ଦ ପ୍ରଦୂଷଣ ଶ୍ରବଣ ଶକ୍ତି ହରାଇବାର ଏକ ପ୍ରମୁଖ କାରଣ। ଉଚ୍ଚ ସ୍ୱରରେ ଗୀତ ଶୁଣିବାରୁ ନିଜକୁ ଦୂରେଇ ରଖନ୍ତୁ। ଯଦି କୌଣସି ପ୍ରକାର ଶବ୍ଦ ପ୍ରଦୂଷଣ ହେଉଥିବା ସ୍ଥାନରେ ଆପଣ କାର୍ଯ୍ୟ କରୁଛନ୍ତି ତେବେ ଇୟର୍ ପ୍ଲଗ୍ ବ୍ୟବହାର କରନ୍ତୁ। ଏ ସଂକ୍ରାନ୍ତରେ ଆପଣଙ୍କ ଅଡିଓଲଜିଷ୍ଟ ଉପଯୁକ୍ତ ଡିଭାଇସ୍ ଯୋଗାଇବାରେ ସାହାଯ୍ୟ କରିପାରିବେ।

  • ବିନା ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରନ୍ତୁ ନାହିଁ।

କେତେକ ଆଣ୍ଟିବାୟୋଟିକ୍ (ଯେପରିକି ଷ୍ଟ୍ରେପ୍‌ଟୋମାଇସିନ୍‌, କାନାମାଇସିନ୍ ଏବଂ ଜେଣ୍ଟାମାଇସିନ୍‌) ଏବଂ ଆସ୍ପିରିନ୍ ଶ୍ରବଣ ଶକ୍ତି ହରାଇବାର କାରଣ ହୋଇଥାଏ। ଯଦି ଆପଣକୁ ଦୀର୍ଘ ସମୟ ଧରି ଏହି ଔଷଧ ସେବନ କରିବାକୁ ପଡ଼ୁଛି ତେବେ ନିୟମିତ ଭାବେ କାନ ପରୀକ୍ଷା କରାନ୍ତୁ।

  • ଗର୍ଭଧାରଣ ସମୟରେ ଶରୀରର ଯତ୍ନ ନିଅନ୍ତୁ।

ମିଜିଲ୍‌ସ, ମମ୍‌ସ, ସିଫଲିସ୍ ଏବଂ ରୁବେଲା ଭଳି ରୋଗ ଗର୍ଭବତୀଙ୍କ କ୍ଷେତ୍ରରେ ଘଟିଲେ ପେଟରେ ଥିବା ଶିଶୁର ଶ୍ରବଣ ଶକ୍ତି ଉପରେ ପ୍ରଭାବ ପଡ଼ିଥାଏ। ଗର୍ଭଧାରଣ ସମୟରେ ଏକ୍ସ-ରେ ରେଡିଏସନ୍‌, ଔଷଧ ସେବନ କିମ୍ବା କୌଣସି ଆଘାତ ଘଟିଲେ ଶିଶୁ ଉପରେ ଏହାର ପ୍ରଭାବ ପଡ଼ିଥାଏ। ତେଣୁ ଗର୍ଭବତୀମାନେ ନିୟମିତ ଭାବରେ ଡାକ୍ତରଙ୍କ ପରାମର୍ଶ ନେଇ ଖାଦ୍ୟ ଗ୍ରହଣ କରନ୍ତୁ, ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ ଭ୍ୟାକ୍ସିନ୍ ନିଅନ୍ତୁ। ଏହାଦ୍ୱାରା ଜନ୍ମ ହେବାକୁ ଥିବା ଶିଶୁର ଶ୍ରବଣ ଶକ୍ତି ସୁରକ୍ଷିତ ରହିଥାଏ।

ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୩ ତାରିଖରେ ବିଶ୍ୱ ଶ୍ରବଣ ଶକ୍ତି ଦିବସ ପାଳନ କରାଯାଏ। ବଧିରତାରୁ ମନୁଷ୍ୟ କିଭଳି ନିଜକୁ ବଞ୍ଚାଇପାରିବେ ସେ ଦିଗରେ ସଚେତନତା ସୃଷ୍ଟି ଏବଂ କାନର ଯତ୍ନ ନେବାକୁ କେନ୍ଦ୍ର କରି ଏହି ଦିବସକୁ ପାଳନ କରାଯାଏ। ଚଳିତବର୍ଷ ବିଶ୍ୱ ଶ୍ରବଣ ଶକ୍ତି ଦିବସର ଥିମ୍ ରହିଥିଲା “ଚେଞ୍ଜିଂ ମାଇଣ୍ଡସେଟସ୍ – ଲେଟ୍ସ ମେକ ଇଅର ଆଣ୍ଡ ହିଅରିଂ କେୟାର ଏ ରିୟାଲିଟି ଫର ଅଲ୍”।

ଏହି ଅବସରରେ ଶ୍ରବଣ ଜନିତ ସମସ୍ୟା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଇଏଫଆଇ ଫାଉଣ୍ଡେସନ, ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ଏକ କାର୍ଯ୍ୟକ୍ରମ କରାଯାଇଛି। ଶ୍ରବଣ ଜନିତ ସମସ୍ୟା ଏବଂ କାନର ଯତ୍ନ ବାବଦରେ ବିଭିନ୍ନ ସଚେତନତାମୂଳକ ଭିଡିଓ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟପ୍ଲସର ସୋସିଆଲ ଚ୍ୟାନେଲରେ ପ୍ରସାରିତ ହେଉଛି। 

Tags: #WorldHearingDay2024 #EarCare #HearingCare #Health #WHO

Comment